ନୂଆଦିଲ୍ଲୀ ୨୦/୦୧: ଚକଲଗା ଲୁହା ଗାଡ଼ିରେ ବସିଥିବା ଏହି ବ୍ୟକ୍ତି ଜଣେ ଭିକାରୀ । କାନ୍ଧରେ ଏକ ବ୍ୟାଗ୍ । ଦୁଇ ହାତରେ ହଳେ ଜୋତା ପୂରାଇଛନ୍ତି ଏବଂ ତା’ରି ସାହାଯ୍ୟରେ ଇନ୍ଦୋରର ବ୍ୟସ୍ତବହୁଳ ସରାଫା ବଜାରରେ ବୁଲୁଛନ୍ତି । ସେହି ମାର୍ଗ ଦେଇ ଯାଉଥିବା ଲୋକଙ୍କୁ ସେ ଭିକ ମାଗନ୍ତି ନାହିଁ । କିନ୍ତୁ ଏଭଳି ଭାବେ ବସନ୍ତି ଯେ ଲୋକେ ତାଙ୍କୁ ଦେଖି ଭିକ ଦେବାକୁ ବାଧ୍ୟ ହୁଅନ୍ତି । ଏହି ଭିକାରୀଙ୍କ ନାଁ ମଙ୍ଗିଲାଲ, ଯିଏକି ଜଣେ ଭିନ୍ନକ୍ଷମ କୋଟିପତି । ତାଙ୍କର ୩ଟି ଘର ଅଛି । ତନ୍ମଧ୍ୟରେ ଏକ ସରକାରୀ ଘର ବି ରହିଛି । ଗୋଟିଏ ମାରୁତି ସୁଜୁକି ଡିଜାୟର କାର୍ ଓ ୩ଟି ଅଟୋରିକ୍ସାର ସେ ମାଲିକ ।
ସହରକୁ ଭିକାରୀ-ମୁକ୍ତ କରିବା ପାଇଁ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ଇନ୍ଦୋରରେ ପରିଚାଳିତ ଭିକ୍ଷାବୃତ୍ତି-ବିରୋଧୀ ଅଭିଯାନ ସମୟରେ ମଙ୍ଗିଲାଲଙ୍କ ବିଷୟରେ ଜଣାପଡ଼ିଲା । ଗତ ଶନିବାର ବିଳମ୍ବିତ ରାତିରେ ଯେତେବେଳେ ଉଦ୍ଧାରକାରୀ ଟିମ୍ ସରାଫା ଅଞ୍ଚଳରେ ନିୟମିତ ଭିକ ମାଗୁଥିବା ଜଣେ କୁଷ୍ଠ ରୋଗୀ ଭାବେ ମଙ୍ଗିଲାଲଙ୍କୁ ଉଠାଇଲେ, ତାଙ୍କ ସମ୍ପତ୍ତି ବିଷୟରେ ଜାଣି ଚକିତ ହୋଇଗଲେ । ନିରବ ଭିକ୍ଷାବୃତ୍ତି କଳାରେ ମଙ୍ଗିଲାଲ ପାରଙ୍ଗମ । ସେ କଦାପି ପାଟି ଖୋଲି ଭିକ ମାଗନ୍ତି ନାହିଁ । କେବଳ ନିଜ ଚକଲଗା ଲୁହା ଗାଡ଼ିରେ ବସିରହନ୍ତି । ତା’ପରେ ସହାନୁଭୂତି ସବୁକିଛି କରେ । ଲୋକେ ତାଙ୍କୁ ଇଚ୍ଛା ଅନୁସାରେ ଭିକ ଦିଅନ୍ତି । ଏହା ଜରିଆରେ ମଙ୍ଗିଲାଲ ଦିନକୁ ୪୦୦-୫୦୦ ଟଙ୍କା ଆୟ କରନ୍ତି । କିନ୍ତୁ ଯାଞ୍ଚ୍କର୍ତ୍ତାଙ୍କ ଅନୁସାରେ, ତାଙ୍କର ପ୍ରକୃତ ବ୍ୟବସାୟ ପରଦା ଆଢୁଆଳରେ ଥିଲା ।
ଯାଞ୍ଚ୍କର୍ତ୍ତା ଟିମ୍ ପଚାରିବାରୁ ମଙ୍ଗିଲାଲ ସବୁ ସତ ମାନିଲେ । ଭିକ ମାଗି ସେ ଯେଉଁ ଟଙ୍କା ସଂଗ୍ରହ କରନ୍ତି, ତାକୁ ନିଜେ ଚଳିବା ପାଇଁ ଉପଯୋଗ କରନ୍ତି ନାହିଁ, ବରଂ ନିବେଶ କରନ୍ତି । ସ୍ଥାନୀୟ ବ୍ୟବସାୟୀଙ୍କୁ ସେ ଦିନକ ପାଇଁ କିମ୍ବା ସପ୍ତାହକ ପାଇଁ ନଗଦ ଟଙ୍କା ଉଧାର ଦିଅନ୍ତି ଏବଂ ପ୍ରତି ସନ୍ଧ୍ୟାରେ ଜଣ ଜଣ କରି ସମସ୍ତଙ୍କଠୁ ସୁଧ ଆଦାୟ କରନ୍ତି । ଯାଞ୍ଚ୍ ଅଧିକାରୀଙ୍କ ଆକଳନ ଅନୁସାରେ, ମଙ୍ଗିଲାଲ ୪-୫ ଲକ୍ଷ ଟଙ୍କା ସୁଧରେ ଲଗାଇଛନ୍ତି ଏବଂ ସୁଧ ସମେତ ଦିନକୁ ୧୦୦୦ରୁ ୨୦୦୦ ଟଙ୍କା ଆୟ କରନ୍ତି ।
ଜଣେ କୁଷ୍ଠରୋଗୀ ଭିକାରୀ ଆଜି ସହରର ପ୍ରମୁଖ ସ୍ଥାନରେ ୩ ଘରର ମାଲିକ । ତନ୍ମଧ୍ୟରେ ଏକ ୩ ମହଲା ଅଟ୍ଟାଳିକା ବି ରହିଛି । ୩ଟି ଅଟୋରିକ୍ସା ଓ ଡିଜାୟର କାର୍କୁ ସେ ଦୈନିକ ଭଡ଼ା ଲଗାଇଛନ୍ତି । ତମାମ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଭିନ୍ନକ୍ଷମତା ଯୋଗୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେ ଏକ ଘର ମଧ୍ୟ ପାଇଛନ୍ତି । ମହିଳା ଏବଂ ଶିଶୁ କଲ୍ୟାଣ ଅଧିକାରୀ ତଥା ଉଦ୍ଧାର ଅଭିଯାନର ନୋଡାଲ ଅଫିସର ଦିନେଶ ମିଶ୍ର କହିଛନ୍ତି, ମଙ୍ଗିଲାଲଙ୍କୁ ଉଜ୍ଜୟିନୀର ସେବାଧର୍ମ ଆଶ୍ରମକୁ ପଠାଯାଇଛି । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଓ ସମ୍ପତ୍ତିର ଯାଞ୍ଚ୍ ଚାଲିଛି । ତାଙ୍କଠୁ ଋଣ ନେଇଥିବା ବ୍ୟବସାୟୀଙ୍କୁ ମଧ୍ୟ ପଚରାଉଚରା କରାଯିବ । ସୂଚନାଯୋଗ୍ୟ, ମଙ୍ଗିଲାଲ ୨୦୨୧-୨୦୨୨ରୁ ଭିକ ମାଗୁଛନ୍ତି । ଇନ୍ଦୋରର ଭିକ୍ଷାବୃତ୍ତି-ବିରୋଧୀ ଅଭିଯାନରେ ପ୍ରାୟ ୬,୫୦୦ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ଅଦ୍ୟାବଧି ୪,୫୦୦ ଭିକାରୀ କାଉନ୍ସେଲିଂ ପରେ ଭିକ୍ଷାବୃତ୍ତି ଛାଡ଼ିଛନ୍ତି । ୧,୬୦୦ ଜଣଙ୍କୁ ଉଦ୍ଧାର କରାଯାଇ ଥଇଥାନ କେନ୍ଦ୍ରକୁ ପଠାଯାଇଛି । ୧୭୨ ପିଲାଙ୍କୁ ସ୍କୁଲରେ ଭର୍ତ୍ତି କରାଯାଇଛି ।