ମୁମ୍ବାଇ ୧୧/୧୦: ବଲିଉଡ୍‌ ଚଳିତ ବର୍ଷ ମୁକ୍ତିପ୍ରାପ୍ତ ପାନ୍‌ ଇଣ୍ଡିଆ ଫିଲ୍ମ ‘ହନୁମାନ’ ବକ୍ସ ଅଫିସ୍‌ରେ ବଡ଼ ଧମାକା କରିଥିଲା । କାହାଣୀ ଓ ସୀମିତ ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମ ଭିଏଫ୍‌ଏକ୍ସ ଦମ୍‌ରେ ଆଶାତୀତ ବ୍ୟବସାୟ କରିଥିଲା । ୪୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇ ବିଶ୍ୱସ୍ତରରେ ୨୯୫ କୋଟିରୁ ଅଧିକ ଆୟ କରିଥିଲା । ହିନ୍ଦୀ ସଂସ୍କରଣରେ ଏହାର ୫୦ କୋଟିରୁ ଅଧିକ ନେଟ୍‌ କଲେକ୍ସନ୍‌ ହୋଇଥିଲା । ଏବେ ‘ହନୁମାନ’ର ନିର୍ମାତା ଭାରତର ପ୍ରଥମ ମହିଳା ସୁପର୍‌ହିରୋ ଫିଲ୍ମ ଘୋଷଣା କରଛନ୍ତି । ନାଁ ‘ମହାକାଲୀ’ । ଏହାର ଝଲକ୍‌ ଫ୍ୟାନ୍‌ଙ୍କ ଉତ୍ସାହ ବଢ଼ାଇ ଦେଇଛି ।

‘ହନୁମାନ’ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ପୂର୍ବରୁ ଘୋଷଣା କରିଥିଲେ ଯେ ସେ ଭାରତୀୟ ପୁରାଣ ଉପରେ ଆଧାରିତ ଏକ ନୂଆ ଫିଲ୍ମ ୟୁନିଭର୍ସ ଗଢ଼ିବାକୁ ଯାଉଛନ୍ତି, ଯାହାର ନାଁ ପ୍ରଶାନ୍ତ ବର୍ମା ସିନେମାଟିକ୍‌ ୟୁନିଭର୍ସ । ‘ମହାକାଲୀ’ ଏହି ୟୁନିଭର୍ସର ଏକ ନୂଆ ସୁପର୍‌ହିରୋ ଚରିତ୍ର ଓ କାହାଣୀ ସହିତ ଆସିଛି, ଯାହାର ପ୍ରଥମ ଝଲକ୍‌ ଦମ୍‌ଦାର ହୋଇଛି । ନିର୍ମାତା ଦୁର୍ଗା ସପ୍ତମୀ ଅବସରରେ ଏହି ଫିଲ୍ମ ଘୋଷଣା କରିଛନ୍ତି, ଯାହାର ମୁଖ୍ୟ ଚରିତ୍ର ମା କାଳୀଙ୍କ ଦ୍ୱାରା ପ୍ରେରିତ ।




‘ମହାକାଲୀ’ ଘୋଷଣା ଭିଡିଓରେ ଦମ୍‌ଦାର ଥିମ୍‌ ମ୍ୟୁଜିକ୍‌ ରହିଛି । ଏଥିରେ ନୂଆ ସୁପର୍‌ହିରୋ ଚରିତ୍ର ବିଷୟରେ ଉଲ୍ଲେଖ ହୋଇଛି ‘ସେ ଶାନ୍ତି ବି ସେ ଅରାଜକତା ବି । ସେ ନିଃଶବ୍ଦ ବି ସେ ଗର୍ଜନ ବି । ସୃଜନ ବି ଏବଂ ବିନାଶ ବି... ମହାକାଲୀ ।’ ଭିଡିଓ ଶେଷରେ ଏକ ପୋଷ୍ଟର୍‌ ଦେଖିବାକୁ ମିଳିଛି । ଏଥିରେ ଜଣେ ଝିଅ ବାଘର ମୁଣ୍ଡରେ ନିଜ ମୁଣ୍ଡକୁ ଲଗାଇଛି । ଫିଲ୍ମର କାହାଣୀ ପଶ୍ଚିମବଙ୍ଗ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ । ପ୍ରଶାନ୍ତ ଏହାର କାହାଣୀ ଓ ପଟ୍ଟକଥା ଲେଖିଛନ୍ତି । ନିର୍ଦ୍ଦେଶନା ଦେବେ ଅପର୍ଣ୍ଣା କୋଲ୍ଲୁରୁ ।