ଭାରତୀୟଙ୍କ ଋଣ ଦୁଇ ଗୁଣ

ନୂଆଦିଲ୍ଲୀ,୨୮ା୧(ଏଜେନ୍ସି):୨୦୧୬-୧୭ ତୁଳନାରେ ୨୦୧୭-୧୮ରେ ଭାରତୀୟଙ୍କ ପାରିବାରିକ ଋଣ ପରିମାଣ ଦ୍ୱିଗୁଣିତ ହୋଇଛି । ସମ୍ପ୍ରତି ବ୍ୟାଙ୍କଗୁଡିକ ରିଟେଲ ଋଣ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ତା’ସହିତ ଏକାଧିକ କ୍ରେଡିଟ୍ କାର୍ଡ ବ୍ୟବହାର ଯୋଗୁ ଭାରତୀୟଙ୍କ ଆର୍ଥିକ ବୋଝ ବଢ଼ୁଥିବା ଏକ ରିପୋର୍ଟରୁ ଜଣାଯାଇଛି ।୨୦୧୬-୧୭ରେ ଭାରତୀୟମାନେ ୩.୭୫ ଲକ୍ଷ କୋଟି ଟଙ୍କାର ରିଟେଲ ଋଣ ନେଇଥିବାବେଳେ ୨୦୧୭-୧୮ରେ ଏହା ୬.୭୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏ କ୍ଷେତ୍ରରେ ୧.୮ ଗୁଣ ଅଭିବୃଦ୍ଧି ଘଟିଛି । ତେବେ ଗତ ୫ ବର୍ଷରେ ଏ କ୍ଷେତ୍ରରେ ବାର୍ଷିକ ହାରାହାରି ଅଭିବୃଦ୍ଧି ୧୩%ରୁ ଅଧିକ ରହିଥିବା ଜଣାଯାଇଛି ।
ରିପୋର୍ଟ ଅନୁସାରେ, ୨୦୧୩-୧୪ରେ ଭାରତୀୟଙ୍କ ପାରିବାରିକ ଋଣ ୩.୫୯ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୧୪-୧୫ରେ ଏହା ୩.୭୭ ଲକ୍ଷ କୋଟି, ୨୦୧୫-୧୬ରେ ୩.୯୧ ଲକ୍ଷ କୋଟି, ୨୦୧୬-୧୭ରେ ୩.୭୫ ଲକ୍ଷ କୋଟି ଏବଂ ୨୦୧୭-୧୮ରେ ୬.୭୪ ଲକ୍ଷ କୋଟି ଟଙ୍କା ଥିଲା ।
ଭାରତୀୟଙ୍କ ପାରିବାରିକ ଋଣ ପରିମାଣ ବଢ଼ିଛି ସତ କିନ୍ତୁ ଅନ୍ୟାନ୍ୟ ବିକାଶମୁଖୀ ରାଷ୍ଟ୍ରଗୁଡିକ ତୁଳନାରେ ଏହା ଅଧିକ ନାହିଁ । ଭାରତରେ ଏହା ୧୧.୨% ରହିଥିବାବେଳେ ଚୀନ୍ରେ ୫୦.୩%, ରୁଷିଆରେ ୧୬.୫%, ଦକ୍ଷିଣ ଆଫ୍ରିକାରେ ୩୩% ଓ ବ୍ରାଜିଲରେ ୨୬.୭% ରହିଛି ।
ଋଣ ଅଭିବୃଦ୍ଧି ଦୃଶ୍ୟପଟ୍ଟ ଖାଉଟି ଉô ପାଦ ଋଣ: ୨୦୧୮-୧୯ରେ ଖାଉଟି ଉôପାଦ ଋଣ କମିିଛି । ଏହି କ୍ଷେତ୍ରରେ ଠକେଇ ମାତ୍ରା ଅଧିକ ରହୁଥିବାରୁ ବ୍ୟାଙ୍କଗୁଡିକ ଋଣ ଦେବାକୁ ପଛଘୂଞ୍ଚା ଦେଉଥିବା ଜଣାଯାଇଛି ।
କ୍ରେଡିଟ୍ କାର୍ଡ: ଏକାଧିକ କ୍ରେଡିଟ୍ କାର୍ଡ ବ୍ୟବହାର ଯୋଗୁ ୨୦୧୮-୧୯ରେ ଭାରତୀୟଙ୍କ ଆର୍ଥିକ ବୋଝ ବଢ଼ିଛି ।ଯାନ ଋଣ: ବର୍ଦ୍ଧିତ ସୁଧ ହାର, ଏନ୍ବିଏଫ୍ସି ସଙ୍କଟ ଏବଂ ପୂଜା ଋତୁରେ ଯାନ ବିକ୍ରି କମିବା ଫଳରେ ୨୦୧୮-୧୯ରେ ଯାନ ଋଣ ଅଭିବୃଦ୍ଧି ପ୍ରଭାବିତ ହୋଇଛି ।
ଗୃହ ଋଣ: ଗୃହ ଋଣ ଅଭିବୃଦ୍ଧି ଚଳନୀୟ ରହିଛି । ଅନ୍ୟପକ୍ଷରେ, ବର୍ଦ୍ଧିତ ସୁଧ ହାର କ୍ରେତାଙ୍କ କ୍ରୟ ମନୋଭାବକୁ ପ୍ରଭାବିତ କରିଛି ।
ଶିକ୍ଷା ଋଣ: ଅଧିକ ଋଣ ଖିଲାପି ଯୋଗୁ ଶିକ୍ଷା କ୍ଷେତ୍ରକୁ ଋଣ ଦେବା ପାଇଁ ବ୍ୟାଙ୍କଗୁଡିକ ପଛଘୂଞ୍ଚା ଦେଇଛନ୍ତି ।
ବ୍ୟକ୍ତିଗତ ଋଣ: ବ୍ୟକ୍ତିଗତ ଋଣ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଭ୍ରମଣ ଯୋଜନା, ବିବାହ ଏବଂ ଋଣ ପରିଶୋଧ ପାଇଁ ଭାରତୀୟମାନେ ଏହି ଋଣ ନେଇଛନ୍ତି ।