ଭୁବନେଶ୍ୱର, ୨।୩: ଧୀରେ ଧୀରେ ରାସ୍ତାରୁ ପୁରୁଣା ଗାଡ଼ି ହଟୁଛି । ସ୍କ୍ରାପିଙ୍ଗ୍ ପଲିସି ଜରିଆରେ ୧୫ ବର୍ଷରୁ ପୁରୁଣ ଗାଡ଼ିକୁ କାଟି ଟିକଟିକ କରାଯାଉଛି । ହେଲେ, ଯେଉଁ ହିସାବରେ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଇବାକୁ ଲକ୍ଷ୍ୟ ରଖିଥିଲେ ସରକାର । ସେଥିରେ ଢ଼େର ପଛେଇଛନ୍ତି । ପର୍ଯ୍ୟାପ୍ତ ସ୍କ୍ରାପିଙ୍ଗ୍ ସେଣ୍ଟର ନଥିବାରୁ ଗାଡ଼ି ମାଲିକମାନେ ଆଗଭର ହେଉନାହାନ୍ତି । କଚ୍ଛପ ଗତିରେ ଚାଲିଛି ଏହି ସ୍କ୍ରାପିଂ ନୀତି । ପରିବହନ ବିଭାଗ ତଥ୍ୟ ମୁତାବକ, ସାରା ରାଜ୍ୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ି (୧୫ ବର୍ଷରୁ ଅଧିକ) ଗାଡ଼ି ଗଡୁଛି । ସେଥିରୁ ପ୍ରାୟ ୧୨ ଲକ୍ଷ ହେଉଛି ୨ ଚକିଆ ଯାନ । କିନ୍ତୁ ରାଜ୍ୟରେ ମାତ୍ର ୨ଟି ସ୍କ୍ରାପିଙ୍ଗ୍ ସେଣ୍ଟର ଅଛି । ୩ ବର୍ଷ ତଳୁ ଖୋର୍ଦ୍ଧା ଗୋବିନ୍ଦପୁର ସେଣ୍ଟର ଚାଲୁଥିବା ବେଳେ ଗତବର୍ଷ ଜୁନ୍ ୩ରୁ ଯାଜପୁର କୁଆଖିଆରେ ପୁରୁଣା ଗାଡ଼ି ସ୍କ୍ରାପ୍ କରାଯାଉଛି । କୋରାପୁଟ, ମାଲକାନଗିରି, ସମ୍ବଲପୁର, ମୟୁରଭଞ୍ଜ ଭଳି ଦୂରଦୂରାନ୍ତ ଜିଲ୍ଲାରୁ ପୁରୁଣା ଗାଡ଼ି ୨ଟି ସେଣ୍ଟରକୁ ଆଣି ସ୍କ୍ରାପିଙ୍ଗ୍ କରିବା କାଠିକର ପାଠ ହେଉଛି । ଯେଉଁଥିପାଇଁ ଏହି ନୀତି ପଛେଇଛି ।
ଏହା ବି ପଢ଼ନ୍ତୁ... ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା: ଆଜିଠୁ ଏଚ୍ପିଭି ଟୀକାକରଣ କାର୍ଯ୍ୟକ୍ରମ
ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ହଜାରରୁ ଅଧିକ ଗାଡ଼ିକୁ ସ୍କ୍ରାପିଙ୍ଗ୍ କରାଗଲାଣି । ୨୦୨୫-୨୬ ଆର୍ଥିକ ବର୍ଷର ଏପ୍ରିଲ ପହିଲାରୁ ଜାନୁଆରୀ ଶେଷ ସୁଦ୍ଧା ୨,୪୫୬ ଗା ସ୍କ୍ରାପିଙ୍ଗ୍ କରାଯାଇଛି । କିନ୍ତୁ ଏବେ ବି ପ୍ରଦୂଷଣକୁ ଡାକୁଛି ପୁରୁଣା ଗାଡ଼ି । ଲକ୍ଷ ଲକ୍ଷ ସଂଖ୍ୟାରେ ପୁରୁଣା ଗାଡ଼ି ରାସ୍ତାରେ ବେଧଡ଼କ ଗଡୁଛି । କେଉଁଠି ପୁରୁଣା ଟ୍ରକ ସାଇଲେନ୍ସରରୁ ନିର୍ଗତ କଳା ଧୂଆଁରେ ରାସ୍ତା ଭର୍ତ୍ତି ହୋଇ ଯାଉଛି । ଆଉ କେଉଁଠି ଆମ୍ବାସଡର ଭଳି ଭିଣ୍ଟେଜ୍ କାରକୁ ଯେତେ ସଜାଡ଼ିଲେ ବି ସାଇଲେନ୍ସର ଧୂଆଁକୁ ରୋକି ହେଉନି । ପୁରୁଣା ଗାଡ଼ିକୁ ସ୍କ୍ରାପିଙ୍ଗ୍ କରାଯିବା ପରେ ଗାଡ଼ି ମାଲିକଙ୍କୁ ଏକ ସାର୍ଟିଫିକେଟ ଅଫ୍ ଡିପୋଜିଟ୍ (ସିଓଡି) ଦିଆଯାଉଛି । ଏମାନେ ନୂଆ ଗାଡ଼ି କିଣିଲେ ବେଶ୍ ଲାଭବାନ ହେଉଛନ୍ତି । ଗାଡ଼ି ନିର୍ମାତା କମ୍ପାନୀ ପକ୍ଷରୁ ମଧ୍ୟ ନୂଆ ଗାଡ଼ି କିଣିବା ବେଳେ ରିହାତି ମିଳୁଛି । ମୋଟର ଯାନ ଟିକସରେ ବି ରିହାତି ମିଳୁଛି । ଘରୋଇ ଗାଡ଼ି କିଣିଲେ, ୨୫ ପ୍ରତିଶତ, ପରିବହନ ଗାଡ଼ି ବାବଦକୁ ୧୫ ପ୍ରତିଶତ ରୋଡ୍ ଟ୍ୟାକ୍ସରେ ରିହାତି ଦିଆଯାଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୬୨୪୯ଟି ପୁରୁଣା ଗାଡ଼ି ଅଛି । ସେଥିରୁ ଗୃହ ବିଭାଗରେ ୩୧୫୬ଟି ୧୫ ବର୍ଷରୁ ପୁରୁଣା ଗାଡ଼ି ରହିଛି । ସେଥିରୁ ଓଡ଼ିଶା ପୁଲିସରେ ପ୍ରାୟ ୧,୪୮୩ଟି ଗାଡ଼ି ପୁରୁଣା ।
ବାଣିଜ୍ୟ ଓ ପରିବହନ ବିଭାଗରେ ୪୮୪ଟି, ଗୃହ ଓ ନଗର ଉନ୍ନୟନ ବିଭାଗରେ ୪୨୬ଟି, ଅଗ୍ନିଶମ ବିଭାଗରେ ୩୮୯ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୩୭୮ଟି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୯୩ଟି ଓ ଜଳସମ୍ପଦ ବିଭାଗର ୧୩୪ଟି ଓ ଅର୍ଥ ବିଭାଗରେ ୮୭ଟି ଗାଡ଼ି ଅଛି । ବିଶ୍ୱ ଜଳବାୟ ପରିବର୍ତ୍ତନର ମୁଖ୍ୟ କାରଣ ପାଲଟିଛି ବାୟୁ ପ୍ରଦୃଷଣ । ପୁରୁଣା ଗାଡ଼ି ରାସ୍ତାରେ ଗଡ଼ିବା ଯୋଗୁଁ ପ୍ରଦୂଷଣ ଗ୍ରାଫ୍ ବଢ଼ୁଛି । ଇକୋସିଷ୍ଟମ ଉପରେ ପ୍ରଭାବ ପଡ଼ୁଛି । ପରିବେଶ ସନ୍ତୁଳନ ନ ବିଗିଡ଼ିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପୁରୁଣା ଗାଡ଼ିକୁ ହଟାଇବାକୁ ଗୁରୁତ୍ୱ ଦେଉଛନ୍ତି । ୨୦୨୨ ନଭେମ୍ବରରେ ରେଜିଷ୍ଟ୍ରଡ୍ ଭେହିକିଲ୍ ସ୍କ୍ରାପିଙ୍ଗ୍ ଫ୍ୟାଲିସିଟି ପଲିସି-୨୦୨୨ (ଆର୍ଭିଏସ୍ଏଫ୍ପି) ରେ ରାଜ୍ୟ ସରକାରଙ୍କ ମୋହର ବାଜିଥିଲା । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ରାଶି ମିଳିଛି । ବାହାନ ଡାଟାବେସରୁ ସମସ୍ତ ଗାଡ଼ିର ତଥ୍ୟ ସଂଗ୍ରହ କରାଯାଇ ସ୍କ୍ରାପିଙ୍ଗ୍ ପ୍ରକ୍ରିୟା ଆଗେଇ ଚାଲିଛି ।