ଆଇପିଏଲ୍-୨୦୨୩: ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ, ସାମ୍ନା ସାମ୍ନି ହେବେ ରୋହିତ-କୋହଲି

ବେଙ୍ଗାଲୁରୁ, ୦୨/୦୪: ଚଳିତ ଆଇପିଏଲ୍ରେ ରବିବାର ଆଉ ଏକ ରୋମାଞ୍ଚକର ମୁକାବିଲା ରହିଛି । ଭାରତୀୟ କ୍ରିକେଟ୍ର ଦୁଇ ପ୍ରସିଦ୍ଧ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ସାମ୍ନା ସାମ୍ନି ହେବେ । ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ । କୋହଲି ରୟାଲ ଚ୍ୟାଲେଞ୍ଜର୍ସ ନେତୃତ୍ୱ ଛାଡ଼ି କେବଳ ବ୍ୟାଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି । ମାତ୍ର ତାଙ୍କ ରାଜୁତି ପୂର୍ବବତ୍ ଜାରି ରହିଛି ।
ରୟାଲ୍ ଚ୍ୟାଲେଞ୍ଜର୍ସର ଘରୋଇ ଗ୍ରାଉଣ୍ଡ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ହେବ । ୩ବର୍ଷ ପରେ ଘରୋଇ ଗ୍ରାଉଣ୍ଡକୁ ମ୍ୟାଚ୍ ଫେରିଥିବାରୁ ରୟାଲ୍ ଚ୍ୟାଲେଞ୍ଜର୍ସ ସମର୍ଥକଙ୍କ ଉତ୍ସାହ ଶିଖର ଛୁଇଁଛି । ଗତ ୩ଟି ଯାକ ସିଜନରେ ରୟାଲ୍ ଚ୍ୟାଲେଞ୍ଜର୍ସ ପ୍ଲେ-ଅଫ୍ ଖେଳିଛି । ତେଣୁ ଏଥର ଆଉ ଗୋଟିଏ ପାଦ ଉପରକୁ ଉଠି ଫାଇନାଲ୍ରେ ପହଞ୍ଚିବାକୁ ଦଳ ଆଶା ବାନ୍ଧିଛି । କୋହଲି ଫର୍ମକୁ ଫେରିଛନ୍ତି । ଫାଫ ଡୁ ପ୍ଲେସି ଓ ଗ୍ଲେନ ମ୍ୟାକ୍ସୱେଲ୍ ନିୟମିତ ଭାବେ ଟି-ଟ୍ୱେଣ୍ଟି ଲିଗ୍ ଖେଳୁଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ର ସବୁଠୁ ସଫଳ ଦଳ । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ଗତ ସିଜନରେ ଦଳ ଅନ୍ତିମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ତେଣୁ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ କରିବ । ଗତ ବର୍ଷ ତୁଳନାରେ ଏଥର ମୁମ୍ବାଇ ଇଣ୍ଡିଆନ୍ସ ଅଧିକ ସନ୍ତୁଳିତ ମନେ ହେଉଛି । ଚର୍ଚ୍ଚିତ ଅଲ୍ରାଉଣ୍ଡର କାମେରନ୍ ଗ୍ରୀନ୍ଙ୍କ ଉପସ୍ଥିତି ଦଳକୁ ସୁଦୃଢ କରିଛି । ସେହିପରି ଜୋଫ୍ରା ଆର୍ଚର ଫିଟ୍ ହୋଇ ଫେରିବା ଫଳରେ ଦଳ ପୁନର୍ବାର ରାଜୁତି କରିବ ବୋଲି ଆଶା କରାଯାଉଛି ।
ଜସପ୍ରୀତ ବୁମରା ଓ ଝେୟ ରିଚାର୍ଡସନଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବ ବୋଲି ଅନେକ ମତ ଦେଇଛନ୍ତି । ମାତ୍ର ତାଙ୍କ ବିନା ଦଳ ସନ୍ତୁଳିତ ରହିଛି । ଜାସନ ବେହରନଡର୍ଫ ଓ ସନ୍ଦିପ ୱାରିୟର ପେସ୍ ବୋଲିଂରେ ଆର୍ଚରଙ୍କୁ ସହାୟତା କରିବେ । ରମଣଦୀପ ସିଂହଙ୍କ ମିଡିୟମ ପେସ୍ ବେଶ୍ ପ୍ରଭାବଶାଳୀ ରହିବ । ସ୍ପିନର ଭାବେ ହ୍ରିତିକ ସୋକିନ ଓ କୁମାର କାର୍ତ୍ତିକେୟଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ ।
ରୟାଲ୍ ଚ୍ୟାଲେଞ୍ଜର୍ସ ଦଳରେ ତାରକା ଖେଳାଳିଙ୍କ ଅଭାବ ନାହିଁ । ତଥାପି ଆହତ ସମସ୍ୟା ଚିନ୍ତା ସୃଷ୍ଟି କରିଛି । ଜୋସ ହାଜେଲଉଡ୍, ରଜତ ପାତିଦାର ଆହତ ଥିବାବେଳେ ୱାନିଣ୍ଡୁ ହସରଙ୍ଗା ଏପର୍ଯ୍ୟନ୍ତ ଭାରତରେ ପହଞ୍ଚି ନାହାନ୍ତି । ଏମାନଙ୍କ ଅନୁପସ୍ଥିତିରେ ସନ୍ତୁଳିତ ଏକାଦଶ ଗଠନ କରିବା କଷ୍ଟକର ହେବ। ତଥାପି ମାଇକେଲ୍ ବ୍ରେସୱେଲ୍ ନିମ୍ନ ଭାଗ ବ୍ୟାଟିଂ ସହିତ ସ୍ପିନ ବୋଲିଂ ବିଭାଗ ସମ୍ଭାଳିପାରିବେ । ଅନ୍ୟ ସ୍ପିନର ଭାବେ ସାହବାଜ ଅହମ୍ମଦ ଦଳରେ ରହିଛନ୍ତି। ହାଜେଲଉଡଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ ରିସ ଟପଲି ପେସ ବୋଲିଂ ବିଭାଗ ସମ୍ଭାଳିବେ।
ସମ୍ଭାବ୍ୟ ଦଳ
ରୟାଲ୍ ଚ୍ୟାଲେଞ୍ଜର୍ସ: ଫାଫ ଡୁ ପ୍ଲେସି(ଅଧିନାୟକ) ବିରାଟ କୋହଲି, ମହିପାଲ୍ ଲୋମରର, ଗ୍ଲେନ ମ୍ୟାକ୍ସୱେଲ, ମାଇକେଲ ବ୍ରେସୱେଲ୍, ଦିନେଶ କାର୍ତ୍ତିକ, ସାହବାଜ ଅହମ୍ମଦ, ହର୍ଷଲ ପଟେଲ, ଆକାଶଦୀପ, ରିସ ଟପଲି, ମହମ୍ମଦ ସିରାଜ ।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଟିମ ଡେଭିଡ୍, କାମେରନ ଗ୍ରୀନ, ରମଣଦୀପ ସିଂହ, ଜୋଫ୍ରା ଆର୍ଚର, ହ୍ରିତିକ ସୋକିନ, ସନ୍ଦିପ ୱାରିୟର, ଜାସନ ବେହରନଡର୍ଫ ।