ନୂଆଦିଲ୍ଲୀ,୨୪/୧୧: ଭାରତ ପ୍ରଥମ ଦୃଷ୍ଟିବାଧିତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଚାମ୍ପିଅନ ହୋଇଛି । ଫାଇନାଲରେ ଦଳ ନେପାଳକୁ ୭ ୱିକେଟ୍ରେ ପରାଜିତ କରିଥିଲା । କଲମ୍ବୋର ପି. ସାରା ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ନେପାଳ ୫ ୱିକେଟ୍ରେ ୧୧୪ ରନ୍ କରିଥିଲା । ଜବାବରେ ଭାରତ ୧୨.୧ ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଷ୍ଟାର ବ୍ୟାଟର ଫୁଲ ସୋରେନ ୨୭ଟି ବଲରୁ ଅପରାଜିତ ୪୪ ରନ୍ କରି ଦଳକୁ ଜିତାଇଥିଲେ । ବିଶ୍ୱକପ୍ର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇ ଭାରତୀୟ ମହିଳା ଇତିହାସ ରଚିଛନ୍ତି । ଭାରତ ଲିଗରେ ଶ୍ରୀଲଙ୍କା, ଆମେରିକା ଓ ପାକିସ୍ତାନକୁ ପରାଜିତ କରିଥିଲା । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲା । ସେମିତି ନେପାଳ ସେମିରେ ପାକିସ୍ତାନକୁ ହରାଇଥିଲା । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରିଥିଲେ । ଗତ ୧୧ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ନୂଆଦିଲ୍ଲୀ, ବେଙ୍ଗାଲୁରୁ ଓ କଲମ୍ବୋରେ ମ୍ୟାଚ ଗୁଡ଼ିକ ଖେଳାଯାଇଥିଲା ।

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-ଭାରତୀୟ ମହିଳା ଦୃଷ୍ଟିବାଧିତ ଟିଟ୍ୱେଣ୍ଟି ଦଳ ବିଶ୍ୱ ଚାମ୍ପିଅନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରେ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଚମତ୍କାର ପ୍ରଦର୍ଶନ, ଦୃଢ଼ ଶୃଙ୍ଖଳା ଓ ଦୃଢ଼ ପ୍ରତିଜ୍ଞା ବଳରେ ତୁମେମାନେ ଦେଶ ପାଇଁ ଗୌରବ ଆଣିଛ । ଏଭଳି ପ୍ରଦର୍ଶନ କର ଏବଂ ଭବିଷ୍ୟତରେ ଆହୁରି ସଫଳ ହୁଅ, ଏଥିପାଇଁ ଶୁଭେଚ୍ଛା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭାରତୀୟ ଦଳରେ ଓଡ଼ିଶାରୁ ୪ ଜଣ ମହିଳା ସାମିଲ ରହିଥିଲେ । ସେମାନେ ହେଲେ ଫୁଲ ସୋରେନ, ବାସନ୍ତୀ ହାଁସଦା, ଯମୁନା ରାଣୀ ଟୁଡୁ ଓ ପାର୍ବତୀ ମାରାଣ୍ଡି ।