ନୂଆଦିଲ୍ଲୀ ୦୮/୧୦: ଭାରତୀୟ ସଶସ୍ତ୍ର ବାହିନୀର ପ୍ରମୁଖ ଅଙ୍ଗ ଭାରତୀୟ ବାୟୁସେନା । ଭାରତୀୟ ବାୟୁସୀମାର ନିରାପତ୍ତା ଓ ଯୁଦ୍ଧ ସମୟରେ ଆକାଶ ମାର୍ଗରୁ ଲଢ଼ିବା ଏହାର ପ୍ରମୁଖ ଦାୟିତ୍ୱ । ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ବ୍ରିଟିଶ ସାମ୍ରାଜ୍ୟର ସହାୟକ ବାୟୁସେନା ଭାବେ ଏହା ସ୍ଥାପିତ ହୋଇଥିଲା । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟିଶ ଶାସନ ଚାଲିଥିବାରୁ ୧୯୪୫ରେ ଭାରତୀୟ ବାୟୁସେନା ସହ ‘ରୟାଲ୍‌’ ଶବ୍ଦ ଯୋଡ଼ି ହୋଇଥିଲା । ସ୍ୱାଧୀନତା ପରେ ଭାରତୀୟ ବାୟୁସେନାରୁ ରୟାଲ୍‌ ଶବ୍ଦ କାଢ଼ି ନିଆଗଲା । ତା’ପରେ ଏହା ଦେଶ ସେବାରେ ସମ୍ପୂର୍ଣ୍ଣ ନିୟୋଜିତ ହେଲା । 

ସ୍ୱାଧୀନତା ପରଠୁ ଭାରତୀୟ ବାୟୁସେନା ୪ଟି ଭୟଙ୍କର ଯୁଦ୍ଧରେ ସାମିଲ ହୋଇଛି । ପଡ଼ୋଶୀ ପାକିସ୍ତାନ ସମେତ ଚୀନ୍‌ ବିରୁଦ୍ଧରେ ଲଢ଼େଇ ବ୍ୟତୀତ ଅପରେସନ୍‌ ବିଜୟ-ଗୋଆ ଅଧିଗ୍ରହଣ, ଅପରେସନ୍‌ ମେଘଦୂତ, ଅପରେସନ୍‌ କାକ୍‌ଟସ୍‌ ଏବଂ ଅପରେସନ୍‌ ପୁମାଲାଇରେ ସାମିଲ ହୋଇ ନିଜ ବୀରତ୍ୱର ନିଦର୍ଶନ ଦେଇଛି । ଜାତିସଂଘର ଶାନ୍ତିରକ୍ଷା ମିଶନ୍‌ରେ ଭାରତୀୟ ବାୟୁସେନା ସକ୍ରିୟ ଅଂଶଗ୍ରହଣ କରିଛି ।