ନୂଆଦିଲ୍ଲୀ,୧୭/୦୩; ଆରସିବି ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସବୁ ଆଶଙ୍କାରେ ପୂର୍ଣ୍ଣଛେଦ ପଡ଼ିଛି । ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଘରୋଇ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍କୁ ମିଳିଛି ସବୁଜ ସଂକେତ । ଏଣିକି ଆଇପିଏଲ୍‌ ମ୍ୟାଚ ସମେତ ଅନ୍ୟାନ୍ୟ ଘରୋଇ, ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବାକୁ କର୍ଣ୍ଣାଟକ ସରକାର ଅନୁମତି ଦେଇଛନ୍ତି । ଆଗାମୀ ଆଇପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ୫ଟି ଘରୋଇ ମ୍ୟାଚ ଖେଳିବ । ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ସମର୍ଥକ ନାଲି/ସୁନେଲି ଜର୍ସିରେ ଷ୍ଟାଡ଼ିୟମ୍‌କୁ ରଙ୍ଗୀନ କରିବେ । ମହାନ ବ୍ୟାଟର ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଦର୍ଶନୀୟ ସଟ୍ ସବୁ ପୁଣି ଥରେ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ବାଉଣ୍ଡାରୀ ଅତିକ୍ରମ କରିବ ।

ରୟାଲ ଚ୍ୟାଲେଞ୍ଜର୍ସ ରାଏପୁର ସ୍ଥିତ ସହିଦ ବୀର ନାରାୟଣ ଷ୍ଟାଡ଼ିୟମରେ ବାକି ୨ଟି ଘରୋଇ ମ୍ୟାଚ ଖେଳିବ । ଚଳିତ ମାସ ୨୮ ତାରିଖରୁ ଆଇପିଏଲ ଆରମ୍ଭ ହେବ । ଡିଫେଣ୍ଡିଂ ଚାମ୍ପିଅନ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉଦ୍ଘାଟନୀ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଚିନ୍ନାସ୍ୱାମୀ ଷ୍ଟଡ଼ିୟମ୍କୁ ଉଦଘାଟନୀ ମ୍ୟାଚ ଆୟୋଜନ କରିବାକୁ ଅନୁମତି ମିଳିଛି । ଆଇପିଏଲ୍ର ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିଅନ ଦଳକୁ ଉଦ୍ଘାଟନୀ ଓ ଫାଇନାଲ୍ ମ୍ୟାଚ ଆୟୋଜନ କରିବାକୁ ସୁଯୋଗ ଦିଆଯାଏ । ରୟାଲ ଚ୍ୟାଲେଞ୍ଜର୍ସ ଗତ ବର୍ଷ ଚାମ୍ପିଅନ୍ ହୋଇଥିବାରୁ ଏଥର ଉଭୟ ମ୍ୟାଚ ଆୟୋଜନ କରିବ । ଏହା ବ୍ୟତୀତ ଷ୍ଟାଡ଼ିୟମ୍ ଘରୋଇ ଦଳର ୫ଟି ମ୍ୟାଚ ସମେତ ଏକ ପ୍ଲେ-ଅଫ୍ ମ୍ୟାଚ ମଧ୍ୟ ଆୟୋଜନ କରିବାକୁ ସୁଯୋଗ ପାଇବ ।

ଏଥର ରୟାଲ୍ ଚ୍ୟାଲେଞ୍ଜର୍ସ ରାଏପୁରକୁ ଦ୍ୱିତୀୟ ଘରୋଇ ଭେନ୍ୟୁ ଭାବେ ଗ୍ରହଣ କରିଛି । ତେଣୁ ଦଳ ସେଠାରେ ୨ଟି ଘରୋଇ ମ୍ୟାଚ ଖେଳିବ । ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ଦଳ ଚାମ୍ପିଅନ୍ ହେବା ପରଠୁ ଏହି ଗ୍ରାଉଣ୍ଡରେ କୌଣସି ମ୍ୟାଚ ଆୟୋଜନ କରାଯାଇନାହିଁ । ରୟାଲ୍ ଚ୍ୟାଲେଞ୍ଜର୍ସର ବିଜୟ ଉତ୍ସବ ଅବସରରେ ଦଳା ଚକଟା ଯୋଗୁଁ ୧୧ଜଣ କ୍ରିକେଟ୍ ପ୍ରେମୀଙ୍କ ପ୍ରାଣହାନୀ ଘଟିଥିଲା ଓ ଅନେକ ଆହତ ହୋଇଥିଲେ । ସେବେଠୁ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ମ୍ୟାଚ ଆୟୋଜନକୁ ରଦ୍ଦ କରାଯାଇଥିଲା । କର୍ଣ୍ଣାଟକ ଗୃହମନ୍ତ୍ରୀ ଜି. ପରମେଶ୍ୱରଙ୍କ ପକ୍ଷରୁ ଏକ କମିଟି ଗତ ଶୁକ୍ରବାର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ।

ଏହି କମିଟିର ଅନୁମୋଦନ ପରେ ଆଇପିଏଲ୍ ମ୍ୟାଚ ଆୟୋଜନ ପାଇଁ ଅନୁମତି ମିଳିଛି । ମାତ୍ର କର୍ଣ୍ଣାଟକ ସରକାର ସୁରକ୍ଷା ବ୍ୟାବସ୍ଥାକୁ କଠୋର କରିଛନ୍ତି । ଦର୍ଶକଙ୍କ ସୁବିଧା ପାଇଁ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କ୍ୟୁଆର କୋଡ୍ ଥିବା ଟିକେଟ୍ ପ୍ରସ୍ତୁତ କରିବାକୁ ରୟାଲ୍ ଚ୍ୟାଲେଞ୍ଜର୍ସକୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ବିଭାଗ ସହ ବୁଝାମଣା କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲୁ ରଖିବାକୁ ପ୍ରସ୍ତାବ ଦିଆଯାଇଛି । ପୁରୁଣା ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)କୁ ଦର୍ଶକଙ୍କ ବିଶ୍ରାମ ପାଇଁ ପ୍ରସ୍ତୁତ ରଖିବାକୁ ମଧ୍ୟ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ...ସନରାଇଜର୍ସ ନେତୃତ୍ୱ ନେଇ ପାରନ୍ତି ବିଶ୍ୱକପ ହିରୋ ଇଶାନ, କମିନ୍ସଙ୍କ ଜାଗା ନେବାକୁ ଦାବିଦାର

ସୂଚନାଯୋଗ୍ୟ, ପୂର୍ବତନ କ୍ରକେଟ୍ ଖେଳାଳି ଭେଙ୍କଟେଶ ପ୍ରସାଦ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍ ସଭାପତି ନିର୍ବାଚିତ ହେବା ପରେ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ସମସ୍ତ ଅବ୍ୟବସ୍ଥାକୁ ସୁଧାରିଥିଲେ । କର୍ଣ୍ଣାଟକ ସରକାରଙ୍କ ସହ ଆଲୋଚନା କରି ଷ୍ଟାଡ଼ିୟମ୍‌କୁ ମ୍ୟାଚ ଫେରାଇ ଆଣିଛନ୍ତି । ବର୍ତ୍ତମାନ ରୟାଲ୍ ଚ୍ୟାଲେଞ୍ଜର୍ସ ଓ ଏହାର ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଡିଏନଏ ଏଣ୍ଟରଟେନମେଣ୍ଟକୁ ଷ୍ଟାଡ଼ିୟମ୍ ଚାବି ହସ୍ତାନ୍ତର କରାଯାଇଛି ।