ନୂଆଦିଲ୍ଲୀ,୨୧/୦୬: ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ଯୋଗ ଜରୁରୀ । ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ବ୍ୟାୟାମ ଉତ୍କୃଷ୍ଟ ମାଧ୍ୟମ । ଯୋଗ ଦ୍ବାରା ମଣିଷ ଚାପମୁକ୍ତ ହେବା ସହ ଶାନ୍ତି ଫେରି ପାଇଥାଏ । ଆଉ ସୁସ୍ଥ ଏବଂ ସନ୍ତୁଳିତ ଜୀବନଯାପନ କରିଥାଏ । ଯୋଗ ହେଉଛି ଜୀବନ ଶୈଳୀର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଏବଂ ଶରୀରର ସୁରକ୍ଷା କବଚ। ଯୋଗ ସାମ୍ନାରେ ହାର୍ ମାନିଥାଏ ରୋଗ ବୈରାଗ୍ୟ । ତେଣୁ ଅନ୍ତର୍ଜତୀୟ ଯୋଗ ଦିବସରେ ସୁସ୍ଥ ଓ ସରଳ ଜୀବନ ଶୈଳୀ ପାଇଁ ପୁଣି ଯୋଗ ସହ ଯୋଡ଼ି ହୋଇଛି ସାରା ଜଗତ । ଯୁବପୀଢି ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଯୋଗକୁ ଆପଣାଇଛନ୍ତି । ଆଜି ଯୋଗ ଦିବସରେ ବିଶ୍ବର ବିଭିନ୍ନ ସ୍ଥାନରେ ସ୍ବତନ୍ତ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଛି ।
ଏକାଦଶ ତମ ଇଣ୍ଟର ନ୍ୟାସନାଲ ‘ୟୋଗା’ ଡେ’ରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ନେତୃତ୍ବ ନେଇଛନ୍ତି । ଏଠାରେ ଯୋଗ ଦିବସ ପାଳନ ପାଇଁ ଆରକେ ବେଳାଭୁମି ଠାରୁ ଭୋଗପୁରମ୍ ପର୍ଯ୍ୟନ୍ତ ୨୬ କିଲୋମିଟରର ଏକ ଲମ୍ବା କରିଡର ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷର ଥିମ୍ ରହିଛି ‘ୟୋଗା ଫର୍ ଓ୍ବାନ ଅର୍ଥ, ଓ୍ବାନ ହେଲ୍ଥ’ । ଯୋଗ ଦିବସରେ ଆଜି ଯୋଗମୟ ହୋଇଛି ଜଗତ ।
ଯୋଗ, ଭାରତର ଏକ ପ୍ରାଚୀନ ସଂସ୍କୃତି । ଏହା ମନ, ଶରୀର ଓ ଆତ୍ମାର ମହାମିଳନ କରିଥାଏ । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ । ପ୍ରସିଦ୍ଧ ଯୋଗ ଗୁରୁମାନଙ୍କ ପାଇଁ ଯୋଗ ସାଧନା ଭାରତୀୟ ଜୀବନ ଶୈଳୀକୁ ଉତ୍କୃଷ୍ଟ କରିଛି । ଯୋଗ ଶବ୍ଦ ମୂଳ ସଂସ୍କୃତ ଜୁଜ୍ ଶବ୍ଦରୁ ଆସିଛି, ଯାହାର ଅର୍ଥ ସଂଯୋଗ କରିବା । ଖ୍ରୀଷ୍ଟପୂର୍ବ ୫ଶହ ବର୍ଷ ପୂର୍ବରୁ ଯୋଗର ଉତ୍ପତ୍ତି ହୋଇଥିଲା । ଯୋଗ ବିଜ୍ଞାନରେ ସୂର୍ଯ୍ୟଙ୍କର ଆଧ୍ୟାତ୍ମକ ଗୁରୁତ୍ବ ରହିଛି । ପରବର୍ତ୍ତୀ ସମୟରେ ସୂର୍ଯ୍ୟ ନମସ୍କାର, ପ୍ରାଣାୟମ୍ ଓ ଶ୍ବାସ ନିୟମନ୍ତ୍ରଣ ଆଦି ପ୍ରକ୍ରିୟା ସୂର୍ଯ୍ୟଙ୍କ ଦ୍ବାରା ଅନୁପ୍ରାଣିତ ବୋଲି କୁହାଯାଏ । ଯୋଗ ପ୍ରମାଣ ଉପନିଷେଦ, ସ୍ମୃତି, ପୂରାଣ, ପାଣନିଙ୍କ ଲେଖା, ମହାଭାରତ ତଥା ରାମାୟଣର ମହାକାବ୍ୟରେ ମଧ୍ୟ ଦେଖିବାକୁ ମିଳିଥାଏ ।
୨୦୧୪ ଅନ୍ତର୍ଜାତୀୟ ଯୋଗ ଦିବସର ମୂଳଦୁଆ ପକାଇଥିଲା ଭାରତ । ଜାତିସଂଘର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ରାଷ୍ଟ୍ରର ସଦସ୍ୟ ମାନଙ୍କୁ ଯୋଗର ମହତ୍ବ ସଂପର୍କରେ ଅବଗତ କରାଇଥିଲେ । ଜୁନ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ । ପିଏମ୍ ମୋଦିଙ୍କ ଏହି ପ୍ରସ୍ତାବ ଉପରେ ଆମେରିକା, କାନାଡା, ଚୀନ ସମେତ ପ୍ରାୟ ୧୯୩ଟି ଦେଶର ସଦସ୍ୟମାନେ ମୋହର ମାରିଥିଲେ । ଏହା ପରେ ୨୦୧୫ ଠାରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରତି ବର୍ଷ ଜୁନ୍ ୨୧ ତାରଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ।