ଭୁବନେଶ୍ୱର, ୨୬/୧୨ : ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ‘ବୀର ବାଲ୍’ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଯୋଗଦେଇ ରାଷ୍ଟ୍ର ଧର୍ମର ସୁରକ୍ଷା ପାଇଁ ସହୀଦ ହୋଇଥିବା ମହାପୁରୁଷଙ୍କ ସଂପର୍କରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ‘ବୀର୍ ବାଲ୍’ ଦିବସକୁ ପ୍ରତି ସ୍କୁଲ ଓ କଲେଜରେ ପାଳନ କରାଯାଉଛି । ବୀରତ୍ୱ ଓ ସାହାସର କୌଣସି ବୟସ ନ ଥାଏ । କଠିନ ପରିସ୍ଥିତିରେ ଅନ୍ୟାୟର ସମ୍ମୁଖୀନ ହେଲେ ବି ସାହେବଜାଦା ବାବା ଜୋରାବର ସିଂ ଓ ବାବା ଫତେ ସିଂ ନିଜ ଧର୍ମ ଏବଂ ତ୍ୟାଗର ମୂଲ୍ୟବୋଧକୁ ସେମାନେ ନ ଛାଡ଼ି ସର୍ବୋଚ୍ଚ ବଳିଦାନ ଦେଇଥିଲେ । ଓଡ଼ିଶା ଇତିହାସରେ ଅନେକ ବୀର ବାଳକଙ୍କ ଉଦାହରଣ ରହିଛି । ଛୋଟ ଛୋଟ ଏବଂ କୋମଳମତି ପିଲାମାନେ ମଧ୍ୟ ଦେଶ ଓ ସମାଜ ପାଇଁ ବଡ଼ ପ୍ରେରଣା ହୋଇପାରନ୍ତି ‘ବୀର୍ ବାଲ୍ ଦିବସ’ ଆମକୁ ଶିକ୍ଷା ଦେଉଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଗୁରୁଦ୍ୱାରା ସିଂହ ସଭାର ସଂପାଦକ ଜିତେନ୍ଦର ସିଂହ କହିଛନ୍ତି ଯେ, ଆଜିର ଦିନ କେବଳ ଏକ ତାରିଖ ନୁହେଁ ବରଂ ଏହା ହେଉଛି ବିଳାସମୟ ଜୀବନଯାପନକୁ ପରିତ୍ୟାଗ କରି ସତ୍ୟ, ବୀରତ୍ୱ, ସାହସ ପ୍ରଦର୍ଶନ କରିଥିବା ଦୁଇ ବାଳକଙ୍କୁ ଶତ ଶତ ପ୍ରଣାମ ଜଣାଇବାର ଦିବସ । ଗତ ୨୦୨୨ ମସିହା ଜାନୁଆରୀ ୯ ତାରିଖରେ ଗୁରୁ ଗୋବିନ୍ଦ ସିଂହଙ୍କ ବାର୍ଷିକ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୬ ତାରିଖକୁ ‘ବୀର୍ ବାଲ୍’ ଦିବସ ରୂପେ ଘୋଷଣା କରାଯାଉଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ କହିଛନ୍ତି ଯେ, ଶିଖ୍ ସମାଜରୁ ସମର୍ପଣ, ସେବା, ତ୍ୟାଗ କିପରି କରିବା ତାହା ଜାଣିବା ଦରକାର । ଭାରତର ବୀରଗାଥାରେ ଏପରି ଅନେକ ବଳିଦାନର କାହାଣୀ ରହିଛି ଯାହା ଲୋପ ପାଇଯାଇଥିଲା । ଭାରତର ଶିକ୍ଷା ନୀତିରେ ତାହାକୁ ବର୍ଣ୍ଣନା କରାଯାଇ ନ ଥିଲା । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ବାଲ୍ ବୀର୍ ଜୋରଦାର ସିଂହ ଓ ଫତେହ ସିଂହଙ୍କ ବଳିଦାନ ସଂପର୍କରେ ଚର୍ଚ୍ଚା ଓ ଆଲୋଚନା ହୋଇଥିଲା ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ‘ବୀର୍ ବାଲ୍’ ଦିବସ ପାଳନ

ତ୍ୟାଗର ଶୀର୍ଷରେ ପହଞ୍ଚିବାକୁ ବୟସ ନୁହେଁ, ବୀର ମାନସିକତା ଓ ଦୃଢ ନିଷ୍ଠା ଗୁରୁତ୍ୱପୂର୍ଣ୍ଣ : ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ

 ନିଜ ଧର୍ମ, ସଂସ୍କୃତି ଓ ପରଂପରାକୁ ବଂଚାଇବା ହେଉଛି ମୂଳ ଉଦ୍ଦେଶ୍ୟ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

 ଆଜିର ଦିନ ସତ୍ୟ, ବୀରତ୍ୱ, ସାହସ ପ୍ରଦର୍ଶନ କରିଥିବା ଦୁଇ ବାଳକଙ୍କୁ ଶତ ଶତ ପ୍ରଣାମ ଜଣାଇବାର ଦିବସ : ଜିତେନ୍ଦର ସିଂହ

 ଧର୍ମରକ୍ଷା ପାଇଁ ଜୋରାବର ଓ ଫତେ ସିଂଙ୍କ ସାହସ ଏବଂ ଆଦର୍ଶ ଆଜି ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରିଛି : ବିଷ୍ଣୁ ଦାସ

 ଗୁରୁଦ୍ୱାରରେ ଶ୍ରଦ୍ଧାସୁମନ ଅର୍ପଣ କଲେ ବିଜେପି ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା

ଆଗାମୀ ଭବିଷ୍ୟତ ପିଢୀ ତଥା ଉତରାଧିକାରୀମାନେ ବିଶ୍ୱର ସର୍ବକନିଷ୍ଠ ଶହୀଦ ସାହେବଜାଦା ବାବା ଜୋରାବର ସିଂ ଏବଂ ୯ ବର୍ଷୀୟ ବାବା ଫତେହ ସିଂଙ୍କ ବୀରଗାଥା ସଂପର୍କରେ ଜଣାଇବା ଆମ ସମସ୍ତଙ୍କ ଦାୟୀତ୍ୱ । ଇତିହାସ ପୃଷ୍ଟାରୁ ଲିଭିଯାଉଥିବା ଏଭଳି ଅନେକ ବୀରଗାଥାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ପ୍ରୟାସ କରିଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ରାଜ୍ୟ ଉପସଭାପତି ତଥା ଏହି କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବିଷ୍ଣୁ ଦାଶ କହିଛନ୍ତି । ଭୁବନେଶ୍ୱର ଜିଲ୍ଲା ସଭାପତି ନିରଂଜନ ମିଶ୍ର କାର୍ଯ୍ୟକ୍ରମର ସଂଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଗୁରୁଦ୍ୱାରା ସିଂହ ସଭାର ସଦସ୍ୟ ଅମରଜିତ୍ ସିଂହ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ବରିଷ୍ଠ ନେତା ସୁଦୀପ୍ତ ରାୟ ପ୍ରମୁଖଙ୍କ ସମେତ ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।