ଭୁବନେଶ୍ୱର,୦୭/୦୭: ଭାରତର ଦ୍ରୁତତମ  ଧାବକ ଅନିମେଶ କୁଜୁର ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କହିଛନ୍ତି । ସେ ଗ୍ରୀସର ଡ୍ରୋମିଆ ଅନ୍ତର୍ଜାତୀୟ  ସ୍ପ୍ରିଣ୍ଟ ଓ ରିଲେ ମିଟ୍‌ରେ ୧୦୦ ମିଟରକୁ ୧୦.୧୮  ସେକେଣ୍ଡ ନେଇ ତୃତୀୟ ସ୍ଥାନରେ ରହିଥିଲେ ।  ପ୍ରଥମ ଥର କୌଣସି ଭାରତୀୟ ୧୦୦ ମିଟରରେ  ୧୦.୨୦ ସେକେଣ୍ଡ ମଧ୍ୟରେ ଦୌଡ଼ିବାର ରେକର୍ଡ  କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି ।

ଅନିମେଶ କଳିଙ୍ଗ ଷ୍ଟାଡିୟମରେ ଥିବା  ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍‌ ଆଥଲେଟିକ୍ସ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି ।  ସେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳରୁ  ପ୍ରତିନିଧିତ୍ୱ କରିଥାନ୍ତି । ଅନିମେଶ ତୃତୀୟ  ସ୍ଥାନରେ ରହିଥିବାବେଳେ ଦକ୍ଷିଣ ଆଫ୍ରିକାର ବେଞ୍ଜାମିନ ରିଚାର୍ଡସନ୍‌ (୧୦.୦୧ ସେକେଣ୍ଡ)  ସ୍ୱର୍ଣ୍ଣ ଏବଂ ଓମାନର ଅଲି ଅନୱାର ଅଲ-ବାଲୁସି  (୧୦.୧୨ ସେକେଣ୍ଡ) ରୌପ୍ୟ ପଦକ ଜିତିଛନ୍ତି । 




ବେଙ୍ଗାଲୁରୁରେ ଆୟୋଜିତ ଗତ ଇଣ୍ଡିଆନ  ଗ୍ରାଁପ୍ରି-୧ରେ ଅନିମେଶ ପୂର୍ବ ରେକର୍ଡ ଭଙ୍ଗ କରି  ନୂଆ ରେକର୍ଡ (୧୦.୨୦ ସେକେଣ୍ଡ) କରିଥିଲେ ।  ସେ ଗୁରିନ୍ଦରବୀର ସିଂଙ୍କ ରେକର୍ଡ ଭାଙ୍ଗିଥିଲେ ।  ନିଜର ଟାଇମିଂରେ ସୁଧାର ଆଣିଥିବାରୁ ଅନିମେଶ  ବେଶ ଖୁସି ପ୍ରକାଶ କରିଛନ୍ତି । ୪ ଗୁଣା ୧୦୦ ମିଟର  ରିଲେ ଦଳ ଚଣ୍ଡୀଗଡ଼ରେ ଆୟୋଜିତ ଜାତୀୟ ରିଲେ  ପ୍ରତିଯୋଗିତାରେ ନୂଆ ରେକର୍ଡ (୩୮.୬୯) ପ୍ରତିଷ୍ଠା  କରିଥିଲେ । ସେ ଏହି ଦଳର ସଦସ୍ୟ ଥିଲେ । 

ଗ୍ରୀସ୍‌ରେ ଓଡ଼ିଆ ଆଥଲେଟ୍‌ ଲାଲୁ  ପ୍ରସାଦ ଭୋଇ ଓ ମୃତ୍ୟୁଞ୍ଜୟ ଜୟରାମ ଦଣ୍ଡପତି  ମଧ୍ୟ ୧୦୦ ମିଟରରେ ଦୌଡ଼ିଥିଲେ । ଫାଇନାଲ  ଏ’ରେ ଲାଲୁ (୧୦.୪୨) ଚତୁର୍ଥ ଏବଂ ମୃତ୍ୟୁଞ୍ଜୟ  (୧୦.୪୭) ପଞ୍ଚମ ସ୍ଥାନରେ ରହିଥିଲେ ।  ଅନିମେଶ ବି’ ଫାଇନାଲରେ ଦୌଡ଼ିଥିଲେ । ୪ ଗୁଣା ୧୦୦ ମିଟର ରିଲେ ଦଳରେ ଲାଲୁ,  ଜୟରାମ ଓ ଅନିମେଶ ସାମିଲ ରହିଥିଲେ । ଏହି ଦଳ  ୩୯.୯୯ ସେକେଣ୍ଡ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲ।