ନୂଆଦିଲ୍ଳୀ,୨୫।୧: କାନାଡାର ବର୍ନାବିରେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗୁଳି କରି ହତ୍ୟା। ପୁଲିସ ସନ୍ଦେହ କରୁଛି ଯେ ହତ୍ୟାକାଣ୍ଡଟି ଗ୍ୟାଙ୍ଗୱାର ସହିତ ଜଡିତ ହୋଇପାରେ। ମୃତକଙ୍କ ନାମ ୨୮ ବର୍ଷୀୟ ଦିଲରାଜ ସିଂହ ଗିଲ୍ ଏବଂ ସେ ଭାନକୁଭରର ବାସିନ୍ଦା ବୋଲି ଜଣାପଡିଛି। ବର୍ନାବି ପୁଲିସ ଅନୁଯାୟୀ, ଏହି ଘଟଣା ୨୨ ଜାନୁଆରୀ ୨୦୨୬ ରେ ସନ୍ଧ୍ୟା ପ୍ରାୟ ୫:୩୦ ସମୟରେ ଘଟିଥିଲା। କାନାଡା ୱେର ୩୭୦୦ ବ୍ଲକ ନିକଟରେ ଗୁଳିକାଣ୍ଡ ଖବର ପାଇ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜଣେ ଯୁବକ ଗୁରୁତର ଅବସ୍ଥାରେ ମିଳିଥିଲା। ପୁଲିସ ଏବଂ ଡାକ୍ତରୀ ଦଳ ତାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଣାର କିଛି ସମୟ ପରେ, ପୋଲିସ ବକ୍ସଟନ୍ ଷ୍ଟ୍ରିଟର ୫୦୦୦ ବ୍ଲକରେ ଏକ ଜଳିଯାଇଥିବା କାର ପାଇଲା। ତଦନ୍ତରୁ ଜଣାପଡିଛି ଯେ ଏହି କାରଟି ଏହି ହତ୍ୟାକାଣ୍ଡ ସହିତ ଜଡିତ। ପୁଲିସ କାରଟି କିପରି ବ୍ୟବହାର କରାଯାଇଥିଲା ଏବଂ କିଏ ଏଥିରେ ସାମିଲ ଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି।
ଇଣ୍ଟିଗ୍ରେଡେଟ୍ ହୋମିସାଇଡ୍ ଇନଭେଷ୍ଟିଗେସନ୍ ଟିମ୍ (IHIT) ବର୍ତ୍ତମାନ ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି। ପୋଲିସ କହିଛି ଯେ ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ଏହି ମାମଲା ବ୍ରିଟିଶ୍ କଲମ୍ବିଆରେ ଚାଲିଥିବା ଗ୍ୟାଙ୍ଗୱାର ସହିତ ଜଡିତ। ବର୍ନାବି ଆରସିଏମ୍ପି, ଫୋରେନସିକ୍ ଟିମ୍(IFIS), ଏବଂ ବିସି କରୋନର୍ସ ସର୍ଭିସ ମିଶିକି ପ୍ରମାଣ ସଂଗ୍ରହ ପାଇଁ ଏକାଠି କାମ କରୁଛନ୍ତି।
କାନାଡାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲରାଜ ସିଂହ ଗିଲଙ୍କ ହତ୍ୟା ୨୮ ବର୍ଷୀୟ ଇଣ୍ଡୋ-କାନାଡିଆନ୍ ଯୁବକ ନବପ୍ରୀତ ଧାଲିୱାଲଙ୍କ ହତ୍ୟା ସହିତ କନେକ୍ସନ ଥାଇପାରେ। ଏହି ମାସ ଆରମ୍ଭରେ ନବପ୍ରୀତ ଧାଲିୱାଲଙ୍କୁ ଆବଟସଫୋର୍ଡରେ ଗୁଳି କରି ହତ୍ୟା କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ୁଛି ଯେ ଧାଲିୱାଲ ବ୍ରଦର୍ସ କିପର୍ସ ଗ୍ୟାଙ୍ଗର ଥିଲେ, ଯାହାକୁ ୟୁଏନ୍ ଗ୍ୟାଙ୍ଗର ପ୍ରତିଦ୍ୱନ୍ଦ୍ୱୀ ବୋଲି ବିଶ୍ୱାସ କରାଯାଏ, ଯାହା ସହିତ ଦିଲରାଜ ସିଂହ ଗିଲ ସମ୍ପୃକ୍ତ ଥାଇପାରନ୍ତି।
ଆହୁରି ପଢନ୍ତୁ: ଟ୍ରମ୍ପଙ୍କ ଧମକ ପରେ ବଙ୍କର ଭିତରେ ଅଣ୍ଡରଗ୍ରାଉଣ୍ଡ ହେଲେ ଇରାନର ସୁପ୍ରିମ ଲିଡର, ପୁଅକୁ ହସ୍ତାନ୍ତର କଲେ ଦାୟିତ୍ୱ