ନୂଆଦିଲ୍ଲୀ, ୦୧/୦୪: ଆମେରିକାଇସ୍ରାଏଲ ଏବଂ ଇରାନ ଯୁଦ୍ଧ ଯୋଗୁ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ପ୍ରଭାବିତ ହୋଇଥିବାରୁ ସାରା ବିଶ୍ୱରେ ଶକ୍ତି ସଙ୍କଟ ଉପୁଜିଛି । କାରଣ ହୋର୍ମୁଜ ପ୍ରଣାଳୀ ଦେଇ ଦୁନିଆର ୨୦% ଅଶୋଧିତ ତୈଳ ଏବଂ ୨୫% ଏଲ୍‌ଏନ୍‌ଜି ପରିବହନ ହୋଇଥାଏ । ଶକ୍ତି ସଙ୍କଟ ପରେ ବିଶ୍ୱ ଏବେ ଆହୁରି ଭୟଙ୍କର ସଙ୍କଟର ସାମ୍ନା କରିବାକୁ ଯାଉଛି । ଯୁଦ୍ଧ ଯୋଗୁ ହୋର୍ମୁଜ ରାସ୍ତାରେ ବିଛା ଯାଇଥିବା ଇଣ୍ଟରନେଟ କେବଲ କ୍ଷତିଗ୍ରସ୍ତ ହେଲେ ସାରା ବିଶ୍ୱରେ ଇଣ୍ଟରନେଟ ଠପ୍ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ବିଶେଷଜ୍ଞଙ୍କ ମତରେ ହୋର୍ମୁଜ କେବଳ ଏନର୍ଜୀ ଚେକ୍‌ପଏଣ୍ଟ ନୁହେଁ ବରଂ ଏକ ଡିଜିଟାଲ ଚେକ୍‌ପଏଣ୍ଟ ମଧ୍ୟ । ଏହି କ୍ଷେତ୍ରରେ ସଂଘର୍ଷ ବଢ଼ିଲେ କିମ୍ବା କେବଲ କ୍ଷତିଗ୍ରସ୍ତ ହେଲେ ଇଣ୍ଟରନେଟ ବ୍ଲାକ୍‌ଆଉଟର ଆଶଙ୍କା ରହିଛି ।

ଦୁନିଆର ପ୍ରାୟ ୯୫ରୁ ୯୭% ଡାଟା ଫାଇବର ଅପ୍ଟିକ୍ସ କେବଲ ଜରିଆରେ ଟ୍ରାନ୍ସଫର ହୋଇଥାଏ । ଏହି କେବଲ ସମୁଦ୍ର ତଳେ ବିଛା ଯାଇଥାଏ । ଭାରତକୁ ୟୁରୋପ, ଆଫ୍ରିକା ଏବଂ ପଶ୍ଚିମ ଏସିଆ ସହ ଯୋଡ଼ୁଥିବା ପ୍ରମୁଖ କେବଲ ଏହି ରୁଟ୍ ଦେଇ ଯାଇଛି । ସେଥିମଧ୍ୟରେ ଏସ୍‌ଇଏ-ଏମ୍‌ଇ-ଡବ୍ଲ୍ୟୁଇ, ଏଏଇ-୧ ଏବଂ ଇଆଇଜି ଭଳି ବଡ଼ କେବଲ ସିଷ୍ଟମ ରହିଛି । ଭାରତର ଡିଜିଟାଲ ଇକୋନୋମି ଅତ୍ୟଧିକ ଭାବେ ସାମୁଦ୍ରିକ ରୁଟ୍ ଉପରେ ନିର୍ଭରଶୀଳ । ଭାରତର ଅଧିକାଂଶ ଇଣ୍ଟରନ୍ୟାସନାଲ ଇଣ୍ଟରନେଟ ବ୍ୟାଣ୍ଡୱିଡ୍‌ଥ ଆରବ ସାଗର ଏବଂ ଉପସାରଗୀୟ କ୍ଷେତ୍ର ଦେଇ ଯାଇଛି । ଯଦି ଏହି କେବଲକୁ କ୍ଷତି ପହଞ୍ଚେ ତେବେ ଟ୍ରାଫିକ୍କୁ ଲମ୍ବା ‘ପାସିଫିକ୍ ରୁଟ୍’ରେ ଡାଇଭର୍ଟ କରିବାକୁ ପଡ଼ିବ । ଏଥିଯୋଗୁ ଲାଟେନ୍ସି ଅର୍ଥାତ ଡାଟା ଟାଇମ୍ ବଢ଼ିଯିବ । ଇଣ୍ଟରନେଟ ସ୍ପିଡ୍ କମିଯିବ । ବିଭିନ୍ନ ଆପ୍‌ରେ ବଫରିଂ ସମସ୍ୟା ଦେଖାଯିବ ।

ଭାରତର ଆଇଟି ଏବଂ ଆଉଟସୋର୍ସିଂ ସେକ୍ଟର ପ୍ରାୟ ୨୩.୪୮ ଲକ୍ଷ କୋଟି ଟଙ୍କାର । ଆମେରିକା ଏବଂ ୟୁରୋପୀୟ କ୍ଲାଇଣ୍ଟଙ୍କ ସହ ରିଅଲ-ଟାଇମ କନେକ୍ଟିଭିଟି ଏହି ଲୋଲାଟେନ୍ସି ନେଟୱର୍କ ଉପରେ ନିର୍ଭର କରେ । କେବଲ କଟିଲେ କମ୍ପାନୀଗୁଡ଼ିକର ବେଶ୍ କ୍ଷତି ହେବ । ଏହାଦ୍ୱାରା ସେବା ଚୁକ୍ତି ପ୍ରଭାବିତ ହୋଇପାରେ ଏବଂ ଜରିମାନା ଲାଗିପାରେ । ଏହାବ୍ୟତୀତ ଉପସାଗରୀୟ ଦେଶଗୁଡ଼ିକରୁ ଭାରତକୁ ପଠାଯାଉଥିବା ଅର୍ଥ ବା ରେମିଟାନ୍ସ ଏବଂ ସ୍ୱିଫ୍ଟ ଭଳି ବୈଶ୍ୱିକ ବ୍ୟାଙ୍କିଙ୍ଗ ନେଣଦେଣ ମଧ୍ୟ ଧିମେଇପାରେ ।

ତେବେ ଇଣ୍ଟରନେଟକୁ ଏପରି ଡିଜାଇନ କରାଯାଇଛି ଯେ, ଗୋଟିଏ ପଟ ରାସ୍ତା ବନ୍ଦ ହେଲେ ଅନ୍ୟ ରାସ୍ତାକୁ ଟ୍ରାଫିକ୍ ଡାଇଭର୍ଟ ହୋଇଯିବ । ତେଣୁ ସମ୍ପୂର୍ଣ୍ଣ ଇଣ୍ଟରନେଟ ବ୍ଲାକଆଉଟ ହେବା ସମ୍ଭାବନା କମ୍ । ତେବେ ରିରୁଟିଂ ଯୋଗୁ ବିକଳ୍ପ ରାସ୍ତାରେ ଲୋଡ୍ ବଢ଼ିବ ଏବଂ ଏଥିଯୋଗୁ ଇଣ୍ଟରନେଟ ସ୍ପିଡ୍ ବେଶ୍ କମିଯିବ । ସେୟାର ବଜାର ଭଳି ସେକ୍ଟରରେ ହାଇସ୍ପିଡ୍ ଇଣ୍ଟରନେଟ୍ ବେଶ୍ ଗୁରୁତ୍ୱ ରଖୁଥିବାବେଳେ ଇଣ୍ଟରନେଟ୍ ସ୍ପିଡ୍ କମିଲେ ଅନେକ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ । ଏ ସବୁକୁ ଦୃଷ୍ଟିରେ ରଖି ଭାରତ ଅନ୍ୟ ବିକଳ୍ପ ଉପରେ ବିଚାର କରୁଛି । ଆମେରିକୀୟ ଉଦ୍ୟୋଗପତି ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଭଳି ସାଟେଲାଇଟ ଇଣ୍ଟରନେଟ ସର୍ଭିସ୍ ଆପଣାଯିବା ସହ ସମ୍ବେଦନଶୀଳ କ୍ଷେତ୍ରକୁ ବାଇପାସ୍ କରୁଥିବା କ୍ଷେତ୍ରରେ କେବଲ ବିଛାଇବା ଉପରେ ମଧ୍ୟ ଚିନ୍ତା କରାଯାଉଛି ।

ଆହୁରି ପଢ଼ନ୍ତୁ...‘ଭାଙ୍ଗୁଛି ଇରାନୀ ସେନାଙ୍କ ମନୋବଳ, ଟ୍ରମ୍ପ ଇରାନର ସାମରିକ ଶକ୍ତିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପ୍ରତିଜ୍ଞା କରିଛନ୍ତି’ : ଆମେରିକା ପ୍ରତିରକ୍ଷା ମନ୍ତ୍ରୀ