ନୂଆଦିଲ୍ଲୀ, ୬।୭: ଭାରତ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତି ସସପେଣ୍ଡ କରାଯିବା ପରଠାରୁ ପାକିସ୍ତାନର ଚିନ୍ତା ଏବେ ଦ୍ଵିଗୁଣିତ ହୋଇଛି । ଏହି ନିଷ୍ପତ୍ତି ପାକିସ୍ତାନର ଅସ୍ତିତ୍ୱ ପ୍ରତି ବଡ଼ ସଙ୍କଟ ସୃଷ୍ଟି କରିଛି ବୋଲି ପାକିସ୍ତାନ ଜଳ ଓ ବିଦ୍ୟୁତ ବିକାଶ ପ୍ରାଧିକରଣ (WAPDA) ର ଚେୟାରମ୍ୟାନ ତଥା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ମୁହମ୍ମଦ ସୟିଦ ପ୍ରକାଶ କରିଛନ୍ତି । ସେ ଆଶଙ୍କା କରିଛନ୍ତି ଯେ, ଏହି କାରଣରୁ ପାକିସ୍ତାନ ଅଧା ସମୟ ମରୁଭୂମି ପାଲଟିବ ତ ଅଧା ସମୟ ବନ୍ୟା ଜଳରେ ବୁଡ଼ି ରହିବ । ପାକିସ୍ତାନୀ ଖବରକାଗଜ 'ଡନ୍' ରେ ଏକ ପ୍ରବନ୍ଧ ଲେଖି ସେ କହିଛନ୍ତି ଯେ, ଭାରତର ଏହି ପଦକ୍ଷେପ ଯୋଗୁଁ ପାକିସ୍ତାନର ଖାଦ୍ୟ, ଜଳ ଏବଂ ଶକ୍ତି ସୁରକ୍ଷା ସମ୍ପୂର୍ଣ୍ଣ ବିପନ୍ନ ହୋଇପଡ଼ିଛି । ସେ ଅଭିଯୋଗ କରିଛନ୍ତି ଯେ, ଭାରତ ପଶ୍ଚିମ ନଦୀଗୁଡ଼ିକରେ ରଣବୀର କେନାଲ ଏବଂ ଚେନାବ-ବ୍ୟାସ ଲିଙ୍କ୍ ଟନେଲ ଭଳି ପ୍ରକଳ୍ପ କାମକୁ ଦ୍ରୁତଗତିରେ ଆଗେଇ ନେଉଛି, ଯାହା ପାକିସ୍ତାନ ପାଇଁ ବିପଦର ଘଣ୍ଟି । ଏଥିସହ ଭାରତ ନଦୀର ଜଳସ୍ତର ସମ୍ପର୍କିତ 'ହାଇଡ୍ରୋଲଜିକାଲ୍ ଡାଟା' ଶେୟାର କରିବା ବନ୍ଦ କରିଦେଇଥିବାରୁ ଗତ ବନ୍ୟା ଋତୁରେ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଏହା ବି ପଢ଼ନ୍ତୁ... Ali Khamenei Funeral: ଖାମେନେଇଙ୍କ ଅନ୍ତିମ ଯାତ୍ରା; ତେହେରାନରେ ଜନସମୁଦ୍ର, ୧୯୮୯ ଭଳି ଦଳାଚକଟା ଆଶଙ୍କା

ପାକିସ୍ତାନ ଉପରେ ପଡ଼ିବାକୁ ଥିବା ୬ଟି ଭୟଙ୍କର ପ୍ରଭାବ:

ପୂର୍ବତନ ପାକ୍ ସେନା ଅଧିକାରୀଙ୍କ କହିବା ଅନୁସାରେ, ଭାରତର ଏହି ନିଷ୍ପତ୍ତି ଯୋଗୁଁ ପାକିସ୍ତାନକୁ ୬ଟି ବଡ଼ ଆଘାତ ସହିବାକୁ ପଡ଼ିବ:

୧. କୃଷି କ୍ଷେତ୍ରରେ ମହାସଙ୍କଟ: ପାକିସ୍ତାନର 'ସିନ୍ଧୁ ବେସିନ୍ ଜଳସେଚନ ବ୍ୟବସ୍ଥା' (IBIS) ବିଶ୍ୱର ସବୁଠାରୁ ବଡ଼ ନେଟୱର୍କ, ଯାହା ଦେଶର ୯୦ ପ୍ରତିଶତରୁ ଅଧିକ ଶସ୍ୟ ଉତ୍ପାଦନ ନିୟନ୍ତ୍ରଣ କରେ । ଜଳ ପ୍ରବାହରେ ଅନିଶ୍ଚିତତା ଯୋଗୁଁ ଏବେ ସେଠାକାର ସମଗ୍ର ଚାଷ କାର୍ଯ୍ୟ ଉଜୁଡ଼ିଯିବା ସ୍ଥିତିକୁ ଚାଲିଆସିଛି ।

୨. ଚେନାବ ନଦୀର ଅସ୍ତିତ୍ୱ ପ୍ରତି ବିପଦ: ଚେନାବ ନଦୀ ଏକାକୀ ପାକିସ୍ତାନର ପ୍ରାୟ ୧ କୋଟି ଏକର କୃଷି ଜମିକୁ ଜଳ ଯୋଗାଇଥାଏ । ଏହି ନଦୀର କ୍ୟାଚମେଣ୍ଟ ଏରିଆ ଭାରତରେ ଥିବାରୁ ପାକିସ୍ତାନ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି ।

୩. ବନ୍ୟା ପୂର୍ବାନୁମାନ କରିବାରେ ବିଫଳତା: ଭାରତ ପକ୍ଷରୁ ଜଳସ୍ତରର ଆକଳନ ତଥା ଡାଟା ରୋକି ଦିଆଯିବା ଫଳରେ ଗତ ମନସୁନ୍‌ରେ ପାକିସ୍ତାନ ବନ୍ୟାର ସଠିକ୍ ପୂର୍ବାନୁମାନ କରିପାରି ନଥିଲା । ଏହାଦ୍ୱାରା ଜୀବନ ଓ ଜୀବିକାର ବଡ଼ କ୍ଷତି ଆଶଙ୍କା ଦେଖାଦେଇଛି ।

୪. ଭାରତୀୟ ପ୍ରକଳ୍ପରୁ ଭୟ: ପାକିସ୍ତାନକୁ କୌଣସି ଗୋଟିଏ ବନ୍ଧରୁ ଭୟ ନାହିଁ, ବରଂ ରଣବୀର କେନାଲ ଏବଂ ଚେନାବ-ବ୍ୟାସ୍ ଲିଙ୍କ୍ ଟନେଲ ଭଳି ଭାରତର ଏକାଧିକ ବଡ଼ ପ୍ରକଳ୍ପର ସାମୂହିକ କ୍ଷମତାକୁ ନେଇ ଭୟ ରହିଛି । ଭାରତ ଚାହିଁଲେ ଯେକୌଣସି ସମୟରେ ପାଣିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରିବ ।

୫. ଜଳବିଦ୍ୟୁତ ସଙ୍କଟ: ପାକିସ୍ତାନର ବିଦ୍ୟୁତ ଉତ୍ପାଦନ ଓ ଅର୍ଥନୈତିକ ବିକାଶ ପଶ୍ଚିମ ନଦୀଗୁଡ଼ିକର ନିରନ୍ତର ଜଳ ପ୍ରବାହ ଉପରେ ନିର୍ଭର କରେ । ପାଣି କମିଲେ ସେଠାରେ ତୀବ୍ର ବିଦ୍ୟୁତ ସଙ୍କଟ ଦେଖାଦେବ ।

୬. SDGs ଲକ୍ଷ୍ୟ ହାସଲ ଅସମ୍ଭବ: ଭାରତର ଏହି କଡ଼ା ଆଭିମୁଖ୍ୟ ଯୋଗୁଁ ଜାତିସଂଘର 'ସଷ୍ଟେନେବଲ୍ ଡେଭେଲପମେଣ୍ଟ ଗୋଲ୍ସ' ହାସଲ କରିବା ପାକିସ୍ତାନ ପାଇଁ ଏବେ ସ୍ୱପ୍ନ ପାଲଟିଯାଇଛି ।

"ଯେତେବେଳେ ସାରା ବିଶ୍ୱ 'ୱାନ୍ ୱାଟର-ୱାନ୍ ଭିଜନ' ଆଧାରରେ ଆଗକୁ ବଢୁଛି, ସେତେବେଳେ ଭାରତ ସମ୍ପୂର୍ଣ୍ଣ ଓଲଟା ଦିଗରେ ଗତି କରୁଛି । ଏହାର ଆଇନଗତ ବିତର୍କ ଯାହା ହେଉନା କାହିଁକି, ପାକିସ୍ତାନ ପାଇଁ ଏହାର ରଣନୈତିକ ପରିଣାମ ଅତ୍ୟନ୍ତ ମାରାତ୍ମକ ହେବ ।" ବୋଲି WAPDA ଅଧ୍ୟକ୍ଷ ମତ ଦେଇଛନ୍ତି ।