କୋଲକାତା,୧୪/୦୩: ଆଗାମୀ ଆଇପିଏଲ୍ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଜିମ୍ବାୱେ ପେସ୍ ବୋଲର ବ୍ଲେସିଂ ମୁଜରବାନିଙ୍କ ସହ ଚୁକ୍ତି କରିଛି । ଫଳରେ ସେ ପିଏସଏଲରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୧୩ଟି ୱିକେଟ୍ ଅକ୍ତିଆର କରିଥିବା ମୁଜରବାନି ଆଗାମୀ ସିଜନରେ ଇସଲାମାବାଦ ୟୁନାଇଟେଡ୍ ପକ୍ଷରୁ ଖେଳିବାର ଥିଲା । ମାତ୍ର  ନାଇଟ ରାଇଡର୍ସ ତାଙ୍କୁ ଚୁକ୍ତି କରିଥିବା ଘୋଷଣା କରିଛି । ଯାହା ଫଳରେ ସେ ପିଏସଏଲ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ନାଇଟ୍ ରାଇଡର୍ସ ଗତ ନିଲାମରେ ବାଂଲାଦେଶର ମୁସ୍ତାଫିଜୁର ରେହମାନଙ୍କୁ କିଣିଥିଲା । ପରବର୍ତ୍ତୀ ସମୟରେ ଉଭୟ ଦେଶ ମଧ୍ୟରେ ଉପୁଜିଥିବା ରାଜନୈତିକ ବିବାଦକୁ ନେଇ ବିସିସିଆଇର ନିର୍ଦ୍ଦେଶ କ୍ରମେ ନାଇଟ୍ ରାଇଡର୍ସ ମୁସ୍ତାଫିଜୁରଙ୍କୁ ବିଦା କରିଥିଲା । ସେବେଠୁ ଉକ୍ତ ସ୍ଥାନ ଖାଲି ପଡ଼ିଥିଲା ।

ମୁଜରବାନି ପୁର୍ବରୁ ମୁଲତାନ ସୁଲତାନ ପକ୍ଷରୁ ପିଏସଏଲ ଖେଳିଥିଲେ ଓ ଦଳକୁ ଚାମ୍ପିଅନ କରାଇଥିଲେ । ଏଥର ନିଲାମରେ ତାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନଥିଲେ । ପରେ ଇସଲାମାବାଦ ଦଳରୁ ୱେଷ୍ଟ ଇଣ୍ଡିଜ ପେସ୍ ବୋଲର ସମର ଯୋଶେଫ ଓହରି ଯିବା ଫଳରେ ତାଙ୍କ ସ୍ଥାନରେ ମୁଜରବାନିଙ୍କୁ ଚୁକ୍ତି କରାଯାଇଥିଲା । ଏକ ସମୟରେ ପିଏସଏଲ ଓ ଆଇପିଏଲ୍ ଖେଳାଯାଉଥିବାରୁ ମୁଜରବାନି ବାଧ୍ୟ ହୋଇ ପିଏସଏଲ ଛାଡ଼ିଛନ୍ତି । ୨୬ ତାରିଖରୁ ପିଏସଏଲ ଓ ୨୮ ତାରିଖରୁ ଆଇପିଏଲ ଆରମ୍ଭ ହେବ ।

ଆଗାମୀ ସିଜନ ପୂର୍ବରୁ ମୁଜରବାନି ଦ୍ୱିତୀୟ ଖେଳାଳି ଭାବେ ପିଏସଏଲରୁ ଓହରିଛନ୍ତି । ତାଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକା ପେସ୍ ବୋଲର କର୍ବିନ ବସ୍କ ପେଶାୱର ଜଲମୀ ଦଳରୁ ଓହରି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :-  ଏହି କାରଣରୁ ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର ବୋଲର ହର୍ଷିତ ରାଣା