ଆଜିଠୁ ଫଟାଫଟ୍ କ୍ରିକେଟ ମହାକୁମ୍ଭ: ଉଦ୍ଘାଟନୀ ଉତ୍ସବରେ ଦେଖିବାକୁ ମିଳିବ ଡ୍ରୋନ୍ ଶୋ’, ମୁଖ୍ୟ ଆକର୍ଷଣ ସାଜିବେ ରଶ୍ମିକା, ତମନ୍ନା ଓ ଅରିଜିତ

ଅହମ୍ମଦାବାଦ,୩୧/୦୩: ଶୁକ୍ରବାର ଆଇପିଏଲ୍ର ପ୍ରଥମ ମ୍ୟାଚ୍ ପୂର୍ବରୁ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ଣ ୬ଟା ସମୟରେ ଆରମ୍ଭ ହେବ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ । ବଲିଉଡ୍ର ବହୁ ଲୋକପ୍ରିୟ କଳାକାର ଦର୍ଶକଙ୍କ ମନୋରଞ୍ଜନ କରାଇବେ । ବିଶେଷ କରି ମୁଖ୍ୟ ଆକର୍ଷଣ ସାଜିବେ କଣ୍ଠଶିଳ୍ପୀ ଅରିଜିତ ସିଂହ । ବର୍ତ୍ତମାନ ସେ ଭାରତର ସବୁଠୁ ଲୋକପ୍ରିୟ ପ୍ଲେ-ବ୍ୟାକ୍ ସିଙ୍ଗର । ତାଙ୍କର ପ୍ରତ୍ୟେକ ଗୀତ ସୁପରହିଟ୍ ହେଉଛି । ତାଙ୍କ ସଙ୍ଗୀତରେ ସମଗ୍ର ଷ୍ଟାଡିୟମ୍ ଝୁମିବ । ଅନ୍ୟମାନଙ୍କ ମଧ୍ୟରେ ରଶ୍ମିକା ମନ୍ଦନା, ତମନ୍ନା ଭାଟିଆ ପ୍ରମୁଖ ନୃତ୍ୟ ପରିବେଷଣ କରିବେ । ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଡ୍ରୋନ୍ ଶୋ’ ଡ୍ରୋନ୍ ଜରିଆରେ ଖୋଲା ଆକାଶରେ ପ୍ରତ୍ୟେକ ଦଳର ଲୋଗୋ, ଆଇପିଏଲ୍ ଟ୍ରଫି ପ୍ରଦର୍ଶନ କରାଯିବ ।

ଆଇପିଏଲ୍ର ୧୬ତମ ସଂସ୍କରଣ । ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ ସହ ପ୍ରଥମ ମ୍ୟାଚ୍ ଖେଳାଯିବ । ବିଶ୍ୱର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକ ବସି ମ୍ୟାଚ୍ର ରୋମାଞ୍ଚ ନେବେ । ଗୁଜରାଟ ଟାଇଟନ୍ସର ଘରୋଇ ଗ୍ରାଉଣ୍ଡ୍ ହୋଇଥିଲେ ହେଁ ଏଠାରେ ‘ଧୋନି…ଧୋନି..’ ସ୍ୱରରେ ଷ୍ଟାଡିୟମ୍ କମ୍ପି ଉଠିବ । ଖାଲି ସେତିକି ନୁହେଁ, ଆଗାମୀ ୨ମାସ ପର୍ଯ୍ୟନ୍ତ ସମଗ୍ର ଭାରତ ଆଇପିଏଲ୍ର ମୋହରେ ପଡ଼ିଯିବ । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୧୦ଟି ଦଳକୁ ନେଇ ଖେଳାଯାଉଥିବା ଆଇପିଏଲ୍ରେ ମୋଟ୍ ୭୩ଟି ମ୍ୟାଚ୍ ରହିଛି । ମେ’ ମାସ ୨୮ ତାରିଖରେ ଫାଇନାଲ୍ ଖେଳାଯିବ ।