ନୂଆଦିଲ୍ଲୀ ୦୨/୧୨: ବ୍ରିଟେନ୍‌ ନିବାସୀ ଭାରତୀୟ ବଂଶୋଦ୍ଭବ  କ୍ରିଶ ଅରୋରା(୧୦) ଏବେ ଚର୍ଚ୍ଚାରେ ।  ଆଇକ୍ୟୁ ମାମଲାରେ ନିକଟରେ ସେ ଆଲବର୍ଟ  ଆଇନଷ୍ଟାଇନ୍‌ ଓ ଷ୍ଟିଫେନ୍‌ ହକିଙ୍ଗଙ୍କୁ ପଛରେ  ପକାଇ ଦେଇଛନ୍ତି । ଆଇକ୍ୟୁ ସ୍କୋର ୧୬୨  ହାସଲ କରି ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି  ସେ । ଏହି ସ୍କୋର କ୍ରିଶଙ୍କୁ ଦୁନିଆର ସର୍ବାଧିକ ବୁଦ୍ଧିମାନ୍‌ ୧ ପ୍ରତିଶତ ଲୋକଙ୍କ ମଧ୍ୟରେ ସ୍ଥାନିତ  କରିଛି । ତାଙ୍କୁ ମଧ୍ୟ ଅତ୍ୟଧିକ ବୁଦ୍ଧିମାନ ଲୋକଙ୍କର ସୋସାଇଟି ମେନ୍‌ସାରେ ସ୍ୱୀକାର  କରାଯାଇଛି । ସେପ୍ଟେମ୍ବର ମାସରୁ ସେ କୁଇନ୍‌  ଏଲିଜାବେଥ୍‌’ସ ସ୍କୁଲରେ ଯୋଗ ଦେବାକୁ  ପ୍ରସ୍ତୁତ । ସେହି ସ୍କୁଲ ଦେଶର ଏକ ପ୍ରସିଦ୍ଧ  ସ୍କୁଲ ଭାବେ ଖ୍ୟାତ ।  କ୍ରିଶଙ୍କର ପିତାମାତା ମୋଲି ଓ ନିଶ୍ଚଲ  ଉଭୟ ଇଞ୍ଜିନିୟର । 

କ୍ରିଶ୍‌ ମାତ୍ର ୪ ବର୍ଷର  ହୋଇଥିବାବେଳେ ସେମାନେ ତାଙ୍କର ଏହି  ଅସାଧାରଣ ଧୀଶକ୍ତି ବିଷୟରେ ଜାଣିବାକୁ ପାଇଥିଲେ । ଆଇଟି କଂପାନିରେ କାର୍ଯ୍ୟରତ  ମୋଲି କହିଛନ୍ତି, କ୍ରିଶ୍‌ର କାର୍ଯ୍ୟକଳାପ ଜଣେ  ୪ ବର୍ଷୀୟ ପିଲାଠାରୁ କେଇଗୁଣ ଅଧିକ ଥିଲା ।  ସେ ଖୁବ୍‌ ଭଲ ଭାବେ ଲେଖିପଢ଼ିପାରୁଥିଲା । ବିଶେଷ କରି ଗଣିତରେ ତାର ଭଲ ଦକ୍ଷତା  ରହିଥିଲା । ୪ ବର୍ଷ ହେବା ପୂର୍ବରୁ ଦିନେ ସେ  ମୋ’ ସହିତ ୩ ଘଣ୍ଟା ବସି ଗୋଟିଏ ପୂରା  ଗଣିତ ବହି ଶେଷ କରି ଦେଇଥିଲା । ୮  ବର୍ଷ ବୟସରେ ସେ ପୂରା ଗୋଟିଏ ବର୍ଷର  ପାଠ୍ୟକ୍ରମକୁ ଦିନକରେ ଶେଷ କରିଦେଇଥିଲା ।  ସେ ଯେଉଁ କାମ କରେ ସେଥିରେ ଶ୍ରେଷ୍ଠତା  ପ୍ରତିପାଦିତ କରିଥାଏ ।  

ପାଠପଢ଼ା ବ୍ୟତୀତ କ୍ରିଶଙ୍କର ସଙ୍ଗୀତ ପ୍ରତି ରୁଚି ରହିଛି । ଜଣେ ପିଆନୋ ବାଦକ  ଭାବେ ସେ ଅନେକ ପୁରସ୍କାର ଜିତିଛନ୍ତି । ମାତ୍ର ୬ ମାସ ମଧ୍ୟରେ ୪ଟି ଗ୍ରେଡ୍‌ ପୂରା କରି  ସେ ଟ୍ରିନିଟି କଲେଜ ଅଫ୍‌ ମ୍ୟୁଜିକର ହଲ  ଅଫ୍‌ ଫେମ୍‌ରେ ସାମିଲ ହୋଇଥିଲେ । ବର୍ତ୍ତମାନ  ତାଙ୍କ ନିକଟରେ ୭ଟି ପିଆନୋ ସାର୍ଟିଫିକେଟ  ରହିଛି । ପଶ୍ଚିମ ଲଣ୍ଡନରେ  ଅନୁଷ୍ଠିତ ଅନେକ ସଙ୍ଗୀତ  ପ୍ରତିଯୋଗିତାରେ କ୍ରିଶ  ଜିତିଛନ୍ତି । ସେଠାରେ  ତାଙ୍କଠାରୁ ବୟସରେ  ବଡ଼ ପ୍ରତିଯୋଗୀଙ୍କୁ  ମାତ୍‌ ଦେଇଛନ୍ତି ସେ ।  ଫୁରସତ୍‌ ସମୟରେ  କ୍ରିଶ୍‌ ଗଣିତ କୁହୁକର  ସମାଧାନ କରିବାକୁ ପସନ୍ଦ  କରନ୍ତି ।