ନୂଆଦିଲ୍ଲୀ,୩୧/୦୫: ଭାରତୀୟ କୃଷିକ୍ଷେତ୍ର ଏବଂ ସାଧାରଣ ଜନଜୀବନ ପାଇଁ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଖବର। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ ଯଥେଷ୍ଟ କମ୍ ବର୍ଷା ହେବ। ଦେଶରେ ମୋଟ ସ୍ୱାଭାବିକ ବର୍ଷାର ୯୦ ପ୍ରତିଶତ ବୃଷ୍ଟିପାତ ଆକଳନ କରାଯାଇଛି। ଯଦି ଏହି ପୂର୍ବାନୁମାନ ସତ୍ୟ ହୁଏ, ତେବେ ୨୦୨୬ ମସିହା ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତର ସବୁଠାରୁ କମ୍ ବର୍ଷାଜନିତ ବର୍ଷ ସାବ୍ୟସ୍ତ ହେବ। ପୂର୍ବରୁ ୨୦୧୫ ମସିହାରେ ଦେଶ ଏଭଳି ସ୍ଥିତିର ସାମନା କରିଥିଲା, ଯେତେବେଳେ ମୌସୁମୀ ବର୍ଷା ୯୦ ପ୍ରତିଶତରୁ କମ୍ ରହିଥିଲା।

ପାଣିପାଗ ବିଜ୍ଞାନୀମାନଙ୍କ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ଦୁର୍ବଳ ହେବା ପଛରେ ପ୍ରଶାନ୍ତ ମହାସାଗରରେ ସକ୍ରିୟ ହେଉଥିବା ‘ଏଲ୍ ନିନୋ’ ମୁଖ୍ୟ କାରଣ ସାଜିଛି। ସାଧାରଣତଃ ଏଲ୍ ନିନୋ ପ୍ରଭାବ ଯୋଗୁଁ ଦକ୍ଷିଣ ଏସିଆରେ ବୃଷ୍ଟିପାତ ବାଧାପ୍ରାପ୍ତ ହୋଇଥାଏ। ଚଳିତ ବର୍ଷ ଏହି ପ୍ରଭାବକୁ ସନ୍ତୁଳିତ କରିବା ପାଇଁ ଭାରତ ମହାସାଗରରେ କୌଣସି ପାଣିପାଗ ଅନୁକୂଳ ସ୍ଥିତି ସୃଷ୍ଟି ହେଉନାହିଁ। ଆଇଏମ୍‌ଡି ଅନୁଯାୟୀ, ଦେଶରେ ମରୁଡ଼ି ସଦୃଶ ସ୍ଥିତି ଉପୁଜିବା ନେଇ ପ୍ରାୟ ୬୦ ପ୍ରତିଶତ ଆଶଙ୍କା ରହିଛି। ଜୁନ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ହେଉଥିବା ଏହି ଦକ୍ଷିଣ-ପଶ୍ଚିମ ମୌସୁମୀ ବୃଷ୍ଟିପାତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଦେଶର ବାର୍ଷିକ ବର୍ଷାର ପ୍ରାୟ ୭୦ ପ୍ରତିଶତ ଏହି ସମୟରେ ହିଁ ହୋଇଥାଏ। ବିଗତ ଦୁଇ ବର୍ଷ (୨୦୨୪ ଏବଂ ୨୦୨୫)ରେ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା। ଯାହାଫଳରେ ଜଳାଶୟଗୁଡ଼ିକ ସମ୍ପୂର୍ଣ୍ଣ ଭରପୂର ଥିଲା ଏବଂ କୃଷି ଉତ୍ପାଦନ ବହୁତ ଭଲ ହୋଇଥିଲା। ୨୦୨୬ରେ ଏହି ସ୍ଥିତିରେ ବଡ଼ ବାଧା ସୃଷ୍ଟି ହେବାକୁ ଯାଉଛି।

ଆହୁରି ପଢନ୍ତୁ- Abhishek Banerjee Assault: ଅଭିଷେକଙ୍କ ଉପରେ ଆକ୍ରମଣ INDIA ମେଣ୍ଟ ପାଇଁ ସଞ୍ଜିବନୀ ? ମମତାଙ୍କ ସପକ୍ଷରେ ବିରୋଧୀ

ମୌସୁମୀ ବର୍ଷା ଅଭାବରୁ ସବୁଠାରୁ ବଡ଼ ପ୍ରଭାବ କୃଷି କ୍ଷେତ୍ର ଉପରେ ପଡ଼ିବ। ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଫସଲହାନି ଭୟ ରହିଛି। ବିଶେଷ କରି ମରୁଡ଼ିପ୍ରବଣ ଅଞ୍ଚଳରେ ରହୁଥିବା ଚାଷୀମାନେ ଗମ୍ଭୀର ଆର୍ଥିକ ସଙ୍କଟର ସାମନା କରିବେ। ଫଳରେ ଗ୍ରାମୀଣ ଅଞ୍ଚଳରେ ଋଣଭାର ଓ ଭିଟାମାଟିରୁ ପଳାୟନ ଭଳି ସମସ୍ୟା ବୃଦ୍ଧି ପାଇବ। ଫସଲ ଉତ୍ପାଦନ ହ୍ରାସ ପାଇଲେ ସାରା ଦେଶରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ ଏବଂ ଏହା ମୁଦ୍ରାସ୍ଫୀତିକୁ ବଢ଼ାଇବ। ଏହାଦ୍ୱାରା ଦେଶର ସାମଗ୍ରିକ ଜିଡିପି ବିକାଶ ହାର ପ୍ରଭାବିତ ହେବା ନିଶ୍ଚିତ ବୋଲି କୁହାଯାଉଛି। ବର୍ଷା ଅଭାବରୁ ଦେଶର ପ୍ରମୁଖ ଜଳଭଣ୍ଡାର ଓ ଡ୍ୟାମ୍‌ଗୁଡ଼ିକର ଜଳସ୍ତର ହ୍ରାସ ପାଇବ।