ନୂଆଦିଲ୍ଲୀ, ୦୧/୦୪: ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଓ ଅନୁଗାମୀଙ୍କ ସଂଖ୍ୟା ସଫଳତାର ମାନଦଣ୍ଡ ବୋଲି ଅନେକ ଲୋକ ଭାବି ନେଉଛନ୍ତି। ଏହି ସଂଖ୍ୟା ବଢାଇବା ପାଇଁ ଇନଫ୍ଲୁଏନସର୍ମାନେ ଜାଣିବୁଝି ବିବାଦରେ ପଡିବାରୁ ଆରମ୍ଭ କରି ଅନୈତିକ କାମରେ ଲିପ୍ତ ହେଉଥିବାର ଅନେକ ଉଦାହରଣ ଅଛି। ତେବେ ନିଜ ଅନୁଗାମୀ ସଂଖ୍ୟାକୁ ନେଇ ଅସନ୍ତୁଷ୍ଟ ଜଣେ ବ୍ରାଜିଲିଆନ୍ ମହିଳା ଏଥିପାଇଁ ସବୁ ସୀମା ଟପିଯାଇଛନ୍ତି।

ଗତ ବର୍ଷ ଏପ୍ରିଲ୍‌ରେ ମନିକି ଫ୍ରାଗା ନାମ୍ନୀ ୨୭ ବର୍ଷୀୟା ମହିଳା ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଅତି ଚାଞ୍ଚଲ୍ୟକର ଢଙ୍ଗରେ ପ୍ରକାଶ କରିଥିଲେ ଯେ ସେ ଓ ତାଙ୍କ ସ୍ୱାମୀଙ୍କୁ ତିନିଜଣ ବନ୍ଧୁକଧାରୀ ବ୍ୟକ୍ତି ଅପହରଣ କରି ଜଙ୍ଗଲ ଭିତରେ ବନ୍ଧକ ରଖିଥିଲେ। ତାଙ୍କ ସ୍ୱାମୀକୁ ସେମାନେ ମାଡ଼ ମାରିବା ସହ ସେମାନଙ୍କ ପାଖରୁ ସବୁତକ ଜିନିଷ ଛଡାଇ ନେଇଥିଲେ। ଅପହରଣକାରୀଙ୍କ ଦାବି ଅନୁସାରେ ଟଙ୍କା ଦେବା ପରେ ଯାଇ ସେମାନେ ମୁକୁଳିଥିଲେ। ଏ ଘଟଣାବଳୀ ପ୍ରଘଟ କରିବା ପରେ ମନିକିଙ୍କ ପ୍ରତି ସମବେଦନାର ସୁଅ ଛୁଟିଥିଲା ଏବଂ ତାଙ୍କ ଅନୁଗାମୀ ସଂଖ୍ୟା ମଧ୍ୟ ବଢିଯାଇଥିଲା। ପୁଲିସ ଏ ସମ୍ପର୍କରେ ଅବଗତ ହେବା ପରେ ଅନୁସନ୍ଧାନରୁ ଜଣା ପଡିଥିଲା ଯେ ଅପହରଣ ଘଟଣାଟି ସତ। କିନ୍ତୁ ପୁଲିସ ଅପହର୍ତ୍ତାଙ୍କୁ ଖୋଜି ବାହାର କରିବା ପରେ ଅସଲ କାହାଣୀ ଧରା ପଡ଼ିଗଲା। ତିନିଜଣଙ୍କ ମଧ୍ୟରୁ ଜଣେ ଅପହର୍ତ୍ତାର ଫୋନ୍ ଯାଞ୍ଚରୁ ଜଣାପଡିଲା ଯେ ମନିକି ଘଟଣା ପୂର୍ବରୁ ଓ ପରେ ତା’ ସହିତ ଯୋଗାଯୋଗରେ ଥିଲେ।

ନିକଟରେ ପୁଲିସ ମନିକିଙ୍କୁ ଗିରଫ କରିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମନିକିଙ୍କ ସ୍ୱାମୀ ଏ ଯୋଜନା ବିଷୟରେ ଅଜ୍ଞ ଥିଲେ। ତେଣୁ ସେ ଏହାକୁ ସତସତିକା ଅପହରଣ ବୋଲି ଭାବିଥିଲେ ଏବଂ ଅସଲ ମାଡ଼ ମଧ୍ୟ ଖାଇଥିଲେ। ଏହି ଅପହରଣ ନାଟକ କରିଥିବାରୁ ମନିକିଙ୍କୁ କିଛି ବର୍ଷର ଜେଲ୍ ଦଣ୍ଡ ହେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ...ଭାରତକୁ ପ୍ରଥମେ କେବେ ଆସିଥିଲା ପେଟ୍ରୋଲ ? କେଉଁ ଦେଶରୁ ହୋଇଥିଲା ଆମଦାନୀ ? ଜାଣନ୍ତୁ ଏହାର ରୋଚକ ଇତିହାସ