ନୂଆଦିଲ୍ଲୀ,୨୦/୦୨: ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ  ହୋଇଥିବା ବାଣିଜ୍ୟ ଯୁଦ୍ଧ ଦିନକୁ ଦିନ ଅଧିକ  ଘନେଇ ଚାଲିଛି । ଷ୍ଟିଲ୍‌ ଏବଂ ଆଲୁମିନିୟମ ପରେ ଏବେ ଟ୍ରମ୍ପ ଅଟୋମୋବାଇଲ, ସେମିକଣ୍ଡକ୍ଟର  ଏବଂ ଔଷଧ ଆମଦାନିରେ ୨୫% କିମ୍ବା ଅଧିକ ଶୁଳ୍କ କଷିବାକୁ ଧମକ ଦେଲେଣି । ଏପ୍ରିଲ ୨ରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ବୁଧବାର  ଘୋଷଣା କରିଛନ୍ତି । ଯଦି ଏହା ହୁଏ ତେବେ ଆମେରିକାର ଔଷଧ ବଜାରରେ ବଡ଼ ଉପସ୍ଥିତି  ଥିବା ଭାରତୀୟ କମ୍ପାନିଗୁଡ଼ିକ ମୁଣ୍ଡରେ ପଡ଼ିବ  ଚଡ଼କ । କାରଣ ସେଠାକୁ ୪୭% ଔଷଧ ଯୋଗାଇଥାନ୍ତି ଭାରତୀୟ କମ୍ପାନି । ଏହି ଶୁଳ୍କ ଲାଗୁ ହେବା ଦ୍ୱାରା ଭାରତୀୟ  ଫାର୍ମା କମ୍ପାନିଙ୍କ ଖର୍ଚ୍ଚ ବଢ଼ିବା ସହ ସେମାନଙ୍କ  ଲା

ହେବ । କାରଣ ସେମାନଙ୍କ  ଉତ୍ପାଦ ଲାଗି ଆମେରିକା ଏକ ବଡ଼ ବଜାର ।  ସେଠାକାର ବଜାରରେ ଭାରତୀୟ ଫାର୍ମା କମ୍ପାନିଙ୍କ ପ୍ରତିସ୍ପର୍ଦ୍ଧା କମିବ ।  

ଭାରତୀୟ ଫାର୍ମା ଉତ୍ପାଦର ଏକ ବଡ଼  ଆମଦାନିକାରୀ ହେଲା ଆମେରିକା । ଆମେରିକାରୁ  ବୃହତ୍‌ ରାଜସ୍ୱ ହାସଲ କରିଥାନ୍ତି ଭାରତୀୟ ଔଷଧ  କମ୍ପାନି । ୨୦୨୩-୨୪ ଆର୍ଥିକବର୍ଷରେ ୟୁଏସ୍‌କୁ  ଭାରତୀୟ ଫାର୍ମା ରପ୍ତାନି ପରିମାଣ ରହିଥିଲା  ୮୭୩ କୋଟି ଡଲାର । ଆଲୋଚ୍ୟ ଆର୍ଥିକବର୍ଷରେ  ଶିଳ୍ପର ମୋଟ ରପ୍ତାନିରେ ଆମେରିକାକୁ ରପ୍ତାନି  ପରିମାଣ ପ୍ରାୟ ୩୧% ରହିଥିଲା । ଆମେରିକାରେ  ଶସ୍ତାରେ ମାନଯୁକ୍ତ ଔଷଧ ଯୋଗାଇବାରେ  ଭାରତୀୟ ଫାର୍ମା କମ୍ପାନିଗୁଡ଼ିକ ପ୍ରମୁଖ ଭୂମିକା  ଗ୍ରହଣ କରିଥାନ୍ତି । ସେଠାକାର ରୋଗୀମାନଙ୍କ  ପାଇଁ ଭାରତ ପ୍ରାୟ ୪୭% ଔଷଧ ଯୋଗାଉଛି ।  ଅର୍ଥନୀତିଜ୍ଞଙ୍କ ମତରେ, ଔଷଧ ଉପରେ ୨୫%  କିମ୍ବା ଅଧିକ ଶୁଳ୍କ ଲାଗୁ ହେବା ଦ୍ୱାରା ଭାରତ  ବଡ଼ ଆକାରରେ ପ୍ରଭାବିତ ହେବ ।  

ସନ୍‌ଫାର୍ମା, ଡକ୍ଟର ରେଡ୍ଡି, ସିପ୍‌ଲା,  ଅରୋବିନ୍ଦ ଫାର୍ମା, ବାୟୋକନ୍‌, ଲୁପିନ୍‌ ଏବଂ  ଗ୍ଲେନ୍‌ମାର୍କ ଫାର୍ମା ଭଳି ଭାରତୀୟ କମ୍ପାନିଗୁଡ଼ିକର ଆମେରିକାରେ ବଡ଼ ଉପସ୍ଥିତି ରହିଛି ।  କମ୍ପାନିଗୁଡ଼ିକର ମୋଟ ରାଜସ୍ୱରୁ ଆମେରିକାରୁ  ଆସୁଛି ୩୦ରୁ ୪୫% । ଟ୍ରମ୍ପଙ୍କ ଘୋଷଣା ପରେ ଏସବୁ କମ୍ପାନି ଏବେ ଚିନ୍ତାରେ । ଭାରତର ସୁଲଭ ଔଷଧ ଯୋଗୁ  ଆମେରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବୃହତ୍‌ ସଞ୍ଚୟ  ହେଉଛି । ଅର୍ଥନୀତିଜ୍ଞମାନଙ୍କ କହିବାନୁସାରେ,  ଯଦି ଶୁଳ୍କ ଲାଗୁ ହୁଏ ତେବେ ଆମେରିକା  ବି ବର୍ତ୍ତିବନି । ଆମେରିକୀୟଙ୍କ ପାଇଁ ଔଷଧ  ମହଙ୍ଗା ହୋଇଯିବ ଏବଂ ସେଠାରେ ମୁଦ୍ରାସ୍ଫୀତି  ମୁକାବିଲା ପ୍ରଭାବିତ ହେବ ।  ଇଣ୍ଡିଆନ୍‌ ଫାର୍ମାସ୍ୟୁଟିକାଲ  ଆଲିଆନ୍ସ(ଆଇପିଏ)ର ମହାସଚିବ ସୁଦର୍ଶନ  ଜୈନ କହିଛନ୍ତି ଯେ,ଦୁଇ ଦେଶ   ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯାଇ ଏହି  ମାମଲାର ସମାଧାନ ହେବା ଦରକାର ।  

ଫାର୍ମା ଉପରେ ଟ୍ରମ୍ପଙ୍କ ଟାରିଫ୍‌ ଘୋଷଣା ପରେ  ନିଫ୍‌ଟି ଫାର୍ମାରେ ୧୦% ହ୍ରାସ ଦେଖିବାକୁ ମିଳିଛି ।  ଔଷଧ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ବଡ଼  ଆକାରରେ ଖସିଛି । ଭାରତୀୟ ଫାର୍ମା କମ୍ପାନିଗୁଡ଼ିକ  ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ ଅନୁଧ୍ୟାନ କରୁଛନ୍ତି  ଏବଂ ସମ୍ଭାବ୍ୟ କ୍ଷତିକୁ ନିୟନ୍ତ୍ରଣ କରିବାକୁ ରଣନୀତିକୁ  ପରଖୁଥିବା ଜଣାପଡ଼ିଛି । ତେବେ ଭାରତ ଆମେରିକାକୁ ମାତ୍ର ୦.୨%  କାର ରପ୍ତାନି କରୁଥିବାରୁ ଅଟୋମୋବାଇଲ ଉପରେ  ଘୋଷଣା କରାଯାଇଥିବା ଆମଦାନି ଶୁଳ୍କର ସେଭଳି  ବଡ଼ ଧରଣର ପ୍ରଭାବ ଭାରତ ଉପରେ ପଡ଼ି ନ ପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । 

ପ୍ରକାଶଯୋଗ୍ୟ, ଯେସାକୁ ତେସା ଶୁଳ୍କ ନୀତି  ମାଧ୍ୟମରେ ଟ୍ରମ୍ପ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଉପରେ ମୋଟା  ଶୁଳ୍କ ଲଦିବାକୁ ଘୋଷଣା କରିଆସୁଛନ୍ତି । ଯିଏ ଯେତିକି  ଶୁଳ୍କ ଲଗାଇବ, ଆମେରିକା ବି ସମାନ ମାତ୍ରାରେ ଶୁଳ୍କ  କଷିବ ବୋଲି ସେ କହିଛନ୍ତି । ପୂର୍ବରୁ ଚୀନ୍‌ ଉପରେ ୧୦%ର ଅତିରିକ୍ତ ଶୁଳ୍କ ଲଦିସାରିଛି ଆମେରିକା । ଏହା  ସହିତ କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫% ଶୁଳ୍କ  ଘୋଷଣା କରି ଏହାକୁ ମାର୍ଚ୍ଚ ୪ ଯାଏ ସ୍ଥଗିତ ରଖିଛନ୍ତି  ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି  ରାଷ୍ଟ୍ରଗୁଡ଼ିକୁ ଆମେରିକାରେ ଫ୍ୟାକ୍ଟ୍ରି ଖୋଲିବା ପାଇଁ କହି  ଆସୁଛନ୍ତି । ସେ କହିଛନ୍ତି ଯେ, ଆମେରିକାରେ କାରଖାନା  ଖୋଲିଲେ ହିଁ ଶୁଳ୍କ ବାଣରୁ ରାଷ୍ଟ୍ରଗୁଡ଼ିକ ବର୍ତ୍ତିପାରିବେ ।

ଆମେରିକାରେ ବିମାନ ଦୁର୍ଘଟଣା, ୨ ମୃତ