ନୂଆଦିଲ୍ଲୀ, ୧।୪: ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଓ ଉତ୍ତେଜନା ଯୋଗୁଁ ସାରା ବିଶ୍ୱରେ ଇନ୍ଧନ ଦରକୁ ନେଇ ଚିନ୍ତା ବଢ଼ିଛି । ଏହି ସମୟରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଭାରତକୁ ପେଟ୍ରୋଲ ପ୍ରଥମେ କେବେ ଆସିଥିଲା ? କିଏ ଖୋଜିଥିଲା ଏହି ତେଲର ଭଣ୍ଡାର ଏବଂ କେଉଁ ଦେଶରୁ ଆମେ ପ୍ରଥମେ ତେଲ ଆମଦାନୀ କରିଥିଲେ ? ଆସନ୍ତୁ ଜାଣିବା ଭାରତର ପେଟ୍ରୋଲିୟମ ଯାତ୍ରାର ସମ୍ପୂର୍ଣ୍ଣ କାହାଣୀ ।
ଭାରତରେ ପ୍ରଥମ ତେଲ ସନ୍ଧାନ: 'ଡିଗ୍ବୋଇ'ର କାହାଣୀ
ଭାରତରେ ପେଟ୍ରୋଲିୟମର ଇତିହାସ ପ୍ରାୟ ୧୩୫ ବର୍ଷ ପୁରୁଣା । ୧୮୮୯ ମସିହାରେ ଆସାମର ଡିଗ୍ବୋଇ ପ୍ରଥମ କରି ବ୍ୟବସାୟିକ ଭିତ୍ତିରେ ଏକ ସଫଳ ତେଲ କୂଅ ଆବିଷ୍କାର କରାଯାଇଥିଲା । ତେବେ ଏହାର ସଙ୍କେତ ବହୁ ପୂର୍ବରୁ ଅର୍ଥାତ୍ ୧୮୬୬ ମସିହାରୁ ମିଳିସାରିଥିଲା । କୁହାଯାଏ ଯେ, ବ୍ରିଟିଶ ଶାସନ କାଳରେ ଯେତେବେଳେ ରେଳ ଲାଇନ୍ ବିଛାଯାଉଥିଲା, ସେତେବେଳେ ବ୍ରିଟିଶ ଇଞ୍ଜିନିୟରମାନେ ହାତୀ ଗୋଡ଼ରେ ଲାଗିଥିବା ତେଲର ଦାଗ ଦେଖିବାକୁ ପାଇଥିଲେ । ସେମାନେ ଶ୍ରମିକମାନଙ୍କୁ କହିଥିଲେ— "ଡିଗ୍ ବଏ ଡିଗ୍ !" ଏହି ଶବ୍ଦରୁ ହିଁ ସେହି ସ୍ଥାନର ନାମ 'ଡିଗ୍ବୋଇ' ପଡ଼ିଥିଲା ।
ଏହା ବି ପଢ଼ନ୍ତୁ... ସରିବ ଯୁଦ୍ଧ, କମିବ ତେଲ ଦର ! ଟ୍ରମ୍ପ କହିଲେ 'ପାଷାଣ ଯୁଗକୁ ଚାଲିଗଲା ଇରାନ'
ଏସିଆର ପ୍ରଥମ ରିଫାଇନାରୀ:
୧୯୦୧ ମସିହାରେ ଭାରତର ହାଇଡ୍ରୋକାର୍ବନ କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପିତ ହୋଇଥିଲା । ଆସାମ ଅଏଲ୍ କମ୍ପାନୀ ପକ୍ଷରୁ ଡିଗ୍ବୋଇଠାରେ ଏକ ରିଫାଇନାରୀ ସ୍ଥାପନ କରାଗଲା । ଏହା କେବଳ ଭାରତର ନୁହେଁ, ବରଂ ସମ୍ପୂର୍ଣ୍ଣ ଏସିଆ ମହାଦେଶର ପ୍ରଥମ ତେଲ ବିଶୋଧନାଗାର ଥିଲା । ଏହାକୁ ଭାରତର ତେଲ ଶିଳ୍ପର 'ଗଙ୍ଗୋତ୍ରୀ' ବୋଲି କୁହାଯାଏ । ଯଦିଓ ବିଂଶ ଶତାବ୍ଦୀର ଆରମ୍ଭରୁ ପେଟ୍ରୋଲର ଉପଲବ୍ଧତା ବଢ଼ିଥିଲା, କିନ୍ତୁ ସାଧାରଣ ଲୋକଙ୍କ ପାଇଁ ପ୍ରଥମ ପେଟ୍ରୋଲ ପମ୍ପ ୧୯୨୮ ମସିହାରେ ଖୋଲିଥିଲା । ଏସିଆଟିକ ପେଟ୍ରୋଲିୟମ କମ୍ପାନୀ ମୁମ୍ବାଇର ଲ୍ୟାମିଙ୍ଗଟନ୍ ରୋଡ୍ରେ ଦେଶର ପ୍ରଥମ ପେଟ୍ରୋଲ ପମ୍ପ ସ୍ଥାପନ କରିଥିଲା ।
କେଉଁ ଦେଶରୁ ହେଉଥିଲା ଆମଦାନୀ ?
ଭାରତ ପାଖରେ ନିଜସ୍ୱ ତେଲ ଭଣ୍ଡାର ଥିଲେ ମଧ୍ୟ ସେତେବେଳେ ବିଶୋଧନ କ୍ଷମତା ସୀମିତ ଥିଲା । ଫଳରେ ଭାରତକୁ ବହୁ ପରିମାଣରେ ବିଦେଶୀ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ବ୍ରିଟିଶ ଶାସନ ସମୟରେ 'ବର୍ମା ଅଏଲ୍ କମ୍ପାନୀ' ଏବଂ 'ଏସିଆଟିକ ପେଟ୍ରୋଲିୟମ' ଭଳି ସଂସ୍ଥା ଏହି ଦାୟିତ୍ୱ ତୁଲାଉଥିଲେ । ସେତେବେଳେ ମୁଖ୍ୟତଃ ଇରାକ, ଇରାନ, ସାଉଦି ଆରବ ଏବଂ ମିଆଁମାରର ବର୍ମାରୁ ପେଟ୍ରୋଲ ଆମଦାନୀ କରାଯାଉଥିଲା । ଆଜି ମଧ୍ୟ ଭାରତ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଏହି ଉପସାଗରୀୟ ଦେଶଗୁଡ଼ିକ ଉପରେ ବହୁମାତ୍ରାରେ ନିର୍ଭରଶୀଳ । ଡିଗ୍ବୋଇରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଉପଭୋକ୍ତା ଭାବେ ଛିଡ଼ା କରିଛି ।