ଭୁବନେଶ୍ବର ୨୩/୦୫: ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆର ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ସାମାଜିକ, ସାହିତ୍ୟିକ, ସାଂସ୍କୃତିକ ଓ ସଭ୍ୟତାଗତ ସାମଞ୍ଜସ୍ୟକୁ ନେଇ ଭୁବନେଶ୍ବରରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ହେବ । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ । ଚଳିତ ମେ' ୨୪ ତାରିଖ ଓ ୨୫ ତାରିଖ ଅର୍ଥାତ୍ ୨ ଦିନ ଧରି ଚାଲିବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ । "କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ ସଂଯୋଗ" ଶୀର୍ଷକ ଉପରେ ଆଲୋଚନା ହେବ । ଏହାଛଡ଼ା ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶେଷ ଭାବରେ ଯୁବପିଢ଼ିଙ୍କୁ ଅବଗତ କରାଇବା ନିମନ୍ତେ ସମ୍ମିଳନୀରେ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଆୟୋଜନ କରାଯିବ।
ସୂଚନାଯୋଗ୍ୟ ଯେ, ପ୍ରାଚୀନ କାଳରେ ଓଡ଼ିଆ ସାଧବପୁଅମାନେ ବାଣିଜ୍ୟ କରିବାକୁ ଜାଭା, ସୁମାତ୍ରା, ଇଣ୍ଡୋନେସିଆ ଆଦି ସ୍ଥାନକୁ ଯାଉଥିଲେ । ଏହି ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ସାଂସ୍କୃତିକ ଭାବ ବିନିମୟର ଉଦାହରଣ ଆଜି ମଧ୍ୟ ଉଭୟ ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପରିଲକ୍ଷିତ ହେଉଛି । ଓଡ଼ିଶାର ପଶୁମୁଖା ନୃତ୍ୟ ଓ ବାଲିର ବାରୋଙ୍ଗ ନୃତ୍ୟ, ମୟୁରଭଞ୍ଜ ଜିଲ୍ଲାର ଛଉ ଓ ଇଣ୍ଡୋନେସିଆର ଗାବା-ଗାବା ନୃତ୍ୟ, ଓଡ଼ିଶାର ଧାରୁଆ ଜନଜାତିର ବିର୍ଲି ନୃତ୍ୟ ଓ ଇଣ୍ଡୋନେସିଆର ଆଦିବାସୀ ନୃତ୍ୟ ଆଦି ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ମଧ୍ୟରେ ରହିଥିବା ସାଂସ୍କୃତିକ ବିନିମୟର ପରିଚୟ ପ୍ରଦାନ କରୁଛି । ଏହି ଦୁଇ ଦିବସୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଓଡ଼ିଶା ଓ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ମଧ୍ୟରେ ରହିଥିବା ସଭ୍ୟତାଗତ ସଂଯୋଗର ଇତିହାସକୁ ପୁନର୍ଜୀବିତ କରିବା ସହିତ ଯୁବପିଢ଼ିଙ୍କ ପାଇଁ ଏକ ଶୈକ୍ଷିକ ବିଷୟ ବସ୍ତୁ ଭଳି କାର୍ଯ୍ୟ କରିବ ବୋଲି ଜନସାଧାରଣରେ ମତପ୍ରକାଶିତ ପାଇଛି ।