ନୂଆଦିଲ୍ଲୀ, ୧।୨: ଭାରତର ଘରୋଇ କ୍ଷେତ୍ରରେ ନିଯୁକ୍ତି ଉପରେ ଜୋର ଦେଇ ବିଶ୍ୱ ବ୍ୟାଙ୍କ ଆଗାମୀ ୫ ବର୍ଷ ପାଇଁ ଏକ ନୂଆ କଣ୍ଟ୍ରି ଫ୍ରେମ୍ୱାର୍କ ଘୋଷଣା କରିଛି । ଏହା ମାଧ୍ୟମରେ ଭାରତକୁ ପ୍ରତିବର୍ଷ ପ୍ରାୟ ୮ରୁ ୧୦ ବିଲିୟନ ଡଲାରର ସହାୟତା ଦିଆଯିବ । ଏହି ସହାୟତାର ଉଦ୍ଦେଶ୍ୟ କେବଳ ସରକାରୀ ଯୋଜନାଗୁଡ଼ିକୁ ମଜଭୁତ କରିବା ନୁହେଁ ବରଂ ବଡ଼ ଆକାରରେ ଘରୋଇ ନିବେଶ ଆକର୍ଷିତ କରିବା ଏବଂ ଦେଶରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା । ଏହି ନୂଆ କଣ୍ଟ୍ରି ଫ୍ରେମ୍‌ୱାର୍କକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗାଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଉନ୍ମୋଚନ କରାଯାଇଛି । ଅର୍ଥମନ୍ତ୍ରୀ କହିଲେ, ସରକାରୀ ପାଣ୍ଠିକୁ ଘରୋଇ ପୁଞ୍ଜି ସହ ଯୋଡ଼ିବା, ଗାଁ ଏବଂ ସହର ଉଭୟ କ୍ଷେତ୍ରରେ ରୋଜଗାର ବଢ଼ାଇବା ଏବଂ ବିଶ୍ୱ ବ୍ୟାଙ୍କ ଗ୍ରୁପ୍ର ଅନୁଭବକୁ ବ୍ୟବହାର କରିବା ଅଧିକ ଦ୍ରୁତ ବିକାଶ ପାଇଁ ଜରୁରୀ । ତାଙ୍କ ମୁତାବକ ଏହି ସହଯୋଗିତା ଦ୍ୱାରା ବିକାଶକୁ ପ୍ରଭାବଶୀଳ କରାଯାଇପାରିବ ।

​​​​​​​

ବିଶ୍ୱ ବ୍ୟାଙ୍କ୍ ଗ୍ରୁପ୍ର ଅନ୍ତରାଷ୍ଟ୍ରୀୟ ନିଯୁକ୍ତି ରଣନୀତି ୩ଟି ମୁଖ୍ୟ କାରକ ଉପରେ ଆଧାରିତ । ପ୍ରଥମ ହେଉଛି ତୃଣମୂଳ କ୍ଷେତ୍ରରେ ନିବେଶ ଯେପରି ସଡ଼କ, ଶକ୍ତି ଏବଂ ଲଜିଷ୍ଟିକ୍ସ । ଦ୍ୱିତୀୟ ହେଉଛି ବ୍ୟାପାର ଅନୁକୂଳ ପରିବେଶ ସୃଷ୍ଟି କରିବା ଯେଉଁଥିରେ ସ୍ପଷ୍ଟ ଏବଂ ଭରସାଯୋଗ୍ୟ ନିୟମକାନୁନ ରହିଥିବ, ଯଦ୍ଦ୍ୱାରା ନିବେଶକଙ୍କ ଭରସା ବଢ଼ିବ । ତୃତୀୟ ହେଉଛି ଆପଦ ପରିଚାଳନା ଟୁଲ୍ଗୁଡ଼ିକର ବ୍ୟବହାର, ଯାହାଦ୍ୱାରା ବିନା ଭୟରେ ଭାରତ ବଜାରରେ ଘରୋଇ ନିବେଶ ବଢ଼ିବ । ଏହି ରଣନୀତି ମାଧ୍ୟମରେ ବିଶ୍ୱବ୍ୟାଙ୍କ ୫ ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନକେନ୍ଦ୍ରିତ କରିଛି । ଏଥିରେ ଭିତ୍ତିଭୂମି ଏବଂ ଶକ୍ତି, କୃଷି ଏବଂ କୃଷି ବ୍ୟବସାୟ, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ଏବଂ ମୂଲ୍ୟଯୁକ୍ତ ବିନିର୍ମାଣ ସାମିଲ ରହିଛି । ଏହି କ୍ଷେତ୍ରଗୁଡ଼ିକରେ ନିବେଶ ଦ୍ୱାରା କେବଳ ରୋଜଗାର ବଢ଼ିବ ନାହିଁ ବରଂ ଅର୍ଥବ୍ୟବସ୍ଥାକୁ ଲମ୍ବା ସମୟ ପାଇଁ ଦୃଢ଼ତା ମିଳିବ । ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା କହିଲେ, ବିଶ୍ୱ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ହେଉଛି ନିଯୁକ୍ତି ସୃଷ୍ଟି କରିବା । ତାଙ୍କ ଅନୁସାରେ ଏହି ସହଯୋଗିତା ଋଣ ଯୋଗାଣ, ସୁଧାର ଏବଂ ଘରୋଇ କ୍ଷେତ୍ରରେ ନିବେଶକୁ ଏକ ସଙ୍ଗେ ନେଇ ଭାରତର ଆର୍ଥିକ ବିକାଶକୁ ଲକ୍ଷ ଲକ୍ଷ ନିଯୁକ୍ତିରେ ରୂପାନ୍ତର କରିବ । ମୁଖ୍ୟ କଥା ହେଉଛି ଯେ, ଏଥିରେ କେବଳ ଋଣ ନୁହେଁ ବରଂ ନୀତିଗତ ସହଯୋଗ ଏବଂ ବୈଷୟିକ ଜ୍ଞାନ ବି ସାମିଲ ହେବ । ଏହି ନୂଆ ଢାଞ୍ଚା ଲାଗୁ କରିବାର ପ୍ରକ୍ରିୟା ତୁରନ୍ତ ଲାଗୁ ହେବ । ପୂର୍ବରୁ ନିଯୁକ୍ତି ଏବଂ କୌଶଳ ବିକାଶ କ୍ଷେତ୍ରରେ ୫ଟି ପରିଯୋଜନା ଚାଲୁ ରହିଛି, ଯେଉଁଥିପାଇଁ ୮୩ କୋଟି ଡଲାରର ଋଣ ଦିଆଯାଇଛି ।

ଆହୁରି ପଢ଼ନ୍ତୁ... ଆଉ କିଛି ଘଣ୍ଟାର ଅପେକ୍ଷା...ଖୋଲିବ ନିର୍ମଳା ସୀତାରମଣଙ୍କ ବଜେଟ ପେଡ଼ି, ନବମ ଥର ଉପସ୍ଥାପନ କରିବେ କେନ୍ଦ୍ର ବଜେଟ୍