ନୂଆଦିଲ୍ଲୀ,୨୫।୧: ଇରାନ ଓ ଆମେରିକା ଭିତରେ ବିବାଦ ଏବେ ଚରମ ସୀମାରେ ପହଁଞ୍ଚିଛି। ଏହା ଭିତରେ ଖବର ଆସିଛି ଯେ,ଇରାନର ସୁରକ୍ଷା ଅଧିକାରୀଙ୍କ ଦ୍ବାରା ଆମେରିକାର ସମ୍ଭାବିତ ଆକ୍ରମଣ ବିପଦକୁ ଧ୍ୟାନରେ ରଖି ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନି ତେହରାନରେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି। ସେ କୌଣସି ବଙ୍କରରେ ଲୁଚି ରହିଛନ୍ତି। ଇରାନ ଇଣ୍ଟରନ୍ୟାସନାଲର ସୂଚନା ଅନୁସାରେ,ଖାମେନୀଙ୍କୁ ଏଭଳି ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି,ଯେଉଁଠି ଆଖପାଖରେ ସୁଡଙ୍ଗ ଓ ଅତ୍ୟାଧୁନିକ ସୁରକ୍ଷା ଉପକରଣ ରହିଛି। ଖାମେନି ଅଣ୍ଡରଗ୍ରାଉଣ୍ଡ ହୋଇଥିବା ବେଳେ ତାଙ୍କର ତୃତୀୟ ପୁଅ ମାସୁଦ ଖାମେନିଙ୍କୁ କାର୍ଯ୍ୟଭାର ପ୍ରଦାନ କରିଛନ୍ତି। ୫୩ ବର୍ଷୀୟ ମାସୁଦ ଖାମେନି ଅସ୍ଥାୟୀ ଭାବରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ସେ ଏବେ ସରକାରଙ୍କ ସହ ସଞ୍ଚାର ମୁଖ୍ୟର ମାଧ୍ୟମ ହୋଇଛନ୍ତି।
ଏହା ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ,ମିଡିଲ ଇଷ୍ଟ ଆଡକୁ ଓ୍ବାରସିପ୍ ପଠାଉଛନ୍ତି। ଟ୍ରମ୍ପ ଏହାକୁ ଇରାନ ପାଇଁ କଡା ଚେତାବନୀ ବୋଲି କହିଥିଲେ। ଏହା ସହ କହିଥିଲେ ଆମେରିକା ନୌସେନାର ବହୁପରିମାଣର ସୈନିକ ମଧ୍ୟ ପହଁଞ୍ଚୁଛନ୍ତି। ସେଭଳି ଆବ୍ରାହମ୍ ଲିଙ୍କନ ଷ୍ଟ୍ରାଇକ୍ ଗ୍ରୁପ୍ରେ ତିନୋଟି ଯୁଦ୍ଧଜାହଜ ରହିଛି। ଏହି ଗ୍ରୁପ୍ ଭାରତ ମହାସାଗରରୁ ବାହାରି ଫାରସର ଖାଡି ଦେଶ ଆଡକୁ ବଢୁଛି।
ତେବେ ସାର୍ବଜନୀକ ଭାବରେ ଆମେରିକା ଆଗରେ ମୁଣ୍ଡ ନୁଆଁଇବା ନେଇ ଇରାନ କୌଣସି ସଙ୍କେତ ଦେଇ ନାହିଁ। ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିୟାନ ଚେତାବନୀ ଦେଇଛନ୍ତି ଯେ, ସର୍ବୋଚ୍ଚ ନେତାଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ ହେଲେ ପୁରା ଦେଶ ବିରୋଧରେ ଯୁଦ୍ଧ ବୋଲି ମନେକରାଯିବ। ସେପଟେ ଇରାନ ସଂସଦର ନ୍ୟାସନାଲ ସିକ୍ୟୁରିଟି କମିଟି ଚେତାବନୀ ଦେଇଛି ଯେ,ଖାମେନିଙ୍କ ଉପରେ ଆକ୍ରମଣ ହେବାର ସ୍ଥିତିରେ ଜିହାଦର ଘୋଷଣା କରାଯିବ। ଖାମେନି ସାଧାରଣତଃ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି, କିନ୍ତୁ ୧୭ ଜାନୁଆରୀ ପରେ ସେ ‘ଏକ୍ସ’ ରେ କୌଣସି ପୋଷ୍ଟ କରି ନାହାନ୍ତି। ଏହା ସ୍ପଷ୍ଟ ହୋଇନି ଯେ,ସେ କେଉଁ ତାରିଖରୁ ବଙ୍କରରେ ଅଛନ୍ତି। ଏହା ପୂର୍ବରୁ ମଧ୍ୟ ଜୁନ୍ରେ ଇସ୍ରାଏଲ ସହିତ ହୋଇଥିବା ୧୨ ଦିନ ଯୁଦ୍ଧ ବେଳେ ଖାମେନି ଅଣ୍ଡରଗ୍ରାଉଣ୍ଡ ହୋଇଥିଲେ।ସେତେବେଳେ ସେ ନିଜ ମୃତ୍ୟୁର ଆଶଙ୍କାକୁ ଦେଖି ସମ୍ଭାବିତ ଉତ୍ତରାଧିକାରୀଙ୍କ ଲିଷ୍ଟ ମଧ୍ୟ ତିଆରି କରିଥିଲେ।
ଆହୁରି ପଢନ୍ତୁ :ସହିଦ ଯବାନ ରିଙ୍ଖିଲଙ୍କ ସରିଲା ଶେଷକୃତ୍ୟ, ବର୍ଷକର ପୁଅ ମୁଖାଗ୍ନୀ ଦେବାର ଦେଖି କାନ୍ଦି ପକାଇଲେ ଜିଲ୍ଲାପାଳ