ନୂଆଦିଲ୍ଲୀ : ଉପସାଗରୀୟ ଅଞ୍ଚଳରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 'ପ୍ରୋଜେକ୍ଟ ଫ୍ରିଡମ୍' ନାମକ ଏକ ନୂଆ ଅଭିଯାନ ଘୋଷଣା କରିଛନ୍ତି। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ'ରେ ଫସି ରହିଥିବା ବାଣିଜ୍ୟିକ ଜାହାଜ ଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା। ଏହା ସହିତ, ଟ୍ରମ୍ପ ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷକୁ ସମାପ୍ତ କରିବା ପାଇଁ ଇରାନ ପକ୍ଷରୁ ଦିଆଯାଇ ଥିବା ନୂଆ ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି।

କ’ଣ ଏହି 'ପ୍ରୋଜେକ୍ଟ ଫ୍ରିଡମ୍'?

ରବିବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍'ରେ ଏକ ପୋଷ୍ଟ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥରୁ ନିଜ ଜାହାଜ ଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ବିଶ୍ୱର ଅନେକ ଦେଶ ଆମେରିକାର ସାହାଯ୍ୟ ମାଗିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯେଉଁ ଦେଶର ଜାହାଜ ଗୁଡ଼ିକ ଫସିଛି, ସେମାନଙ୍କର ମଧ୍ୟ ପ୍ରାଚ୍ୟର ଏହି ହିଂସାତ୍ମକ ବିବାଦ ସହ କୌଣସି ସମ୍ପର୍କ ନାହିଁ। ସେମାନେ କେବଳ ପରିସ୍ଥିତିର ଶିକାର ହୋଇଛନ୍ତି। ଏହି ରେସ୍କ୍ୟୁ ଅପରେସନ୍ ସୋମବାର ସକାଳୁ ମଧ୍ୟ ପ୍ରାଚ୍ୟର ସମୟାନୁସାରେ ଆରମ୍ଭ ହେବ।

ଟ୍ରମ୍ପ ଏହାକୁ ଏକ ମାନବୀୟ ପଦକ୍ଷେପ ବୋଲି ଦର୍ଶାଇଛନ୍ତି। ଜାହାଜରେ ଖାଦ୍ୟ ଏବଂ ଜରୁରୀ ସାମଗ୍ରୀର ଅଭାବ କାରଣରୁ କ୍ରୁ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ , ଯଦି ଏହି ଅଭିଯାନରେ କେହି ବାଧା ସୃଷ୍ଟି କରନ୍ତି, ତେବେ ତାହାର କଡ଼ା ଜବାବ ଦିଆଯିବ।

ଇରାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆମେରିକା-

ଗୋଟେ ପଟେ , ଟ୍ରମ୍ପ ଇରାନ ସହ ଆଲୋଚନାକୁ ସକାରାତ୍ମକ କହୁଥିବା ବେଳେ, ଅନ୍ୟପଟେ ସେ ଇରାନର ଶାନ୍ତି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ଦ ଟାଇମ୍ସ ଅଫ୍ ଇସ୍ରାଏଲ ଓ କାନ୍ ନ୍ୟୁଜ୍ ର ରିପୋର୍ଟ ଅନୁସାରେ , ଟ୍ରମ୍ପ ଏକ ସଂକ୍ଷିପ୍ତ ଫୋନ୍ କଲରେ କହିଛନ୍ତି ଯେ , ସେ ଇରାନୀ ପ୍ରସ୍ତାବର ଭଲ ଭାବେ ଅଧ୍ୟୟନ କରିଛନ୍ତି ଏବଂ ଏବା ତାଙ୍କୁ କେବେ ଗ୍ରହଣୀୟ ନୁହେଁ। ଟ୍ରମ୍ପ କହିଛନ୍ତି ଯେ, ଇରାନ ଚୁକ୍ତି କରିବାକୁ ଚାହୁଁଛି, କିନ୍ତୁ ସେମାନଙ୍କ ସର୍ତ୍ତରେ ସେ ସନ୍ତୁଷ୍ଟ ନୁହନ୍ତି। ତେବେ ସେ କେଉଁ ବିଷୟ ଉପରେ ଆପତ୍ତି କରିଛନ୍ତି, ତାହା ସ୍ପଷ୍ଟ କରିନାହାନ୍ତି।

କ’ଣ ରହିଛି ଇରାନର ୧୪-ସୂତ୍ରୀ ପ୍ରସ୍ତାବ ?

ଇରାନର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଇସ୍ମାଇଲ ବଘାଇ ସ୍ପଷ୍ଟ କରିଛନ୍ତି ଯେ, ଇରାନ ଆମେରିକାର ଉତ୍ତର ପାକିସ୍ତାନ (ମଧ୍ୟସ୍ଥି) ମାଧ୍ୟମରେ ପ୍ରାପ୍ତ କରି ନେଇଛି ଏବଂ ବର୍ତ୍ତମାନ ସେ ଏହାର ସମୀକ୍ଷା କରୁଛି। ଇରାନର ତସନିମ୍ ନ୍ୟୁଜ୍ ଏଜେନ୍ସି ମୁତାବିକ , ଆମେରିକାର ୯-ସୂତ୍ରୀୟ ପ୍ରସ୍ତାବ ବଦଳରେ ଇରାନ ପାକିସ୍ତାନ ଜରିଆରେ ଏକ ୧୪-ସୂତ୍ରୀୟ ପ୍ରସ୍ତାବ ପଠାଇ ଥିଲା। ଏହାର ମୁଖ୍ୟ କଥା ଗୁଡ଼ିକ ଥିଲା -

ଯୁଦ୍ଧର ସମ୍ପୂର୍ଣ୍ଣ ଅନ୍ତ : ଲେବାନନ୍ ସମେତ ସମସ୍ତ ସାମ୍ମୁଖ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଦାବି।

ସମୟ ସୀମା: ଆମେରିକା ୨ ମାସର ଯୁଦ୍ଧବିରତି ଚାହୁଁଥିବା ବେଳେ, ଇରାନ ୩୦ ଦିନ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରି ଯୁଦ୍ଧ ଶେଷ କରିବାକୁ ଚାହୁଁଛି।

ପରମାଣୁ ପ୍ରସଙ୍ଗ: ଏହି ପ୍ରସ୍ତାବ କେବଳ ଆଞ୍ଚଳିକ ସଂଘର୍ଷ ପାଇଁ, ଏଥିରେ ପରମାଣୁ କାର୍ଯ୍ୟକ୍ରମ ସାମିଲ ନାହିଁ।

ଅନ୍ୟାନ୍ୟ ଦାବି: ଆମେରିକୀୟ ସେନା ପ୍ରତ୍ୟାହାର, ଇରାନର ଜବତ ସମ୍ପତ୍ତି ଫେରସ୍ତ, ସମସ୍ତ ପ୍ରତିବନ୍ଧକ ହଟାଇବା ଏବଂ ହୋର୍ମୁଜ ପ୍ରଣାଳୀ ପାଇଁ ଏକ ନୂତନ ବ୍ୟବସ୍ଥା।

ଆମେରିକା ଏବଂ ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ଜାରି ରହିଥିଲେ ମଧ୍ୟ ସର୍ତ୍ତ ଗୁଡ଼ିକରେ ବଡ଼ ପାର୍ଥକ୍ୟ ଥିବାରୁ କୌଣସି ସମାଧାନ ହୋଇ ପାରି ନାହିଁ। ଏହି ସମୟରେ ଆମେରିକା ନିଜର 'ପ୍ରୋଜେକ୍ଟ ଫ୍ରିଡମ୍' ଜରିଆରେ ସାମରିକ ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛି।