ମୁମ୍ବାଇ,୧୩/୦୩: ଆଗାମୀ  ଆଇପିଏଲ-୧୮ ପାଇଁ ରାଜସ୍ଥାନ ରୟାଲ୍ସ  ଜୋରଦାର ପ୍ରସ୍ତୁତି ଚଳାଇଛି । ଆହତ ଥିବା ସତ୍ତେ୍ୱ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଦଳ  ସହ ଯୋଗ ଦେଇଛନ୍ତି । ଆଇପିଏଲ୍‌ ପାଇଁ  ରାଜସ୍ଥାନର ପ୍ରାକ୍‌ ପ୍ରସ୍ତୁତି ଶିବିରରେ ଦ୍ରାବିଡ  କିଛି ଦିନ ପାଇଁ ଅନୁପସ୍ଥିତ ରହିଥିଲେ ।  ବୁଧବାର ଅପରାହ୍ଣରେ ସେ ଦଳ ସହ ଯୋଗ  ଦେଇଛନ୍ତି ।  

ରାଜସ୍ଥାନ ରୟାଲ୍ସ ପକ୍ଷରୁ  ଅଫିସିଆଲ ସୋସିଆଲ ମିଡ଼ିଆ ପୃଷ୍ଠାରେ ଦ୍ରାବିଡଙ୍କ ଏକ ଫଟୋ ପୋଷ୍ଟ କରାଯାଇଥିଲା ।  ତାଙ୍କ ବାମ ଗୋଡ଼ରେ ମୋଟା ବ୍ୟାଣ୍ଡେଜ ଗୁଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ଫଟୋ  ଜରିଆରେ ରାଜସ୍ଥାନ ରୟାଲ୍ସ ଦ୍ରାବିଡଙ୍କ  ଆହତ ପ୍ରସଙ୍ଗ ଉଲ୍ଲେଖ କରିଛି । ଦ୍ରାବିଡ ବେଙ୍ଗାଲୁରୁରେ ଏକ ମ୍ୟାଚ କ୍ରିକେଟ୍‌ ମ୍ୟାଚ୍‌ ଖେଳୁଥିବାବେଳେ ଆହତ ହୋଇଥିଲେ । ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଛି । ସେ ବର୍ତ୍ତମାନ ସୁସ୍ଥ ହେଉଛନ୍ତି ଓ ଦଳ ସହ ଯୋଗ ଦେଇଛନ୍ତି ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଛି ।  




ସୂଚନାଯୋଗ୍ୟ, ଭାରତୀୟ ଦଳର ମୁଖ୍ୟ  କୋଚ୍‌ ପଦ ଛାଡ଼ିବା ପରେ ଦ୍ରାବିଡଙ୍କୁ ତୁରନ୍ତ  ରାଜସ୍ଥାନ ରୟାଲ୍ସ କୋଚ ନିଯୁକ୍ତି ଦେଇଥିଲା । ପୂର୍ବରୁ ଦ୍ରାବିଡ୍‌ ଏହି ଫ୍ରାଞ୍ଚାଇଜ୍‌ ପକ୍ଷରୁ  ଖେଳିଥିଲେ । ଏହା ବ୍ୟତୀତ ସେ ୨୦୧୪ ଓ  ୨୦୧୫ ସିଜନରେ ମେଣ୍ଟର ମଧ୍ୟ ରହିଥିଲେ । ରାହୁଲ ଦ୍ରାବିଡଙ୍କ ସହ ପୁନର୍ବାର କାର୍ଯ୍ୟ  କରିବାକୁ ଯାଉଥିବାରୁ ବେଶ୍‌ ଉତ୍ସାହିତ ଥିବା  ଅଧିନାୟକ ସଞ୍ଜୁ ସାମସନ ପ୍ରକାଶ କରିଛନ୍ତି ।  ସେ କହିଛନ୍ତି, ୨୦୧୩ରେ ମୁଁ ଆଇପିଏଲ୍‌  ପଦାର୍ପଣ କରିଥିଲି । ସେତେବେଳେ ରାହୁଲ  ସାର୍‌ ଦଳର ଅଧିନାୟକ ଥିଲେ । ସେ ମୋତେ ପ୍ରଥମେ ଏହି ଦଳକୁ ଆଣିଥିଲେ । ଏହାପରେ  ସେ ଭାରତୀୟ ଦଳର କୋଚ ଥିବାବେଳେ ମୁଁ  ତାଙ୍କ ଅଧିନରେ ଖେଳିଛି ।