ନୂଆଦିଲ୍ଲୀ ୨୬/୦୩: ଗତ କିଛି ଆଇପିଏଲ୍ ସିଜନରେ ବିସ୍ଫୋରକ ବ୍ୟାଟିଂ ସାଜିଛି ମୁଖ୍ୟ ଆକର୍ଷଣ । ଦର୍ଶନୀୟ ସଟ୍ ସାଙ୍ଗକୁ ଚୌକା ଓ ଛକାର ସମ୍ଭାର ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରୁଛି । ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲର । ଇମ୍ପାକ୍ଟ ପ୍ଲେୟାର ନିୟମ ବ୍ୟାଟରମାନଙ୍କୁ ବିନା ଦ୍ୱିଧାରେ ବିଶାଳ ସଟ୍ ଖେଳିବା ପାଇଁ ସାହସ ଯୋଗାଉଛି । ତଥାପି ଏପର୍ଯ୍ୟନ୍ତ କୌଣସି ଦଳ ୩୦୦ ଛୁଇଁ ନାହାନ୍ତି । ଏଥର ଅନେକ ଦଳ ୩୦୦ ରନ ସଂଗ୍ରହ କରିବାକୁ ପ୍ରୟାସ କରିବେ । ଯାହା ଫଳରେ ଚୌକା ଓ ଛକାର ବର୍ଷା ଆଇପିଏଲର ଉତ୍ସାହକୁ ଶିଖରରେ ପହଞ୍ଚାଇବ । ବିଭିନ୍ନ ଦଳରେ ରହିଥିବା କିଛି ଦୁର୍ଦ୍ଧର୍ଷ ବ୍ୟାଟରଙ୍କ ଉପରେ ଏଥର ସମସ୍ତଙ୍କ ନଜର ରହିବ।
୨୦୨୪ ଆଇପିଏଲ୍ରେ ହାରା ହାରି ପ୍ରତି ୫ଟି ବଲ୍ରେ ଗୋଟିଏ ବାଉଣ୍ଡାରୀ(ଚୌକା କିମ୍ବା ଛକା) ଦେଖିବାକୁ ମିଳିଥିଲା । ୨୦୨୫ ଆଇପିଏଲ୍ରେ ଏହି ହାର ୪.୬୭କୁ ଖସିଥିଲା । ଅର୍ଥାତ ପ୍ରତି ୪.୬୭ଟି ବଲ୍ରେ ଗୋଟିଏ ବାଉଣ୍ଡାରୀ ହୋଇଥିଲା । ଗତ ସିଜନରେ ମୋଟ୍ ୩୫୦୦(ଚୌକା ଓ ଛକା) ବାଉଣ୍ଡାରୀ ମାରିଥିଲେ ସମସ୍ତ ଦଳ । ଅଭିଷେକ ଶର୍ମା, ନିକୋଲାସ ପୂରନ, ଟ୍ରେଭିସ ହେଡ, ଫିଲ ସଲ୍ଟଙ୍କ ଭଳି ଖେଳାଳି ପ୍ରତି ୪ଟି ବଲ୍ରେ ଗୋଟିଏ ଲେଖାଏଁ ବାଉଣ୍ଡାରୀ ମାରିଥିଲେ । ୨୦୨୫ ଆଇପିଏଲ୍ ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଘରୋଇ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଓ ଟି-ଟ୍ୱେଣ୍ଟି ଲିଗ୍କୁ ଦେଖିଲେ ବଲ୍ ପିଛା ବାଉଣ୍ଡାରୀ ହାରରେ ସର୍ଫରାଜ ଖାନ ସମସ୍ତଙ୍କଠୁ ଆଗରେ ରହିଛନ୍ତି । ଏଥର ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କୁ କିଣିଛି । ସେ ଗତ ବର୍ଷ ଜୁନ୍ରୁ ଇତି ମଧ୍ୟରେ ୧୯ଟି ଛକା ସହ ମୋଟ୍ ୫୬ଟି ବାଉଣ୍ଡାରୀ ସଟ୍ ଖେଳିଛନ୍ତି । ଏଥିରେ ବଲ୍ ପିଛା ବାଉଣ୍ଡାରୀ ହାର ରହିଛି ୨.୮୯ । ଅର୍ଥାତ ସେ ପ୍ରତି ୨.୮୯ଟି ବଲ୍ରେ ଗୋଟିଏ ବାଉଣ୍ଡାରୀ ମାରିଛନ୍ତି । ଏହି ତାଲିକାର ପରବର୍ତ୍ତୀ ୨ଟି ସ୍ଥାନରେ ରହିଛନ୍ତି ଅଭିଷେକ ଶର୍ମା ଓ ଇଶାନ କିଷନ ।
ବୈଭବ ସୂର୍ଯ୍ୟବଂଶୀ(ରାଜସ୍ଥାନ ରୟାଲ୍ସ)
ରାଜସ୍ଥାନ ରୟାଲ୍ସର ଏହି ଯୁବ ବ୍ୟାଟିଂ ବିସ୍ମୟଙ୍କ ରେକର୍ଡ ଦେଖିଲେ ବିଶ୍ୱର ସବୁ ବୋଲରଙ୍କ ନିଦ ହଜିଯିବ । ପ୍ରତ୍ୟେକ ଖେଳାଳିଙ୍କ ଶେଷ ୧୦ଟି ଇନିଂସକୁ ବିଚାରକୁ ନେଲେ ବୈଭବ ରନ ସଂଗ୍ରହରେ ସବୁଠୁ ଆଗରେ ରହିବେ । ସେ ଖେଳିଥିବା ଶେଷ ୧୦ଟି ଟି-ଟ୍ୱେଣ୍ଟି ଇନିଂସରେ ୨୦୨.୭୯ ଷ୍ଟ୍ରାଇକ ରେଟ୍ରେ ୪୩୬ ରନ ସଂଗ୍ରହ କରିଛନ୍ତି । ସେ ଏହି ୧୦ଟି ଇନିଂସରେ ପ୍ରତି ୩.୦୩ଟି ବଲ୍ରେ ଗୋଟିଏ ବାଉଣ୍ଡାରୀ ମାରିଛନ୍ତି କିମ୍ବା ପ୍ରତି ୫.୯୭ ବଲ୍ରେ ଗୋଟିଏ ଛକା ମାରିଛନ୍ତି ।
ବୈଭବ ଖେଳିଥିବା ୧୦ଟି ଟି-ଟ୍ୱେଣ୍ଟିରେ ୨୧୫ଟି ବଲ୍ର ସାମ୍ନା କରି ୩୬ଟି ଛକା ଓ ୩୫ଟି ଚୌକା ମାରିଛନ୍ତି । କେବଳ ପେସ୍ ବୋଲରଙ୍କ ବିପକ୍ଷରେ ବୈଭବଙ୍କ ଷ୍ଟ୍ରାଇକ ରେଟ୍ ରହିଛି ୨୨୧.୧୨ । ଗତ ଜୁନ ପରଠୁ ସେ ପେସ୍ ବୋଲରଙ୍କ ବିପକ୍ଷରେ ୭୧ଟି ବଲ୍ର ସାମ୍ନା କରି ୧୬ଟି ଛକା ଓ ୧୧ଟି ଚୌକା ମାରିଛନ୍ତି ।
ଇଶାନ କିଷନ (ସନରାଇଜର୍ସ ହାଇଦ୍ରାବାଦ)
ନରାଇଜର୍ସ ହାଇଦ୍ରାବାଦର ନବ ନିଯୁକ୍ତ ଅସ୍ଥାୟୀ ଅଧିନାୟକ ଇଶାନ କିଷନ ମଧ୍ୟ ପଛରେ ନାହାନ୍ତି । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ତାଙ୍କ ବ୍ୟାଟିଂ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଗତ ବର୍ଷ ଜୁନ୍ରୁ ଇତି ମଧ୍ୟରେ କିଷନ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ମୋଟ୍ ୫୧୯ଟି ବଲ୍ର ସାମ୍ନା କରିଛନ୍ତି । ଏଥିରେ ସେ ୬୭ଟି ଛକା ଓ ୧୦୬ଟି ଚୌକା ମାରିଛନ୍ତି । ଅର୍ଥାତ ସେ ପ୍ରତି ୩ଟି ବଲ୍ରେ ଗୋଟିଏ ବାଉଣ୍ଡାରୀ ମାରିଛନ୍ତି ।
ଅଧିକ ପଢ଼ନ୍ତୁ :- ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଆଶ୍ୱସ୍ତ, ପ୍ରଥମ ମ୍ୟାଚ ଖେଳିବେ ଷ୍ଟାର୍ ବୋଲର ବୁମରା
ଗତ ଜୁନ୍ରୁ ଇତି ମଧ୍ୟରେ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ୧୦୦୦ ରନ୍ ସଂଗ୍ରହ କରିଥିବା ବ୍ୟାଟରମାନଙ୍କ ମଧ୍ୟରେ କିଷନଙ୍କ ଷ୍ଟ୍ରାଇକ ରେଟ୍ ସର୍ବାଧିକ ୨୦୦.୧୨ ରହିଛି । ଅଭିଷେକ ଅଫ ସାଇଡ୍ରେ ରନ୍ ସଂଗ୍ରହକୁ ଗୁରୁତ୍ୱ ଦେଉଥିବାବେଳେ କିଷନ ଲେଗ ସାଇଡ୍ରେ ଖେଳିବାକୁ ପସନ୍ଦ କରନ୍ତି । ସେ ସଂଗ୍ରହ କରିଥିବା ମୋଟ୍ ରନ୍ର ୬୯.୧୭% କେବଳ ଲେଗ୍ ସାଇଡ୍ରେ ରହିଛି । ଲେଗ ସାଇଡ୍ରେ ସେ ୨୭୨.୫୯ ଷ୍ଟ୍ରାଇକ ରେଟ୍ରେ ରନ ସଂଗ୍ରହ କରିଛନ୍ତି ।
ସଞ୍ଜୁ ସାମସନ (ଚେନ୍ନାଇ ସୁପରକିଙ୍ଗ୍ସ)
ଦୀର୍ଘ ବର୍ଷ ରାଜସ୍ଥାନ ରୟାଲ୍ସର ପୋଷ୍ଟର ବୟ ରହିବା ପରେ ସଞ୍ଜୁ ସାମସନ ଏଥର ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି । ସଠିକ୍ ସମୟରେ ସେ ଫର୍ମକୁ ଫେରି ସୁପରକିଙ୍ଗ୍ସର ଉତ୍ସାହ ବଢାଇ ଦେଇଛନ୍ତି । ଗତ ଜୁନ୍ରୁ ଇତି ମଧ୍ୟରେ ସାମସନ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ୩୨୭ଟି ବଲ୍ର ସାମ୍ନା କରି ୩୫ଟି ଛକା ଓ ୪୪ଟି ଚୌକା ମାରିଛନ୍ତି । ଅର୍ଥାତ ସେ ପ୍ରତି ୪.୧୪ଟି ବଲ୍ରେ ଗୋଟିଏ ବାଉଣ୍ଡାରୀ ମାରିଛନ୍ତି । ଶେଷ ୧୦ଟି ଟି-ଟ୍ୱେଣ୍ଟି ଇନିଂସରେ ତାଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ ରହିଛି । ଏହି ୧୦ଟି ମ୍ୟାଚରେ ସେ ୧୯୫ଟି ବଲ୍ର ସାମ୍ନା କରି ୨୬ଟି ଛକା ଓ ୩୩ଟି ଚୌକା ମାରିଛନ୍ତି । ଶେଷ ୧୦ଟି ଇନିଂସରେ ବଲ୍ ପିଛା ତାଙ୍କ ବାଉଣ୍ଡାରୀ ହାର ରହିଛି ୩.୩୧ ।
ଅଭିଷେକ ଶର୍ମା (ସନରାଇଜର୍ସ ହାଇଦ୍ରାବାଦ)
ଗତ ଜୁନ୍ରୁ ଇତି ମଧ୍ୟରେ ଅଭିଷେକଙ୍କ ବଲ ପିଛା ବାଉଣ୍ଡାରୀ ହାର ରହିଛି ୨.୯୯ । ଏହି ୯ମାସ ମଧ୍ୟରେ ସେ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ମୋଟ୍ ୬୦୧ଟି ବଲ୍ର ସାମ୍ନା କରି ୮୧ଟି ଛକା ଓ ୧୨୦ଟି ଚୌକା ମାରିଛନ୍ତି । ଅନ୍ୟ ବ୍ୟାଟରଙ୍କ ଭଳି ସେ ବିଶାଳ ସଟ୍ ଖେଳିବାରେ କେବଳ ଲେଗ ସାଇଡ୍ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । ଅଭିଷେକ ଅର୍ଜନ କରିଥିବା ମୋଟ୍ ରନ୍ର ୫୦% ଅଫ ସାଇଡ୍ରେ ରହିଛି । ଗତ ୯ ମାସ ମଧ୍ୟରେ ସେ କେବଳ ଅଫ ସାଇଡ୍ରେ ୮୭ଟି ବାଉଣ୍ଡାରୀ ମାରିଛନ୍ତି । ଅର୍ଥାତ ସେ ଅଫ ସାଇଡ୍ରେ ପ୍ରତି ୨.୬୪ ବଲ୍ରେ ଗୋଟିଏ ବାଉଣ୍ଡାରୀ ମାରିଛନ୍ତି ।
ଫିନ ଆଲେନ (କୋଲକାତା ନାଇଟ୍ ରାଇଡର୍ସ)
ଏଥର କେକେଆର ପକ୍ଷରୁ ଚୁକ୍ତିବଦ୍ଧ ନ୍ୟୁଜିଲାଣ୍ଡ ଓପନର ଆଲେନ ଆଇପିଏଲ୍ ପଦାର୍ପଣ କରିବା ନିଶ୍ଚିତ । ସମ୍ପ୍ରତି ସେ ଚମତ୍କାର ଫର୍ମରେ ରହିଛନ୍ତି । ଗତ ବିଶ୍ବାସ ଠାରୁ ଆରମ୍ଭ କରି ଟି-ଟ୍ୱେଣ୍ଟି ବିଶ୍ୱକପ୍ ପର୍ଯ୍ୟନ୍ତ ପ୍ରତ୍ୟେକ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ବୋଲରଙ୍କ ନିଦ ହଜାଇ ଦେଇଛନ୍ତି । ଗତ ଜୁନରୁ ଇତି ମଧ୍ୟରେ ସେ ୩୦ଟି ଟି-ଟ୍ୱେଣ୍ଟି ଖେଳି ୨୦୦.୧୭ ଷ୍ଟ୍ରାଇକ ରେଟ୍ରେ ୧୧୭୭ ରନ ସଂଗ୍ରହ କରିଛନ୍ତି । ଏଥିରେ ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ରହିଛି । ଏହି ୯ ମାସଦ ମଧ୍ୟରେ ସେ ୯୯ଟି ଛକା ମାରିଛନ୍ତି । ଅର୍ଥାତ ସେ ପ୍ରତି ୫.୯୩ଟି ବଲ୍ରେ ଗୋଟିଏ ଛକା ମାରିଛନ୍ତି ।
ସିମରନ ହେତମାୟର (ରାଜସ୍ଥାନ ରୟାଲ୍ସ)
ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ୱେଷ୍ଟ ଇଣ୍ଡିଜର ଏହି ଦୁର୍ଦ୍ଧର୍ଷ ବାମ ହାତି ବ୍ୟାଟର ଚମତ୍କାର ଫର୍ମରେ ରହିଛନ୍ତି । ସଞ୍ଜୁ ସାମସନ ଚେନ୍ନାଇ ସୁପରକିଙ୍ଗ୍ସ ଯିବା ପରେ ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କ୍ରମର ୩ନଂ ସ୍ଥାନ ଖାଲି ପଡ଼ିଛି । ହେତମାୟର ଏଥର ଏହି ସ୍ଥାନ ସମ୍ଭାଳିବା ଆଶା କରାଯାଉଛି । କାରଣ ସେ ୧୨ଟି ମ୍ୟାଚରେ ୩ନଂ ସ୍ଥାନରେ ବ୍ୟାଟିଂ କରି ୪୦.୮୦ ହାରରେ ରନ ସଂଗ୍ରହ କରିଛନ୍ତି । ଗତ ଜୁନ୍ ଠାରୁ ଇତି ମଧ୍ୟରେ ହେତମାୟର ଟି-ଟ୍ୱେଣ୍ଟି ଫର୍ମାଟ୍ରେ ୭୬୫ଟି ବଲ୍ର ସାମ୍ନା କରି ୧୦୫ଟି ଛକା ଓ ୮୭ଟି ଚୌକା ମାରିଛନ୍ତି । ଅର୍ଥାତ ସେ ପ୍ରତି ୩.୯୭ ବଲ୍ରେ ଗୋଟିଏ ବାଉଣ୍ଡାରୀ ମାରିଛନ୍ତି ।