ନୂଆଦିଲ୍ଲୀ: ଆସାମର କୋଇଲା ଖଣିରେ ଫସି ରହିଥିବା ସମସ୍ତ ଶ୍ରମିକ ମାନଙ୍କୁ ଉଦ୍ଧାର କରିବାକୁ ଅଣ୍ଟା ଭିଡିଛି ଭାରତୀୟ ନୈସେନା। ଆସାମର ଦିମା ହସାଓ ଜିଲ୍ଲାରେ ଥିବା ଏକ କୋଇଲା ଖଣିରେ ସୋମବାର ସଂନ୍ଧ୍ୟାରେ ପାଣି ଧସେଇ ପଶିଥିଲା। ଭୂପୃଷ୍ଟଠୁ ପାଖାପାଖି ୧୦୦ ମିଟର ତଳେ ଫସି ରହିଥିବା ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ନୈସେନାର ବୁଡାଳି ଦଳ ଘଟଣାସ୍ଥଳରେ ଆସି ପହଞ୍ଚିଛନ୍ତି।

ବିଶାଖାପଟ୍ଟନମରୁ ନୈସେନାର ଏକ ୩୦ ଜଣିଆ ବୁଡାଳି ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି। ପୂର୍ବରୁ ଏହି ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଦଳ ନିୟୋଜିତ ରହିଥିଲେ। 

ସୁଚନା ମୁତାବକ, ସୋମବାର ଆସାମର ଦୀମା ହସାଓ ଜିଲ୍ଲାର ଏକ କୋଇଲା ଖଣିରେ ହଠାତ୍ ପାଣି ଧସେଇ ପଶିଥିଲା। ସେତେବେଳେ ଖଣିରେ କୋଇଲା ସଂଗ୍ରହ କାର୍ଯ୍ୟ ଚାଲୁଥିବାରୁ ଖଣିରେ ୯ ଜଣ ଶ୍ରମିକ ଫସି ରହିଛନ୍ତି ବୋଲି ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣା ଦିମା ହସାଓ ଜିଲ୍ଲାର ଉମରଙ୍ଗସୁର ଠୁ ୩ କିଲୋମିଟର ଦୁରରେ ଥିବା ଆସାମ କୋଇଲା ଖଣିରେ ହୋଇଛି ବୋଲି ସୁଚନା ମିଳିଛି। 

ଏହି କୋଇଲା ଖଣି ବେଆଇନ ଭାବେ କାର୍ଯ୍ୟ କରୁଥିଲା ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। ତେବେ ଏହି ଘଟଣାର ଅନୁସନ୍ଧାନ ପାଇଁ ୧୯୫୭ ମସିହାର ଖଣି ଏବଂ ଖଣିଜ ପଦାର୍ଥ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ହାତ ଥିବା ନେଇ ପୁନିଶ ନୁନିଶା ନାମକ ଜଣେ ବ୍ୟକ୍ତିଙ୍କୁ ଆସାମ ପୋଲିସ ଗିରଫ କରିଛି ବୋଲି ସୁଚନା ମିଳିଛି। 

ଏହି ଘଟଣାରେ ପ୍ରାରମ୍ଭିକ ସ୍ତରରେ ଖାଦାନରେ ୧୫ ଜଣ ଶ୍ରମିକ ଫସି ରହିଥିବା ନେଇ ଖବର ମିଳିଥିଲା। ତେବେ ପରେ ମୋଟ ୯ ଜଣ ଶ୍ରମିକ ଭିତରେ ଫସି ରହିଥିବା ନେଇ ସୁଚନା ମିଳିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଖଣି ମଧ୍ୟକୁ ପାଣି ବିନା ସୂଚନାରେ ହଠାତ୍ ଏତେ ଜୋରରେ ଧସେଇ ପଶିଥିଲା ଯେ ଶ୍ରମିକମାନଙ୍କୁ ଖଣିରୁ ବାହାରକୁ ବାହାରିବାକୁ ବି ସମୟ ମିଳି ନଥିଲା।