ଭୁବନେଶ୍ବର,୨୪।୪ : ସୁନ୍ଦରଗଡ଼ ଜିଲ୍ଲା ବରକାନି ଗାଁରେ ରେଳ ଲାଇନ ନିର୍ମାଣକୁ ବିରୋଧ କରି  ଗତ ୧୯ ତାରିଖରେ ଉତ୍ତେଜନା ଦେଖା ଦେଇଥିଲା । ଏଥିରେ  ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ  ଜାତୀୟ ଅନୁସୂଚିତ ଜନଜାତି ଆୟୋଗ  ହସ୍ତକ୍ଷେପ କରିଛନ୍ତି। ଜିଲ୍ଲାପାଳ, ପୁଲିସ ଅଧିକ୍ଷକ ଏବଂ ଭାରତୀୟ ଇସ୍ପାତ ପ୍ରାଧିକରଣ ଠାରୁ କାର୍ଯ୍ୟାନୁଷ୍ଠାନ  ରିପୋର୍ଟ ମାଗିଛନ୍ତି। 

 ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଦୁମେରତା ପର୍ଯ୍ୟନ୍ତ  ପ୍ରସ୍ତାବିତ ରେଳ  ଲାଇନ ନିର୍ମାଣକୁ ବିରୋଧ  କରି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  ଏହି ସମୟରେ  ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଏହି ଘଟଣାରେ  ଜଣେ  ଆଦିବାସୀ ଗ୍ରାମବାସୀ ଜେସିବି ତଳେ ଚାପି ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା।  ଆୟୋଗ ଏହି ଘଟଣା ସମ୍ପର୍କରେ  ସୁନ୍ଦରଗଡ଼ ଜିଲ୍ଲାପାଳ, ପୁଲିସ ଅଧିକ୍ଷକ ଏବଂ ଭାରତୀୟ ଇସ୍ପାତ ପ୍ରାଧିକରଣର ଅଧିକାରୀଙ୍କୁ ନେଟିସ ଜାରି କରି ଜବାବ ତଲବ କରିଛନ୍ତି । ଘଟଣାରେ  ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟାତ୍ମକ ବିବରଣୀ ଏବଂ ରିପୋର୍ଟ ଦାଖଲ କରିବାକୁ ଆୟୋଗ କହିଛନ୍ତି।    ଖୁବଶୀଘ୍ର ଆୟୋଗଙ୍କ  ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରିବେ।