ନୂଆଦିଲ୍ଲୀ: ଜଳ ସୀମାକୁ ସୁରକ୍ଷା ଦେବାକୁ ସର୍ବଦା ତତ୍ପର ଥିବା ଭାରତୀୟ କୋଷ୍ଟ ଗାର୍ଡ ବା ତଟରକ୍ଷୀ ବାହିନୀକୁ ବଡ଼ ସଫଳତା ମିଳିଛି । ଭାରତର ଜଳ ସୀମାକୁ ପଶି ବେଆଇନ୍‌ ଭାବରେ ମାଛ ମାରୁଥିବା ବାଂଲାଦେଶର ୭୮ ଜଣ ମତ୍ସ୍ୟଜୀବୀଙ୍କୁ କୋଷ୍ଟ ଗାର୍ଡ ଗିରଫ କରିଛି । ଏହା ସହ ଦୁଇଟି ମାଛଧରା ଟ୍ରଲରକୁ ଜବତ କରାଯାଇଛି । ଭାରତୀୟ କୋଷ୍ଟ ଗାର୍ଡର ଜାହାଜ ବାଂଲାଦେଶୀ ଟ୍ରଲରକୁ ପିଛା କରି ଧରିଥିଲା । ଦୁଇଟି ଟ୍ରଲର ‘FB Laila-2’ ଏବଂ ‘FV Meghna-5’ ବାଂଲାଦେଶରେ ପଞ୍ଜିକୃତ ଥିବା ଜଣାପଡ଼ିଛି । ମାରିଟାଇମ ଜୋନ୍ସ ଆକ୍ଟ ୧୯୮୧ ଅନ୍ତର୍ଗତ ଟ୍ରଲର ଏବଂ ମତ୍ସ୍ୟଜୀବୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଭାରତୀୟ ତଟରକ୍ଷୀ ବାହିନୀ ଦୁଇଟି ଟ୍ରଲରକୁ ପାରାଦୀପ ବନ୍ଦରକୁ ନେଇ ଆସିଛି । ସେଠାରେ ଅଧିକ ତଦନ୍ତ ହେବ ବୋଲି ଜଣାପଡ଼ିଛି ।

ସୋମବାର ଭାରତୀୟ ଜଳ ସୀମାରେ ୭୮ ଜଣ ବାଂଲାଦେଶୀ ଚଳପ୍ରଚଳ କରୁଥିବା ତଟରକ୍ଷୀ ବାହିନୀକୁ ସୂଚନା ମିଳିଥିଲା । ଖବର ପାଇ ବାଂଲାଦେଶୀ ଟ୍ରଲର ଉପରେ ଅତର୍କିତ ଚଢ଼ାଉ କରିଥିଲା ଭାରତୀୟ ତଟରକ୍ଷୀ ବାହିନୀ । ତଟରକ୍ଷୀ ବାହିନୀ ୭୮ ବାଙ୍ଗଲାଦେଶୀଙ୍କୁ ଗିରଫ କରିଛି । ତେବେ ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି। ଏଥିପାଇଁ ଦେଶର ସମୁଦ୍ର ସୀମା  ସହିତ ପାରାଦୀପରେ ମଧ୍ୟ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏପରିକି ସନ୍ଦେହ ହେଉଥିବା ଲୋକଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରାଯାଉଛି।

ଉଲ୍ଲେଖଯୋଗ୍ୟ, ବାଂଲାଦେଶରେ ହସିନା ସରକାରଙ୍କ ପତନ ପରେ ମଧ୍ୟ ହିଂସା ଜାରି ରହିଛି । ହିନ୍ଦୁ ବିରୋଧୀ ହିଂସା ତୀବ୍ର ହେଉଛି।  ନିକଟରେ ଇସ୍କନର ପୂଜାରୀ ଚିନ୍ମୟ କ୍ରିଷ୍ଣ ଦାସଙ୍କୁ ଗିରଫ, ୨ଟି ଇସ୍କନ ମନ୍ଦିରରେ ନିଆଁ ଲଗାଇବା ପରେ ଉତ୍ତେଜନା ଆହୁରି ବଢ଼ିବାରେ ଲାଗିଛି। ସେପଟେ ଏହାର ଫାଇଦା ନେଇ ବାଂଲାଦେଶୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ।