ବିଶାଖାପଟ୍ଟନମ୍,୨୪/୦୩: ଚଳିତ ଆଇପିଏଲ୍ର ଚତୁର୍ଥ ଲିଗ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପରସ୍ପରକୁ ଭେଟିବେ। ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ରିଷଭ ପନ୍ତ ଓ କେଏଲ୍ ରାହୁଲଙ୍କ ଉପରେ ରହିବ । ଉଭୟ ନିଜ ନିଜର ପୂର୍ବ ଦଳ ବିପକ୍ଷରେ ନୂଆ ସିଜନ ଆରମ୍ଭ କରିବେ । ଦିଲ୍ଲୀ କ୍ୟାପିଟାଲ୍ସର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ବିଶାଖାପଟ୍ଟନମରେ ଏହି ମ୍ୟାଚ୍ ଖେଳାଯିବ ।
ପନ୍ତ ୨୦୧୬ରେ ଆଇପିଏଲ୍ ପଦାର୍ପଣ କରିଥିଲେ । ସେବେଠୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ଳର ସଦସ୍ୟ ଥିଲେ । ୨୦୨୨ ସିଜନରୁ ସେ କ୍ୟାପିଟାଲ୍ସ ଦଳର ଅଧିନାୟକ ଭାବେ କାର୍ଯ୍ୟ କରିଥିଲେ । ଗତ ନିଲାମ ପୂର୍ବରୁ କ୍ୟାପିଟାଲ୍ସ ତାଙ୍କୁ ବିଦାୟ ଦେଇଥିଲା । ଏଥର ସୁପରଜାଏଣ୍ଟ୍ସ ତାଙ୍କୁ ସର୍ବାଧିକ ଦାମରେ କିଣିଛି ଓ ନେତୃତ୍ୱ ଭାର ପ୍ରଦାନ କରିଛି ।
ଠିକ୍ ସେହିପରି ରାହୁଲ ଗତ ୩ଟି ସିଜନ ଧରି ସୁପରଜାଏଣ୍ଟ୍ସ ଦଳର ଅଧିନାୟକ ରହିଥିଲେ । ଗତ ସିଜନରେ ଦଳ ପ୍ଲେ-ଅଫକୁ ପ୍ରବେଶ କରିନପାରିବାରୁ ଟିମ ମାଲିକ ସଞ୍ଜୀବ ଗୋଏଙ୍କା ଗ୍ରାଉଣ୍ଡ ଭିତରେ ରାହୁଲଙ୍କୁ ଗାଳି କରିଥିଲେ । ଏଥର ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସଦସ୍ୟ ।
ଇଶାନଙ୍କ ବିସ୍ଫୋରକ ଶତକ; ବିଜୟ ସହିତ ଆଇପିଏଲ୍ ୨୦୨୫ର ଆରମ୍ଭ କଲା ସନରାଇଜର୍ସ ହାଇଦ୍ରାବାଦ
ମେଗା ନିଲାମ ପରେ ଉଭୟ ଦଳ ବେଶ୍ ଶକ୍ତିଶାଳୀ ମନେ ହେଉଛନ୍ତି । ସୁପରଜାଏଣ୍ଟ୍ସ ଦଳର ବୋଲିଂ ବିଭାଗ ସାମାନ୍ୟ ଅସନ୍ତୁଳିତ ମନେ ହେଉଥିଲେ ହେଁ ବ୍ୟାଟିଂ ବିଭାଗ ବେଶ୍ ଶକ୍ତିଶାଳୀ । ୩ଜଣ ପେସ୍ ବୋଲର ମୟଙ୍କ ଯାଦବ, ଆକାଶ ଦୀପ ଓ ଅଭେଶ ଖାନ ସମ୍ପ୍ରତି ଆହତ ଅଛନ୍ତି । ଫଳରେ ଅନଭିଜ୍ଞ ଘରୋଇ ବୋଲରଙ୍କୁ ନେଇ ସୁପରଜାଏଣ୍ଟ୍ସ ଗ୍ରାଉଣ୍ଡକୁ ଓହ୍ଲାଇବ । ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସବୁ ଖେଳାଳି ଫିଟ୍ ଅଛନ୍ତି । ସବୁ ସ୍ଥାନ ପାଇଁ ବିକଳ୍ପ ମହଜୁଦ ରହିଛି ।
ମୋଟ ଉପରେ ଦେଖିବାକୁ ଗଲେ ଆଜି ସୁପରଜାଏଣ୍ଟ୍ସ ବ୍ୟାଟିଂ ବିଭାଗ ଓ କ୍ୟାପିଟାଲ୍ସ ବୋଲରଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ । ମିଚେଲ ଷ୍ଟାର୍କ, ଟି ନଟରାଜନ, ମୁକେଶ କୁମାର, କୁଲଦୀପ ଯାଦବ, ମୋହିତ ଶର୍ମା ଓ ଅକ୍ଷର ପଟେଲ୍ କ୍ୟାପିଟାଲ୍ସର ବୋଲିଂ ବିଭାଗ ସମ୍ଭାଳିବେ ।
ସେହିପରି ସୁପରଜାଏଣ୍ଟ୍ସ ନିକଟରେ ମିଚେଲ ମାର୍ଶ, ପନ୍ତ, ନିକୋଲାସ ପୂରନ, ଆୟୂଷ ବାଦୋନି ଓ ଡେଭିଡ ମିଲରଙ୍କ ଭଳି ବ୍ୟାଟର ରହିଛନ୍ତି । ବିଶାଖାପଟ୍ଟନମ୍ ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ରହିବ । ଗତ ସିଜନରେ କୋଲକାତା ନାଇଟ ରାଇଡର୍ସ ଏହି ଗ୍ରାଉଣ୍ଡରେ ୨୭୨ ରନ ସଂଗ୍ରହ କରିଥିଲା । ରାତ୍ରିରେ ମ୍ୟାଚ୍ ଖେଳାଯାଉଥିବାରୁ ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ ସହଜ ହେବ । ଫଳରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।
-: ସମ୍ଭାବ୍ୟ ଦ୍ୱାଦଶ :-
ଦିଲ୍ଲୀ କ୍ୟାପିଟାଲ୍ସ: ଜେକ ଫ୍ରେଜର-ମ୍ୟାକଗର୍କ, ଫାଫ ଡୁ ପ୍ଲେସି, ଅଭିଷେକ ପୋରେଲ, କେଏଲ୍ ରାହୁଲ, ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ (ଅଧିନାୟକ), ଆଶୁତୋଷ ଶର୍ମା, ସମୀର ରିଜଭୀ/ମୋହିତ ଶର୍ମା, କୁଲଦୀପ ଯାଦବ, ମିଚେଲ ଷ୍ଟାର୍କ, ଟି ନଟରାଜନ, ମୁକେଶ କୁମାର ।
ସୁପରଜାଏଣ୍ଟ୍ସ: ଯୁବରାଜ ଚୌଧୁରୀ, ମିଚେଲ ମାର୍ଶ, ରିଷଭ ପନ୍ତ (ଅଧିନାୟକ), ନିକୋଲାସ ପୂରନ, ଆୟୂଷ ବାଦୋନି, ଡେଭିଡ୍ ମିଲର, ଅବଦୁଲ ସମଦ, ସାହବାଜ ଅହମ୍ମଦ, ରାଜବର୍ଦ୍ଧନ ହଙ୍ଗରଗେକର, ରବି ବିଷ୍ଣୋଇ, ସମର ଜୋଶେଫ, ପ୍ରିନ୍ସ ଯାଦବ/ସର୍ଦୁଲ ଠାକୁର।
ବାଜି ମାରିନେଲା ଚେନ୍ନାଇ ସୁପର କିଙ୍ଗ୍ସସ୍; ପ୍ରଥମ ମ୍ୟାଚ୍ ହାରିଲା ମୁମ୍ୱାଇ ଇଣ୍ଡିଆନ୍ସ