ଏଣିକି ଟ୍ରେନ୍ ଟିକେଟ୍ରେ ଓଡ଼ିଆ ଭାଷା ରହିବ, ଉତ୍କଳ ଦିବସରୁ ଆରମ୍ଭ

ଭୁବନେଶ୍ୱର,୮ା୩(ବ୍ୟୁରୋ): ଏଣିକି ଟ୍ରେନ୍ ଟିକେଟ୍ରେ ଇଂରାଜୀ ଓ ହିନ୍ଦି ଭଳି ଓଡ଼ିଆ ଭାଷା ରହିବ । ଓଡ଼ିଶା ଦିବସ ବା ଉତ୍କଳ ଦିବସରୁ ଏହା ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିବା ପରେ ରେଳ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛି । ଧର୍ମେନ୍ଦ୍ର ରେଳମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଅନୁରୋଧ କରିଥିଲେ, ଓଡ଼ିଶାରେ ରେଳ ଟିକେଟକୁ ଆଞ୍ଚଳିକ ଓଡ଼ିଆ ଭାଷାରେ ଛାପାଯାଉ । ଓଡ଼ିଶାରେ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି । ଯାତ୍ରୀ ସୁବିଧାରେ ଗତ କିଛି ବର୍ଷରେ ଉନ୍ନତି ହେବା ସହ ଯାତ୍ରା ସମୟରେ ଲୋକମାନଙ୍କର ସୁଖଦ ଅନୁଭୂତି ହେଉଛି

ଏଗୁଡ଼ିକ ସହିତ ଓଡ଼ିଶାରେ ଟିକେଟ୍ଗୁଡ଼ିକ ଓଡ଼ିଆରେ ହେଲେ ରାଜ୍ୟର ଲୋକମାନେ ଅଧିକ ଲାଭବାନ ହେବେ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଥିଲେ । ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସମସ୍ତ ଷ୍ଟେସନ୍ ଓଡ଼ିଆ ଭାଷାରେ ଲେଖାଯାଇଛି । ସେହିପରି ଓଡ଼ିଶା ମଧ୍ୟରେ ଥିବା ପୂର୍ବତଟ, ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପୂର୍ବ-ମଧ୍ୟ ରେଳପଥର ସମସ୍ତ ୩୧୭ ଷ୍ଟେସନରୁ ଏପ୍ରିଲ ୧ ତାରିଖ (ଉତ୍କଳ ଦିବସ)ରୁ ଓଡ଼ିଆ ଲିପିରେ ଟ୍ରେନ୍ ଟିକେଟ୍ କରିବାକୁ ବ୍ୟବସ୍ଥା କରାଯାଇଛି ।
କ୍ରିସ୍ ଦ୍ୱାରା ବୈଷୟିକ ସହାୟତା ସହ ରେଳ ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦେଶର ୮ହଜାରରୁ ଅଧିକ ଷ୍ଟେସନ୍ ନାମକୁ ଓଡ଼ିଆ ଲିପି ସହ ସଂଯୋଗ କରିଛି । ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଷ୍ଟେସନଗୁଡ଼ିକରେ ଭାଷାଗତ ଉଚ୍ଚାରଣକୁ ଦୃଷ୍ଟିରେ ରଖି ପ୍ରାନ୍ତୀୟ ରେଳ ଷ୍ଟେସନଗୁଡ଼ିକର ଓଡ଼ିଆ ଲିପିରେ ନାମକରଣ କରାଯାଇଛି । ରାଜ୍ୟରେ ଥିବା ଷ୍ଟେସନଗୁଡ଼ିକର ଟିକେଟ୍ କାଉଣ୍ଟରରୁ ଅଣସଂରକ୍ଷିତ ଟିକେଟ୍ ପାଇଁ ପ୍ରଥମେ ଏହି ସୁବିଧା କରାଯାଇଛି ।