ଭଞ୍ଜନଗର,୪/୧୨ : ଘୁମୁସର ଉନ୍ନୟନ ମଞ୍ଚ ଭୁବନେଶ୍ବର ଓ ଘୁମୁସର ବିକାଶ ପରିଷଦ ଭଞ୍ଜନଗରର ମିଳିତ ସହଯୋଗରେ ରାଜଧାନୀ ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ଆସନ୍ତା ଫେବୃୟାରୀ ୧୦ ଓ ୧୧ତାରିଖରେ ଦୁଇ ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ଘୁମୁସର ମହୋତ୍ସବରେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆୟୋଜକ କମିଟିର କିଛି ସଦସ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମାଝି ମଧ୍ୟ ଏହାକୁ ସାଦରେ ଗ୍ରହଣ କରିଛନ୍ତି ।
ସୂଚନା ଅନୁସାରେ, ଉଭୟ ସଂସ୍ଥାର ସଭାପତି ପ୍ରଫେସର ବାଲ୍ମୀକି ପଟ୍ଟନାୟକ ଓ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ସହ ବିଜେପି ନେତା ମହେଶ ମହାନ୍ତି ପ୍ରମୁଖ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ନିମନ୍ତ୍ରଣ ଜଣାଇଛନ୍ତି । ଉତ୍କଳର ଉକୃଷ୍ଟ ଓଡ଼ିଶାର ବିରଳ ଘୁମୁସର ମାଟିର କଳା, ସଂସ୍କୃତି, ସାହିତ୍ୟ, ସାଧନା ଓ ବୀର ଭୂମିର ଝଲକକୁ ଘୁମୁସର ମହୋତ୍ସବ ମାଧ୍ୟମରେ ଆଗାମୀ ଫେବୁୟାରୀ ୧୦ ଓ ୧୧ରେ ଭଞ୍ଜକଳା ମଣ୍ଡପ ଭୁବନେଶ୍ବରଠାରେ ପ୍ରଦର୍ଶନ କରାଯିବାର ବିଧିବଦ୍ଧ କାର୍ଯ୍ୟକ୍ରମ ରହିଛି I
ଏଥିରେ ଘୁମୁସର ଅଞ୍ଚଳର ଲୋକକଳା ଓ ଲୋକନୃତ୍ୟର ମହାକୁମ୍ଭ ଅନୁଷ୍ଠିତ ହେବ। ଯେଉଁଥିରେ ଓଡ଼ିଆ ଭାଷାର ସୁରକ୍ଷା ଓ ଅସ୍ମିତାର ପ୍ରତୀକ ବୀର ଚକରା ଓ ଦୋହରା ବିଷୋୟୀ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କୀର୍ତ୍ତି ଗାଥା ସହ ପୁରାତନ ସଖୀ ନାଟ, ଭାରତ ଲୀଳା, ଦ୍ଵାରୀ, ନବରଙ୍ଗୀ, ଦIଶକାଠିଆ, ଘୁଡ଼ିକି, ଗାହଣ, ପ୍ରହଲାଦ ନାଟକ, ରାଧାପ୍ରେମ ଲୀଳା, କୃଷ୍ଣଲୀଳା, ଘୋଡ଼ା ନାଚ, ଯୋଡ଼ି ଶଙ୍ଖ, କାଠି ନାଚ, କେନ୍ଦରା, ପଷୁମୁଖା, ବାଘ ନାଚ, କଣ୍ଢେଇ ଓପେରା, ଡେରାଭେଶ, ଢୋଲ, ଢଣକୋଇଲା, ଓଡ଼ିଶୀ ଓ ଭଞ୍ଜ ସଙ୍ଗୀତ ପରିବେଷଣ କରାଯିବ । ଏଥିସହ ଏଠାରେ ଘୁମୁସର ଅଞ୍ଚଳର ଗୋବର କଣ୍ଢେଇ, ପିତଳ ମାଛ, କାଷ୍ଠ କାରିଗରୀ କାମ ପ୍ରଦର୍ଶିତ ହେବା ପାଇଁ ସ୍ଥିର କରାଯାଇଥିବା ପ୍ରଫେସର ବାଲ୍ମୀକି ପଟ୍ଟନାୟକ ସୂଚନା ଦେଇଛନ୍ତି।