ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (L୦C)ର କେଜି ସେକ୍ଟରରେ, ଭାରତୀୟ ସେନା ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ଦେଇଛି। ଆମର ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଆତଙ୍କବାଦୀକୁ ମାରି ଦେଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି , ଯାହା ଫଳରେ ଅନ୍ୟ କୌଣସି ଅନୁପ୍ରବେଶକାରୀଙ୍କ ଉପସ୍ଥିତି ସମ୍ପର୍କରେ ଜାଣି ହେବ। ସ୍ଥିତି ଉପରେ କ୍ରମାଗତ ନଜର ରଖାଯାଇଛି ଏବଂ ସୁରକ୍ଷା ବାହିନୀଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ପାଇଁ ଉଦ୍ୟମ ଜାରି ରହିଛି।
ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ପୁଲିସ ସୋମବାର ଆତଙ୍କବାଦୀଙ୍କ ଏକ ପୁରୁଣା ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଏହି ସମୟରେ ସେହି ସମୟର ସାମଗ୍ରୀ ଜବତ କରାଯାଇଛି, ଯେତେବେଳେ ଆତଙ୍କବାଦ ଚରମ ସୀମାରେ ଥିଲା। ଅଧିକାରୀମାନେ ଜଣାଇଛନ୍ତି ଯେ , ଏହି ସାମଗ୍ରୀଗୁଡ଼ିକ ମଧ୍ୟରେ IED ବ୍ୟାଟେରୀ ଏବଂ ଦୂରବୀକ୍ଷଣ ଯନ୍ତ୍ର ସାମିଲ ଅଛି। ଦାରହଲ ଅଞ୍ଚଳର ସାରା-ସିମଲି ଗଳି ଅଞ୍ଚଳରେ ପୁଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ (SOG) ର ତଲାଶି ଅଭିଯାନ ସମୟରେ ଏହି ସବୁ ଜବତ ହୋଇଛି। ଜବତ ସାମଗ୍ରୀ ମଧ୍ୟରେ ଟି IED ବ୍ୟାଟେରୀ, ଦୁଇଟି ପୁରୁଣା ବ୍ୟାଗ୍, ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର, ୨ଟି ସିରିଞ୍ଜ, ସେଭିଙ୍ଗ ବ୍ଲେଡ୍ ଏବଂ କିଛି ଡାଏରୀ କଭର ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ସାମଗ୍ରୀଗୁଡ଼ିକ ସେହି ସମୟର, ଯେତେବେଳେ ଆତଙ୍କବାଦ ଚରମ ସୀମାରେ ଥିଲା।
ସୂଚନାଯୋଗ୍ୟ ଯେ, ଭାରତୀୟ ସେନା ରବିବାର ଜମ୍ମୁ-କାଶ୍ମୀରର ରାଜୌରୀରେ 'ଅପରେସନ ସିନ୍ଦୂର'ର ପ୍ରଥମ ବାର୍ଷିକୀ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ ଗତବର୍ଷ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ସୀମା ପାର ଗୁଳି ବିନିମୟରେ ଜୀବନ ହରାଇଥିବା ସୈନିକ ଏବଂ ସାଧାରଣ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା। ଅପରେସନ ସିନ୍ଦୂରର ନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୁଜ୍ଜର ମଣ୍ଡି ଛକରେ ସ୍ଥାପିତ ଯୁଦ୍ଧ ସ୍ମାରକୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେନାର ବରିଷ୍ଠ ଅଧିକାରୀ, ପୁଲିସ ଅଧିକାରୀ, ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।
ସେନାର 'ଏସ୍ ଅଫ୍ ସ୍ପେଡ୍ସ' ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ କୌଶିକ ମୁଖାର୍ଜୀ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ସାହସ, ବଳିଦାନ ଏବଂ ରାଷ୍ଟ୍ର ପ୍ରତି ସମର୍ପଣକୁ ପ୍ରଶଂସା କରି ଥିଲେ। ରାଜୌରୀର ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ରାଜ କୁମାର ଥାପା ଏବଂ ଚାରିଜଣ ସେନା କର୍ମଚାରୀ - ସୁବେଦାର ମେଜର ପୱନ ସିଂହ, ହାବିଲଦାର ସୁନୀଲ ସିଂହ, ଲାନ୍ସ ନାୟକ ଦିନେଶ ସିଂହ ଏବଂ ଅଗ୍ନିବୀର ମୁରଲୀ ନାୟକଙ୍କ ସମେତ ଶହୀଦ ନାୟକମାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ଥିଲା। ସେନା କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା ରାଜୌରୀର ବିଭିନ୍ନ ଅଞ୍ଚଳ ଦେଇ ଯାତ୍ରା କରି ଥିଲା, ଯେଉଁଠାରେ ଗତ ବର୍ଷ ୧୦ ମଇରେ ଭୟଙ୍କର ଗୁଳିବିନିମୟ ହୋଇଥିଲା।