ନ୍ୟୁଫାଉଣ୍ଡଲ୍ୟାଣ୍ଡ: କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡରେ ଥିବା ଡିୟର ଲେକ ନିକଟରେ ଜୁଲାଇ ୨୬ ତାରିଖ ସନ୍ଧ୍ୟାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଭାରତୀୟ ନାଗରିକ ଗୌତମ ସନ୍ତୋଷଙ୍କ ମୃତ୍ୟୁ ହୋଇଛି ବୋଲି ଟୋରୋଣ୍ଟୋରେ ଥିବା ଭାରତୀୟ କନ୍ସୁଲେଟ ଜେନେରାଲ ମଙ୍ଗଳବାର ଦିନ ନିଶ୍ଚିତ କରିଛନ୍ତି। ଗୌତମ ସନ୍ତୋଷ କେରଳର ବାସିନ୍ଦା ଥିଲେ ଏବଂ ବ୍ରିଟିଶ କଲମ୍ବିଆର ଡେଲ୍ଟା ସ୍ଥିତ କିସିକ ଏୟାରିଆଲ ସର୍ଭେ ଇନ୍କର୍ପୋରେଟେଡରେ କାର୍ଯ୍ୟ କରୁଥିଲେ।
ଏହି ଦୁର୍ଘଟଣାରେ ବ୍ୟବହୃତ ବିମାନଟି ଥିଲା ଏକ ପାଇପର ନାଭାଜୋ ଟ୍ୱିନ-ଇଞ୍ଜିନ ବିମାନ। ଯାହା ଅଧିକତମ ଆଠ ଜଣ ଯାତ୍ରୀ ବହନ କରିପାରେ। ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସ (RCMP) ଅନୁଯାୟୀ, ବିମାନରେ ଦୁଇଜଣ ଥିଲେ - ଜଣେ ୫୪ ବର୍ଷୀୟ ପାଇଲଟ ଏବଂ ଜଣେ ୨୭ ବର୍ଷୀୟ ଯାତ୍ରୀ। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଡିୟର ଲେକ ଏୟାରପୋର୍ଟ ନିକଟସ୍ଥ ଟ୍ରାନ୍ସ-କାନାଡା ହାଇୱେ କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା। ଯାହା ଦ୍ୱାରା ଜରୁରୀକାଳୀନ ସେବା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ପାଇଁ ବିଳମ୍ୱ ହୋଇଥିଲା।
କିସିକ ଏୟାରିଆଲ ସର୍ଭେର ମାଲିକ ଆଣ୍ଡ୍ରୁ ନେସମିଥ ଏକ ବିବୃତିରେ କହିଛନ୍ତି, "ଆମେ ଏହି କ୍ଷତିରେ ମର୍ମାହତ ଓ ଦୁଃଖୀ। ଆମର ସମବେଦନା ମୃତକଙ୍କ ପରିବାର ଓ ପ୍ରିୟଜନଙ୍କ ପାଇଁ ରହିଛି।" ସେ ଆହୁରି ମଧ୍ୟ କହିଛନ୍ତି ଯେ କମ୍ପାନୀ ସମସ୍ତ ପ୍ରକାର ସହାୟତା ଯୋଗାଇବ। ନେସମିଥ ତୁରନ୍ତ ମୃତକଙ୍କ ନାମ ପ୍ରକାଶ କରିବାକୁ ମନା କରିଥିଲେ, ଏବଂ କହିଥିଲେ ଯେ ଏହି ସୂଚନା ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯିବ।
ଟୋରୋଣ୍ଟୋରେ ଥିବା ଭାରତୀୟ କନ୍ସୁଲେଟ ଜେନେରାଲ ଏକ ଏକ୍ସ ପୋଷ୍ଟରେ କହିଛନ୍ତି, "ଆମେ ଗୌତମ ସନ୍ତୋଷଙ୍କ ଦୁଃଖଦ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରୁଛୁ। ଆମେ ତାଙ୍କ ପରିବାରଙ୍କ ସହ ସମବେଦନା ଜଣାଉଛୁ ଏବଂ ସମସ୍ତ ଆବଶ୍ୟକୀୟ ସହାୟତା ଓ ସମର୍ଥନ ଯୋଗାଇବା ପାଇଁ ପରିବାର ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିକଟ ସମ୍ପର୍କରେ ରହିଛୁ।"
ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ କାନାଡାର ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡ (TSB) ତଦନ୍ତ ଆରମ୍ଭ କରିଛି। TSB ତଦନ୍ତକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୂଚନା ସଂଗ୍ରହ କରୁଛନ୍ତି। ଡିୟର ଲେକର ମେୟର ମାଇକ ଗୁସ୍ନୀ କହିଛନ୍ତି, "ଏପରି ଦୁର୍ଘଟଣା ବିରଳ ଏବଂ ଏହା ସହର ବାହାରେ ଘଟିଛି।"
ଏହା ଜୁଲାଇ ମାସରେ କାନାଡାରେ ଦ୍ୱିତୀୟ ଏପରି ଘଟଣା। ଯେଉଁଥିରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଜୁଲାଇ ୮ ତାରିଖରେ ମାନିଟୋବା ପ୍ରାନ୍ତରେ ଦୁଇଟି ବିମାନ ମଧ୍ୟ ଆକାଶରେ ଧକ୍କା ହେବା ଫଳରେ ଜଣେ କେରଳର ଛାତ୍ର ପାଇଲଟ ଶ୍ରୀହରୀ ସୁକେଶଙ୍କ ମୃତ୍ୟୁ ହୋଇଥିଲା।