ଜୟପୁର, ୦୯/୦୫: ଚଳିତ ଆଇପିଏଲ୍‌ ୫୨ତମ ଲିଗ୍ ମୁକାବିଲାରେ ଆଜି ରାଜସ୍ଥାନ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ । ପ୍ଲେ-ଅଫ୍ ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଉଭୟ ଦଳ ୧୨ ପଏଣ୍ଟ ଲେଖାଏଁ ଅର୍ଜନ କରି ସାରିଛନ୍ତି । ମାତ୍ର ରାଜସ୍ଥାନ ଖେଳିଥିବା କ୍ରମାନ୍ୱୟରେ ପ୍ରଥମ ୪ଟି ମ୍ୟାଚ ଜିତିବା ପରେ ରାଜସ୍ଥାନ ଶେଷ ୬ଟି ମ୍ୟାଚରୁ ୪ଟିରେ ପରାଜିତ ହୋଇଛି । ପ୍ରଦର୍ଶନରେ ବ୍ୟତିକ୍ରମ ରାଜସ୍ଥାନ ପାଇଁ ଚିନ୍ତାର କାରଣ ସାଜିଛି । ଗୁଜରାଟର ପ୍ରଦର୍ଶନ ଉତ୍ଥାନ ପତନ ଦେଇ ଆରମ୍ଭ ହୋଇଥିଲେ ହେଁ ଶେଷ ୩ଟି ମ୍ୟାଚ ଜିତି ଲୟକୁ ଫେରଛି ।

ପୂର୍ବ ରେକର୍ଡ ଗୁଜରାଟ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୯ଥର ଭେଟିଛନ୍ତି । ଏଥିରୁ ଗୁଜରାଟ ୬ଟି ମ୍ୟାଚ ଜିତିଛି । ଚଳିତ ସିଜନରେ ଉଭୟ ଦଳ ଥରେ ସାମ୍ନା ସାମ୍ନି ହୋଇ ସାରିଛନ୍ତି । ଗତ ମାସ ୪ ତାରିଖରେ ଅନୁଷ୍ଠିତ ଏହି ମ୍ୟାଚରେ ରାଜସ୍ଥାନ ୬ ରନ୍‌ରେ ବିଜୟ ହାସଲ କରିଥିଲା । ଏଥର ଗୁଜରାଟ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଠା କରିବ । ଆଜି ଏକ ଭିନ୍ନ ବ୍ୟାଟିଂ ଶୈଳୀ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ରାଜସ୍ଥାନର ଦୁଇ ଓପନର ଯଶସ୍ୱୀ ଜୈସ୍ୱାଲ ଓ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ଗୁଜରାଟ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଆଗରେ ବିଶାଳ ଲକ୍ଷ୍ୟ ମଧ୍ୟ ଛୋଟ ମନେ ହେଉଛି ।

ଉଭୟ ଦଳର ପେସ୍ ବୋଲିଂ ବିଭାଗ ଫର୍ମରେ ରହିଛି । ସ୍ପିନ ବୋଲିଂକୁ ନେଇ ଉଭୟ ଦଳ ସାମାନ୍ୟ ଚିନ୍ତାରେ ରହିଛନ୍ତି । ଅବଶ୍ୟ ବିଳମ୍ବରେ ହେଉ ପଛେ ରସିଦ ଖାନ ଫର୍ମକୁ ଫେରିଛନ୍ତି । ରାଜସ୍ଥାନ ରବି ବିଷ୍ଣୋଇକୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଉଛି । ସେ ଗତ ଗୁଜରାଟ ବିପକ୍ଷ ମ୍ୟାଚରେ ୪ଟି ୱିକେଟ୍ ନେଇଥିଲେ ।

ଅଧିକ ପଢ଼ନ୍ତୁ :-  ଫିନ୍ ଆଲେନଙ୍କ ଦର୍ଶନୀୟ ଶତକ; ଦିଲ୍ଲୀର ନୈରାଶ୍ୟଜନକ ପରାଜୟ, ୩୪ ବଲ୍ ବାକିଥାଇ ଚେଜ୍ କରିନେଲା କେକେଆର୍

ଆଜି ବୈଭବଙ୍କ ଉପରେ ନଜର ରହିବ । ଗତ ବର୍ଷ ସେ ଏହି ଗ୍ରାଉଣ୍ଡ୍‌ରେ ଗୁଜରାଟ ବିପକ୍ଷରେ ପ୍ରଥମ ଶତକ ଅର୍ଜନ କରିଥିଲେ । ଚଳିତ ବର୍ଷ ମଧ୍ୟ ସେ ଏକ ଶତକୀୟ ପାଳି ଖେଳି ସାରିଛନ୍ତି ଓ ଚମତ୍କାର ଫର୍ମରେ ରହିଛନ୍ତି । ତାଙ୍କୁ ଅଟକାଇବା ପାଇଁ ଗୁଜରାଟ ସ୍ୱତନ୍ତ୍ର ରଣନୀତି ଆପଣେଇବ । ଡୋନୋଭାନ ଫେରେରାଙ୍କ ପାଇଁ ମଧ୍ୟ ଗୁଜରାଟକୁ ରଣ କୌଶଳ ପ୍ରସ୍ତୁତ କରିବାକୁ ହେବ । ସେ ଡେଥ ଓଭରରେ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି । ଇତି ମଧ୍ୟରେ ସେ ଡେଥ୍ ଓଭରଗୁଡ଼ିକରେ ମୋଟ୍ ୧୧ଟି ଛକା ମାରି ସାରିଛନ୍ତି ।

ଆଜି ଗିଲ୍ ଓ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ ଏକ ଲଢେଇ ଦେଖିବାକୁ ମିଳିପାରେ । ଗିଲଙ୍କ ବିପକ୍ଷରେ ୬ଟି ମ୍ୟାଚ ଖେଳି ଆର୍ଚର ୩ଥର ଆଉଟ୍ କରିଛନ୍ତି । ରାଜସ୍ଥାନ ଅଧିନାୟକ ରିୟାନ ପରାଗ ପୂର୍ବରୁ ଜାସନ ହୋଲ୍ଡର ଓ ରସିଦ ଖାନଙ୍କ ବଲ୍‌ରେ ୨ଥର ଲେଖାଏଁ ଆଉଟ ହୋଇଛନ୍ତି ।

ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ସୱାଇ ମାନସିଂ ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ କାକର ପଡ଼ୁଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ରାଜସ୍ଥାନ: ଯଶସ୍ୱୀ ଜୈସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପରାଗ(ଅଧିନାୟକ), ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଶୁଭମ ଦୁବେ, ଜୋଫ୍ରା ଆର୍ଚର, ରବି ବିଷ୍ଣୋଇ, ନାନ୍ଦ୍ରେ ବର୍ଗର, ବ୍ରିଜେଶ ଶର୍ମା, ତୁଷାର ଦେଶପାଣ୍ଡେ ।

ଗୁଜରାଟ: ଶୁଭମନ ଗିଲ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ନିଶାନ୍ତ ସିଦ୍ଧୁ, ୱାସିଂଟନ ସୁନ୍ଦର, ଜାସନ ହୋଲ୍ଡର, ରାହୁଲ ତେୱାତିଆ, ରସିଦ ଖାନ, ମାନବ ସୂତାର, ଅର୍ସଦ ଖାନ, କାଗିସୋ ରାବାଡା, ମହମ୍ମଦ ସିରାଜ ।