ଆଇପିଏଲ୍ ଦ୍ୱିତୀୟ କ୍ୱାଲିଫାୟର: ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ, ଜିତିଲେ ଫାଇନାଲ୍

ଅହମ୍ମଦାବାଦ,୨୬/୦୫: ଶୁକ୍ରବାର ଘରୋଇ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ଖେଳାଯିବ । ବିଜୟୀ ଦଳ ଫାଇନାଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ । ପ୍ରଥମ କ୍ୱାଲିଫାୟରରେ ସୁପରକିଙ୍ଗ୍ସ ଠାରୁ ପରାଜିତ ହେବା ପରେ ଟାଇଟନ୍ସ ଦଳ ଘରୋଇ ଗ୍ରାଉଣ୍ଡ୍କୁ ଫେରି ଜୋରଦାର ଅଭ୍ୟାସ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଅହମ୍ମଦାବାଦରେ ପହଞ୍ଚିବା ପରେ ଅପରାହ୍ଣରେ ହାଲ୍କା ଅଭ୍ୟାସ କରିଥିଲା ।
ଏହି ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା ସମ୍ଭବ ନୁହେଁ । ଉଭୟ ଦଳ ଚଳିତ ସିଜନରେ ୨ଥର ଭେଟି ସାରିଛନ୍ତି । ଏଥିରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ତୃତୀୟ ମୁକାବିଲା ପୂର୍ବରୁ ଉଭୟ ଦଳ ପ୍ରତିପକ୍ଷ ଦଳର ଶକ୍ତି ଓ ଦୁର୍ବଳତା ସହ ଭଲ ଭାବେ ପରିଚିତ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଟାଇଟନ୍ସର ସ୍ପିନର ରସିଦ ଖାନ, ଓପନର ଶୁଭମନ ଗିଲ୍ ଓ ପେସ୍ ବାହିନୀ ଚିନ୍ତାର କାରଣ ହେବା ସ୍ୱାଭାବିକ । ଗିଲ୍ ସମ୍ପ୍ରତି ୭୨୨ରନ୍ ସଂଗ୍ରହ କରି ଚମତ୍କାର ଫର୍ମରେ ରହିଛନ୍ତି । ଫାଫ ଡୁ ପ୍ଲେସିଙ୍କ ଠାରୁ ଅରେଞ୍ଜ କ୍ୟାପ ଛଡ଼ାଇ ଆଣିବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିଛି ।
ପୂର୍ବ ମ୍ୟାଚ୍ରେ ରସିଦ ଖାନଙ୍କ ପ୍ରଦର୍ଶନକୁ ମୁମ୍ବାଇ ଇଣ୍ଡିଆନ୍ସ ଭୁଲିବା କଷ୍ଟକର । ଗତ ୧୨ ତାରିଖରେ ୱାଙ୍ଖଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାସଲ କରିଥିଲା । ମାତ୍ର ଏହି ମ୍ୟାଚ୍ରେ ରସିଦ ୪ଟି ୱିକେଟ୍ ନେବା ସହ ୭୯(୩ଚୌକା, ୧୦ଛକା)ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ । ମହମ୍ମଦ ସାମି, ହାର୍ଦ୍ଦିକ ପାଣ୍ଡ୍ୟା, ଅଲଜାରୀ ଜୋଶେଫ, ଜୋସ ଲିଟଲ ଓ ମୋହିତ ଶର୍ମାଙ୍କୁ ନେଇ ଗଠିତ ଟାଇଟନ୍ସର ପେସ୍ ବିଭାଗ ଯେକୌଣସି ଦଳ ପାଇଁ ଘାତକ ସାଜି ପାରିବ ।
ଟାଇଟନ୍ସକୁ ମଧ୍ୟ ମୁମ୍ବାଇର ବିସ୍ଫୋରକ ବ୍ୟାଟିଂ ବିଭାଗ ପ୍ରତି ସତର୍କ ରହିବାକୁ ହେବ । ପ୍ରାୟତଃ ଦଳର ସମସ୍ତ ବ୍ୟାଟର ଫର୍ମକୁ ଫେରିଛନ୍ତି । ପୂର୍ବ ମ୍ୟାଚ୍ରେ ସୂର୍ଯ୍ୟକୁମାର ଶତକ ଅର୍ଜନ କରିଥିଲେ । ସେହିପରି କାମେରନ ଗ୍ରୀନ, ଟିମ ଡେଭିଡ୍, ତିଳକ ବର୍ମା ଓ ନେହାଲ ୱଧେରା ମଧ୍ୟ କ୍ରମରେ ଚମତ୍କାର ବ୍ୟାଟିଂ ଜାରି ରଖିଛନ୍ତି ।
ଶୁକ୍ରବାର ରସିଦ ଖାନ ଓ ରୋହିତ ଶର୍ମାଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ । ରସିଦ ଇତି ମଧ୍ୟରେ ରୋହିତଙ୍କୁ ୪ଥର ଆଉଟ୍ କରିସାରିଛନ୍ତି । ରୋହିତ ଏଥର ଜବାବ ଦେବାକୁ ଅପେକ୍ଷା କରିଛନ୍ତି । ରସିଦଙ୍କ ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ଉନ୍ନତ ରହିଛି । ସେ ୪୭ଟି ବଲ୍ର ସାମ୍ନା କରି ୬୭ ର୍ ସଂଗ୍ରହ କରିଛନ୍ତି ।
ବିଜୟ ଲକ୍ଷ୍ୟର ପିଛା କରି ବିଜୟ ହାସଲ କରିବାରେ ଉଭୟ ମୁମ୍ବାଇ ଓ ଗୁଜରାଟ ଆଗରେ ରହିଛନ୍ତି । ଚଳିତ ସିଜନରେ ଉଭୟ ୯ଟି ଲେଖାଏଁ ମ୍ୟାଚ୍ରେ ବିଜୟ ଲକ୍ଷ୍ୟର ପିଛା କରି ୬ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି ।
ଦ୍ୱିତୀୟ କ୍ୱାଲିଫାୟର ପାଇଁ ପ୍ରସ୍ତୁତ ପିଚ୍ରେ ରନ୍ ବର୍ଷା ହେବା ନିଶ୍ଚିତ । ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ରେ ଯଥେଷ୍ଟ ପାଣି ଛିଞ୍ଚା ଯାଇଛି। ତଥାପି ସ୍ଥାନୀୟ ତାପମାତ୍ର ୪୩ଡିଗ୍ରୀରେ ପହଞ୍ଚି ଯାଉଥିବାରୁ ପିଚ୍ ଶୁଷ୍କ ହେବାର ଆଶଙ୍କା ରହିଛି । ଖରାରେ ପିଚ୍ ଫାଟିଯିବା ଭୟରେ ଗୁରୁବାର କ୍ୟୁରେଟରମାନେ ପିଚ୍କୁ ଘୋଡ଼ାଇ ରଖିଥିଲେ । ଟସ୍ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ କରିବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ମୁମ୍ବାଇ ଇଣ୍ଡିଆନ୍ସ: ଇଶାନ କିଷନ, ରୋହିତ ଶର୍ମା(ଅଧିନାୟକ), କାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଟିମ ଡେଭିଡ୍, କ୍ରିସ ଜୋର୍ଡାନ, ହ୍ରିତିକ ସୋକିନ, ପିୟୂଷ ଚାୱଲା, ଆକାଶ ମଧୱାଲ୍, ଜାସନ ବେହରନଡର୍ଫ ।(ନେହାଲ ୱଧେରା-ଇମ୍ପାକ୍ଟ ଖେଳାଳି) ।
ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍, ରିଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ବିଜୟ ଶଙ୍କର, ଡେଭିଡ୍ ମିଲର, ଅଭିନବ ମନୋହର, ରାହୁଲ ତେୱାତିଆ, ରସିଦ ଖାନ, ଅଲଜାରୀ ଜୋଶେଫ/ଜୋସ ଲିଟିଲ, ନୁର ଅହମ୍ମଦ, ମହମ୍ମଦ ସାମି । (ଇମ୍ପାକ୍ଟ ଖେଳାଳି: ମୋହିତ ଶର୍ମା)