ଝାଡ଼ଖଣ୍ଡ, ୨।୮: ମଞ୍ଜିଲେ ଉନ୍‌ହେ ମିଲତି ହେ, ଯିନକେ ସପନୋ ମେ ଜାନ୍ ହୋତି ହେ.. ସିର୍‌ଫ ପଙ୍ଖ ସେ କୁଛ ନେହିଁ ହୋତା, ହୋସଲୋଁ ସେ ଉଡ଼ାନ ହୋତି ହେ । ଠିକ୍ ଏହିଭଳି ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି ୩ ଯୁବକ-ଯୁବତୀ । ସଂଘର୍ଷ କରି ପୂରଣ କରିଛନ୍ତି ବର୍ଷ ବର୍ଷ ଧରି ଦେଖିଥିବା ସ୍ୱପ୍ନ । ଏମାନଙ୍କ ମଧ୍ୟରୁ ଜଣେ ଝାଡ଼ଖଣ୍ଡର ପାହାଡ଼ି ଆଦାବାସୀ ଜନଜାତିର । ଯେଉଁ ଜନଜାତି ବର୍ତ୍ତମାନ ବିଲୁପ୍ତପ୍ରାୟ । ଏଠାରେ ଶିକ୍ଷା କହିବାକୁ ଗଲେ ନାଁକୁ ମାତ୍ର । ଉପାନ୍ତ ଅଞ୍ଚଳର ଝିଅ ଝାଡ଼ଖଣ୍ଡ ଲୋକ ସେବା ଆୟୋଗରେ ହୋଇଛନ୍ତି ଉତ୍ତୀର୍ଣ୍ଣ । ଦ୍ୱିତୀୟ କାହାଣୀ ଜଣେ ଏମିତି ଯୁବକ, ଯାହାଙ୍କର ଗୋଟିଏ ହାତ ନାହିଁ । ସମାଜରେ ଥଟ୍ଟା ପରିହାସ ଶିକାର ହେଉଥିଲେ । କିନ୍ତୁ, ଏସବୁ ପରେ ବି ନିଜ ସଂଘର୍ଷ ଜାରି ରଖିଥିଲେ ଆଉ ଶେଷରେ ପାସ୍ କରିଥିଲେ JPSC ପରୀକ୍ଷା । ଅନ୍ୟ ଜଣେ ଯୁବକ ନିଜ ବାପା ମାଆଙ୍କ ସ୍ୱପ୍ନ ପୂରଣ କରିବାକୁ ଥିଲେ ପ୍ରତିଜ୍ଞାବଦ୍ଧ । ଯିଏ ସ୍ୱିଗିରେ ଡେଲିଭରୀ ବଏର କାମ କରୁଥିଲେ । ଆଉ ଆଜି ସେ ଡେପୁଟୀ କଲେକ୍ଟର । 

ଏମାନଙ୍କ ପାଇଁ ସବୁଠୁ ବଡ଼ ବାଧକ ସାଜିଥିଲା ଅର୍ଥ । ଏ ୩ ଜଣଙ୍କର ସଂଘର୍ଷରୁ ସଫଳତାର କାହାଣୀ ବିଷୟରେ ଆସନ୍ତୁ ଜାଣିବା । ବିଷ୍ଣୁ ମୁଣ୍ଡା । ଯିଏ ଜଣେ ଦିବ୍ୟାଙ୍ଗ । ଲୋକଙ୍କ ଥଟ୍ଟା ପରିହାସ ପରେ ବି JPSC ପରୀକ୍ଷା କ୍ରାକ୍ କରିବା ଲକ୍ଷ୍ୟ ରଖିଥିଲେ ସେ । ଏକାଧିକ ଥର ପରୀକ୍ଷା ଦେଇଥିଲେ ବି ମିଳିନଥିଲା ସଫଳତା । କିନ୍ତୁ, ହାର୍ ମାନିନଥିଲେ । ନିରାଶାକୁ ଆଶାରେ ପରିବର୍ତ୍ତନ କରି JPSCରେ ଉର୍ତ୍ତୀର୍ଣ୍ଣ ହୋଇ ଏବେ ସେ ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । 

ସେହିଭଳି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଝାଡ଼ଖଣ୍ଡର ବବିତା କୁମାରୀ । ୩୭୩ ରାଙ୍କ ରଖି JPSC ପରୀକ୍ଷାରେ ହୋଇଛନ୍ତି ଉତ୍ତୀର୍ଣ୍ଣ । ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଜଙ୍ଗଲରେ ହିଁ ବସବାସ କରନ୍ତି ତାଙ୍କ ପରିବାର । ଆଜି ସେ ଝାଡ଼ଖଣ୍ଡର ସବୁଠୁ ବଡ଼ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ପାଖରେ ନା କୋଚିଂ ନେବାକୁ ଟଙ୍କା ଥିଲା ନା ଏତେ ବଡ଼ ପରୀକ୍ଷାର ପ୍ରସ୍ତୁତି ପାଇଁ କୌଣସି ସୁବିଧା ଥିଲା । କିନ୍ତୁ, ଏସବୁ ପ୍ରତିକୂଳ ପରିସ୍ଥିତି ତାଙ୍କୁ ବିଚଳିତ କରିନଥିଲା । ଯୁଟ୍ୟୁବ୍‌ରୁ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ବବିତା । ଆଉ ଶେଷରେ ହାସଲ କରିଥିଲେ ସଫଳତା । 

ଆଉ ଏକ ସଫଳ କାହାଣୀ ହେଉଛି ସୁରଜ ଯାଦବଙ୍କର । ଝାଡ଼ଖଣ୍ଡର ଗିରିଡିହର ଏକ ଛୋଟ ଗାଁ କପିଲୋର ବାସିନ୍ଦା ସୁରଜ । ସୁରଜଙ୍କ ବାପା ଜଣେ ରାଜମିସ୍ତ୍ରୀ ଏବଂ ମାଆ ଜଣେ ଗୃହିଣୀ । ୧୧୦ତମ ରାଙ୍କ ପାଇ ହୋଇଛନ୍ତି ଡେପୁଟି କଲେକ୍ଟର । ଆର୍ଥିକ ଅସୁବିଧା ଦୂର କରିବା ପାଇଁ ସ୍ୱିଗି ଏବଂ ରାପିଡୋ ଭଳି କମ୍ପାନୀରେ କାମ କରୁଥିଲେ । ଅନ୍ୟପଟେ ପରୀକ୍ଷା ପାଇଁ ଦିନରାତି ଅହରହ ପରିଶ୍ରମ ଜାରି ରଖିଥିଲେ । ବହୁ ବର୍ଷ ଧରି ରାଞ୍ଚିରେ ରହି JPSC ପାଇଁ ପ୍ରସ୍ତୁତି କରୁଥିଲେ । ସୁରଜ କୁହନ୍ତି, ‘ମୋର ଏହି ସଫଳତା ପଛରେ କେବଳ କଠିନ ପରିଶ୍ରମ ନୁହେଁ ବରଂ ମୋ ସ୍ତ୍ରୀ, ଭଉଣୀ ଏବଂ ବନ୍ଧୁଙ୍କ ସମର୍ଥନ ମଧ୍ୟ ରହିଛି । ଯାହା ଯୋଗୁ ମୁଁ JPSCରେ ସଫଳତା ହାସଲ କରିଛି ।’ ଆର୍ଥିକ ଅବସ୍ଥା ଖରାପ ଥିଲେ ବି ସୀମିତ ସମ୍ବଳ ସହିତ ମଧ୍ୟ ସଫଳତା ହାସଲ କରାଯାଇପାରିବ । ଯାହାର ଏକ ଜୀବନ୍ତ ଉଦାହରଣ ସୂରଜ ।