ନୂଆଦିଲ୍ଲୀ, ୫।୫: ଆମେରିକାରେ ଚାକିରି କରିବା ଏବଂ ସେଠାରେ ସ୍ଥାୟୀ ଭାବେ ବସବାସ କରିବା ଅନେକଙ୍କ ପାଇଁ ଏକ ସ୍ୱପ୍ନ । ଏହି ସ୍ୱପ୍ନ ପୂରଣ କରିବା ପାଇଁ ସବୁଠାରୁ ବଡ଼ ମାଧ୍ୟମ ହେଉଛି H-1B ଭିସା। କିନ୍ତୁ ଏହି ଭିସା ପାଇବା କେବଳ ପରିଶ୍ରମ ନୁହେଁ, ବରଂ 'ଲଟେରୀ' ବା ଭାଗ୍ୟ ଉପରେ ମଧ୍ୟ ନିର୍ଭର କରେ । ଜଣେ ଭାରତୀୟ ଟେକ୍ ୱାର୍କରଙ୍କ କ୍ଷେତ୍ରରେ ଏହି ଭାଗ୍ୟ ଲଗାତାର ୭ ଥର ସାଥ୍ ଦେଇନଥିଲା । ତଥାପି ସେ ହାର୍ ମାନିନଥିଲେ । ଶେଷରେ ସେ ସିଧାସଳଖ ଆମେରିକାର ଗ୍ରୀନ୍ କାର୍ଡ ପାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।
କିଏ ଏହି ଭାରତୀୟ ଟେକ୍ ୱାର୍କର ?
ଏହି ସଫଳତା ପାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ମାଇକ୍ରୋସଫ୍ଟର ଜଣେ ସିନିୟର ସଫ୍ଟୱେୟାର ଇଞ୍ଜିନିୟର ଐଶାନୀ ବି । ନିକଟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନ୍ରେ ନିଜର ଏହି ଦୀର୍ଘ ୬ ବର୍ଷର ସଂଘର୍ଷପୂର୍ଣ୍ଣ ଯାତ୍ରା ବିଷୟରେ ସୂଚନା ଦେଇଛନ୍ତି । ଐଶାନୀଙ୍କ କହିବା ଅନୁଯାୟୀ, ସେ ୨୦୧୯ ରୁ ୨୦୨୫ ମଧ୍ୟରେ ମୋଟ ୭ ଥର H-1B ଭିସା ପାଇଁ ଆବେଦନ କରିଥିଲେ । ଆମେରିକାରେ ଏହି ଭିସା ଏକ କମ୍ପ୍ୟୁଟରାଇଜଡ୍ ଲଟେରୀ ସିଷ୍ଟମ ଜରିଆରେ ମିଳିଥାଏ । ଦୁର୍ଭାଗ୍ୟବଶତଃ, ପ୍ରତିଥର ତାଙ୍କ ନାଁ ଲଟେରୀରେ ଆସିନଥିଲା । ପ୍ରଥମ ଓ ଦ୍ୱିତୀୟ ଥର ରିଜେକ୍ଟ ହେବା ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । ତୃତୀୟ, ଚତୁର୍ଥ ଓ ପଞ୍ଚମ ଥର ବିଫଳ ହେବା ପରେ ସେ ନିଜର ଦକ୍ଷତା ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ ଏବଂ ଏ ବିଷୟରେ ଚର୍ଚ୍ଚା କରିବା ମଧ୍ୟ ବନ୍ଦ କରିଦେଇଥିଲେ ।
କାନାଡ଼ା ଯାତ୍ରା ଓ ପୁଣି ପ୍ରତ୍ୟାବର୍ତ୍ତନ:
ଯେତେବେଳେ ଆମେରିକାରେ ରହିବା ପାଇଁ ଭିସା ସମସ୍ୟା ଦେଖାଦେଲା, ୨୦୨୨ ମସିହାରେ ସେ କାନାଡ଼ା ଚାଲିଯାଇଥିଲେ । କିନ୍ତୁ, ମାଇକ୍ରୋସଫ୍ଟ ଭଳି ବଡ଼ କମ୍ପାନୀ ତାଙ୍କ ଦକ୍ଷତା ଉପରେ ଭରସା ରଖିଥିଲା । ୨୦୨୩ରେ ସେ L-1 ଭିସା (ଇଣ୍ଟ୍ରା-କମ୍ପାନୀ ଟ୍ରାନ୍ସଫର) ଜରିଆରେ ପୁଣି ଆମେରିକା ଫେରିଥିଲେ । ଏହି ସମୟରେ ମଧ୍ୟ ତାଙ୍କ କମ୍ପାନୀ ତାଙ୍କ ପାଇଁ H-1B ଆବେଦନ ଜାରି ରଖିଥିଲା, କିନ୍ତୁ ସେଠାରେ ବି ବିଫଳତା ମିଳିଥିଲା ।
କିଭଳି ମିଳିଲା ଗ୍ରୀନ୍ କାର୍ଡ ?
ଐଶାନୀଙ୍କୁ ଶେଷରେ ଆମେରିକାରେ ସ୍ଥାୟୀ ଭାବେ ରହିବା ପାଇଁ EB-1 ଭିସା ମାଧ୍ୟମରେ ଗ୍ରୀନ୍ କାର୍ଡ ମିଳିଛି । ଏହାକୁ ସାଧାରଣ ଭାଷାରେ 'ଆଇନଷ୍ଟାଇନ ଭିସା' ବୋଲି ମଧ୍ୟ କୁହାଯାଏ ।
EB-1 ଭିସା କ’ଣ ?
ଏହା ଏକ ଏମ୍ପ୍ଲୟମେଣ୍ଟ ବେସ୍ଡ ଅର୍ଥାତ୍ ନିଯୁକ୍ତି ଭିତ୍ତିକ ପ୍ରଥମ ଶ୍ରେଣୀର ଭିସା । ଏହା ସେହିମାନଙ୍କୁ ମିଳିଥାଏ ଯେଉଁମାନେ ନିଜ କ୍ଷେତ୍ରରେ (ବିଜ୍ଞାନ, କଳା, ବ୍ୟବସାୟ କିମ୍ବା ମ୍ୟାନେଜମେଣ୍ଟ) ଅସାଧାରଣ ଦକ୍ଷତା ରଖିଥାନ୍ତି ।
ଐଶାନୀଙ୍କ କ୍ଷେତ୍ରରେ EB-1C କ୍ୟାଟେଗୋରୀ କାମ କରିଥିଲା:
EB-1A: ଅସାଧାରଣ ପ୍ରତିଭାବାନ ବ୍ୟକ୍ତି (ବିଜ୍ଞାନ, କ୍ରୀଡ଼ା ଇତ୍ୟାଦି)
EB-1B: ବିଶିଷ୍ଟ ପ୍ରଫେସର ଓ ଗବେଷକ
EB-1C: ମଲ୍ଟିନ୍ୟାସନାଲ ମ୍ୟାନେଜର କିମ୍ବା ଏକଜିକ୍ୟୁଟିଭ୍
ଐଶାନୀ ମଲ୍ଟିନ୍ୟାସନାଲ କମ୍ପାନୀର ମ୍ୟାନେଜର ପଦବୀରେ ଥିବାରୁ ଏବଂ ପୂର୍ବରୁ କାନାଡ଼ାରେ କାମ କରିଥିବାରୁ ସେ ଏହି କ୍ୟାଟେଗୋରୀ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସାଧାରଣତଃ ଭାରତୀୟଙ୍କ ପାଇଁ EB-2 କିମ୍ବା EB-3 କ୍ୟାଟେଗୋରୀରେ ଗ୍ରୀନ୍ କାର୍ଡ ପାଇବାକୁ ଦଶନ୍ଧି ଦଶନ୍ଧି ଧରି ଅପେକ୍ଷା କରିବାକୁ ପଡ଼େ । କିନ୍ତୁ, EB-1 କ୍ୟାଟେଗୋରୀରେ କୌଣସି ଲଟେରୀ ସିଷ୍ଟମ ନଥାଏ ଏବଂ ଏହା ଅପେକ୍ଷାକୃତ ଶୀଘ୍ର ମିଳିଯାଏ । ଐଶାନୀଙ୍କ ଏହି କାହାଣୀ ପ୍ରମାଣ କରୁଛି ଯେ, ଯଦି ଆପଣଙ୍କ ପାଖରେ ସଠିକ୍ ଦକ୍ଷତା ଅଛି, ତେବେ ଗୋଟିଏ ବାଟ ବନ୍ଦ ହେଲେ ଅନ୍ୟ ଏକ ବଡ଼ ବାଟ ନିଶ୍ଚୟ ଫିଟିବ । ୭ ଥରର ଲଟେରୀ ପରାଜୟ ଅପେକ୍ଷା ତାଙ୍କର 'ଅସାଧାରଣ ଦକ୍ଷତା' ତାଙ୍କୁ ଆଜି ଆମେରିକାର ସ୍ଥାୟୀ ନାଗରିକ କରିପାରିଛି ।
ଆହୁରି ପଢ଼ନ୍ତୁ... ଟ୍ରମ୍ପଙ୍କ 'ପ୍ରୋଜେକ୍ଟ ଫ୍ରିଡମ୍': ହୋର୍ମୁଜ ପ୍ରଣାଳୀରୁ ଜାହାଜ ଉଦ୍ଧାର କରିବ ଆମେରିକା !