ଭୁବନେଶ୍ୱର,୦୫/୦୬:  ନିଜେ ଯାତ୍ରା ନକରି ଅନ୍ୟ ନାମରେ ଟିକଟ ବୁକିଂ କରୁଥିବା ଜାଲ ଟିକଟ ବ୍ୟବସାୟୀଙ୍କୁ ଶକ୍ତ ଧକ୍କା । ଏଣିକି ତତ୍କାଳ ଟିକଟରେ  ଇ-ଆଧାର ବାଧ୍ୟତାମୂଳକ । ତତ୍କାଳ ଟିକଟ କରିବା ବେଳେ ଇ-ଆଧାର  ଅଥେଣ୍ଟିକେସନ୍‌ କରିବାକୁ ପଡ଼ିବ । ଯାହା  ଜରୁରୀ ଆବଶ୍ୟକତା ସମୟରେ ପ୍ରକୃତ  ଯାତ୍ରୀମାନଙ୍କୁ ବିଶେଷ ଭାବେ ସହାୟକ  ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଏ ନେଇ  ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ଉଲ୍ଲେଖ  କରିଛନ୍ତି ।  




ସେହିପରି ଏଆଇ-ଚାଳିତ ବଟ୍‌  ମିଟିଗେସନ୍‌ ପ୍ରକୃତ ଟିକେଟ୍‌ ବୁକିଂକୁ ବୃଦ୍ଧି  କରି ୨.୫ କୋଟି ସନ୍ଦିଗ୍ଧ ଉପଭୋକ୍ତାଙ୍କ  ଆଇଡି ନିଷ୍କ୍ରିୟ କରିଛି। ଗତ ମେ ୨୨ରେ  ଗୋଟିଏ ମିନିଟରେ ୩୧,୮୧୪ ଟିକଟ  ବୁକିଂ ହୋଇପାରିଛି । ଯାହା ଟିକେଟ୍‌  ବୁକିଂରେ ରେକର୍ଡ ସଫଳତା । ଉନ୍ନତ ଉପଭୋକ୍ତା ଅଭିଜ୍ଞତା ଲଗଇନ୍‌ ବୃଦ୍ଧି କରି  ଆର୍ଥିକ ବର୍ଷ ୨୦୨୪-୨୫ରେ ଦୈନିକ  ହାରାହାରି ୮୨.୫୭ ଲକ୍ଷକୁ ବୃଦ୍ଧି ପାଇଛି ।  ଭାରତୀୟ ରେଳ ଏହାର ଟିକେଟିଂ  ଭିତ୍ତିଭୂମିର ଏକ ବ୍ୟାପକ ଡିଜିଟାଲ୍‌  ପରିବର୍ତ୍ତନ କରିଛି । ଯାହା ସ୍ୱଚ୍ଛତା, ସୁରକ୍ଷା  ଏବଂ ଉପଭୋକ୍ତା  ଅଭିଜ୍ଞତା ବୃଦ୍ଧି କରିବା ଦିଗରେ ଏକ  ପ୍ରମୁଖ ପଦକ୍ଷେପ ।  

୨୦୨୩-୨୪ ଆର୍ଥିକ  ବର୍ଷରେ ହାରାହାରି  ଦୈନିକ ଉପଭୋକ୍ତା  ଲଗଇନ୍‌ ୬୯.୦୮ ଲକ୍ଷରୁ ବୃଦ୍ଧି ପାଇ  ୨୦୨୪-୨୫ ଆର୍ଥିକ ବର୍ଷରେ ୮୨.୫୭  ଲକ୍ଷରେ ପହଞ୍ଚିଛି । ଯାହା ୧୯.୫୩  ପ୍ରତିଶତ ବୃଦ୍ଧି ପାଇଛି । ସମାନ ସମୟ  ମଧ୍ୟରେ ହାରାହାରି ଦୈନିକ ଟିକେଟ୍‌  ବୁକିଂ ୧୧.୮୫ ପ୍ରତିଶତ ବୃଦ୍ଧି ପାଇଛି ।  ଏହା ସହିତ, ଇ-ଟିକେଟିଂ ବର୍ତ୍ତମାନ  ମୋଟ ସଂରକ୍ଷିତ ଟିକେଟ୍‌ ବୁକିଂର  ୮୬.୩୮ ପ୍ରତିଶତ ବୋଲି ପୂର୍ବତଟ  ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।