PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଆଜିଠୁ ଆଇପିଏଲ୍‌-୧୬: ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ, ୪ବର୍ଷ ପରେ ଘରୋଇ ଗ୍ରାଉଣ୍ଡ୍‌ରେ ଖେଳିବେ ସବୁ ଦଳ

ଅହମ୍ମଦାବାଦ,୩୧/୦୩: ଆଜି ଆରମ୍ଭ ହେବ ଆଇପିଏଲ୍‌ର ୧୬ତମ ସଂସ୍କରଣ । ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ପ୍ରଥମ ମ୍ୟାଚ୍‌ ଖେଳାଯିବ । ବିଶ୍ୱର ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମର ଲକ୍ଷାଧିକ ଦର୍ଶକ ବସି ମ୍ୟାଚ୍‌ର ରୋମାଞ୍ଚ ନେବେ ।

ଗୁଜରାଟ ଟାଇଟନ୍ସର ଘରୋଇ ଗ୍ରାଉଣ୍ଡ୍‌ ହୋଇଥିଲେ ହେଁ ଏଠାରେ ‘ଧୋନି…ଧୋନି..’ ସ୍ୱରରେ ଷ୍ଟାଡିୟମ୍‌ କମ୍ପି ଉଠିବ । ଖାଲି ସେତିକି ନୁହେଁ, ଆଗାମୀ ୨ମାସ ପର୍ଯ୍ୟନ୍ତ ସମଗ୍ର ଭାରତ ଆଇପିଏଲ୍‌ର ମୋହରେ ପଡ଼ିଯିବ । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୧୦ଟି ଦଳକୁ ନେଇ ଖେଳାଯାଉଥିବା ଆଇପିଏଲ୍‌ରେ ମୋଟ୍‌ ୭୩ଟି ମ୍ୟାଚ୍‌ ରହିଛି । ମେ’ ମାସ ୨୮ ତାରିଖରେ ଫାଇନାଲ୍‌ ଖେଳାଯିବ ।

ଗୁଜରାଟ ଟାଇଟନ୍ସ ଡିଫେଣ୍ଡିଂ ଚାମ୍ପିଅନ୍‌ ହୋଇଥିଲେ ହେଁ ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ୪ଥର ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ସମେତ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଟାଇଟଲ ଦୌଡ଼ରେ ରହିବେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ମଧ୍ୟ ଯଥେଷ୍ଟ ଶକ୍ତିଶାଳୀ ରହିଛି । ଟାଇଟଲ ସ୍ୱପ୍ନ ପୂରଣ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ଏଥର ସବୁ ଶକ୍ତି ଖଟାଇବାକୁ ପ୍ରୟାସ କରିବ ।

ଏଥର ଆଇପିଏଲ୍‌ ପାଇଁ ଲାଗୁ କରାଯାଇଥିବା କିଛି ନିୟମ ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛି । ଯେପରିକି ‘ଇମ୍ପାକ୍ଟ ପ୍ଲେୟାର’ ନିୟମକୁ ନେଇ କ୍ରିକେଟ୍‌ପ୍ରେମୀ ଏବେଠୁ ତର୍ଜମା ଆରମ୍ଭ କରିଦେଇଛନ୍ତି । ଏହି ନିୟମ ଜରିଆରେ ପ୍ରତ୍ୟେକ ଦଳ ମ୍ୟାଚ୍‌ ସମୟରେ ଜଣେ ଖେଳାଳିଙ୍କୁ ବାଦ ଦେଇ ଦ୍ୱାଦଶତମ ଖେଳାଳିଙ୍କୁ ଏକାଦଶରେ ସାମିଲ କରିପାରିବେ ।

ଅମ୍ପାୟାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଅଧିନାୟକ ଡିଆରଏସ୍‌ ନେବାର ନଜିର ରହିଛି । ମାତ୍ର ଏହା କେବଳ ଏଲ୍‌ବିଡବ୍ଲ୍ୟୁରେ ସୀମିତ ରହିବ ନାହିଁ। ଏଥର ଆଇପିଏଲ୍‌ରେ ଅମ୍ପାୟାରଙ୍କ ନୋ ବଲ୍‌ କିମ୍ବା ୱାଇଡ୍‌ ବଲ୍‌ ନିଷ୍ପତ୍ତିର ଚ୍ୟାଲେଞ୍ଜ କରି ଅଧିନାୟକ ଡିଆରଏସ୍‌ ନେଇପାରିବେ ।

ସମ୍ବନ୍ଧିତ ଖବର