ରାଉରକେଲା,୧୩/୦୨; ଘରୋଇ ଭାରତୀୟ ଦଳ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ରେ କ୍ରମାନ୍ୱୟରେ ଦ୍ୱିତୀୟ ମ୍ୟାଚ୍ରେ ପରାଜିତ ହୋଇଛି । ପ୍ରଥମ ମ୍ୟାଚରେ ବେଲଜିୟମଠୁ ହାରିବା ପରେ ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାଠୁ ଦଳ ୮-୦ ଗୋଲରେ ପରାଜିତ ହୋଇଛି । ୨୦୨୫-୨୬ ସିଜନରେ ଭାରତ ଘରୋଇ ଗ୍ରାଉଣ୍ଡରୁ ଅଭିଯାନ ଆରମ୍ଭ କରିଥିଲେ ବି ଏ ପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ପଏଣ୍ଟ ଖାତା ଖୋଲିପାରି ନାହିଁ । ଥୋମାସ ଡୋମେନ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
ଭାରତ-ଆର୍ଜେଣ୍ଟିନା ମ୍ୟାଚ ସଂପୂର୍ଣ୍ଣ ଏକତରଫା ରହିଥିଲା । ଆର୍ଜେଣ୍ଟିନ ପ୍ରଥମ କ୍ୱାର୍ଟରରେ ୧୪ ଓ ୧୫ ମିନିଟରେ ୨ଟି ଗୋଲ୍ ଦେଇଥିଲା । ଦ୍ୱିତୀୟ କ୍ୱାର୍ଟରରେ ଦଳ ଗୋଲ ବର୍ଷା କରିଥିଲା । ୨୦, ୨୨, ୨୫, ୨୬ ଓ ୩୦ ମିନିଟରେ ୫ଟି ଗୋଲ୍ ଦେଇ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୭-୦ ଗୋଲରେ ଅଗ୍ରଣୀ ହୋଇଥିଲା । ତୃତୀୟ କ୍ୱାର୍ଟର ଖେଳ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା । ଘରୋଇ ଦଳ ପ୍ରତ୍ୟାବର୍ତ୍ତନ କରିବା ନେଇ ଜୋରଦାର ପ୍ରୟାସ କରିଥିଲା । କିନ୍ତୁ ସଫଳ ହୋଇ ନଥିଲା । ଆର୍ଜେଣ୍ଟିନାକୁ ମଧ୍ୟ ଗୋଲ ସୁଯୋଗ ମିଳିନଥିଲା । ତେଣୁ ଏହି ଭାଗ ଗୋଲ ଶୂନ୍ୟ ରହିଥିଲା ।
ଅନ୍ତିମ କ୍ୱାର୍ଟରରେ ମଧ୍ୟ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଭାରତ ପ୍ରୟାସ କରି ଗୋଟିଏ ବି ଗୋଲ ପରିଶୋଧ କରିପାରି ନଥିଲା । ବରଂ ଶେଷ ମିନିଟ୍ରେ (୬୦ ମିନିଟ) ଆର୍ଜେଣ୍ଟିଆ ଆଉ ଏକ ଗୋଲ ଦେବାରେ ସଫଳ ରହିଥିଲା । ଶେଷରେ ଦଳ ୮-୦ ଗୋଲରେ ବିଜୟୀ ହୋଇଥିଲା । ଥୋମାସ ଡୋମେନ ୧୫,୨୦, ୨୬ ଓ ୬୦ ମିନିଟରେ ୪ଟି ଗୋଲ୍ ସ୍କୋର କରିଥିଲେ । ଆଜି ଆର୍ଜେଣ୍ଟିନା ଓ ବେଲଜିୟମ ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ଖେଳାଯିବ । ପୁଣି ଭାରତ ଦ୍ୱିତୀୟ ରାଉଣ୍ଡରେ ବେଲଜିୟମକୁ ୧୪ ଓ ୧୫ରେ ଆର୍ଜେଣ୍ଟିନାକୁ ଭେଟିବ ।