ନୂଆଦିଲ୍ଲୀ,୦୮/୦୫; କ୍ରମାନ୍ୱୟରେ ୬ଟି ମ୍ୟାଚ ପରାଜିତ ହେବା ପରେ ଲକ୍ଷ୍ନୌ ଶେଷରେ ବିଜୟଧାରାକୁ ଫେରିଛି । ଗୁରୁବାର ଅନୁଷ୍ଠିତ ଚଳିତ ଆଇପିଏଲର ୫୦ତମ ଲିଗ୍ ମୁକାବିଲାରେ ଲକ୍ଷ୍ନୌ ୯ ରନ୍ରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ପରାଜିତ କରିଛି । ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୧୯ ଓଭରରେ ୩ ୱିକେଟ୍ ହରାଇ ୨୦୯ ରନ ସଂଗ୍ରହ କରିଥିଲା । ଡକ୍ ୱର୍ଥ ଲୁଇସ ନିୟମ ଅନୁଯାୟୀ ବେଙ୍ଗାଲୁରୁ ସମ୍ମୁଖରେ ୨୧୩ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ବେଙ୍ଗାଲୁରୁ ଦଳ ୬ ୱିକେଟ୍ ହରାଇ ୨୦୩ ରନ କରିବାକୁ ସକ୍ଷମ ହୋଇଥିଲା ।
ସଠିକ ସମୟରେ ଖେଳ ଆରମ୍ଭ ହୋଇଥିଲେ ହେଁ ବର୍ଷା ଯୋଗୁଁ କେବଳ ପ୍ରଥମ ଇନିଂସ ୩ଥର ସ୍ଥଗିତ ରହିଥିଲା । ଫଳରେ ଗୋଟିଏ ଓଭର କାଟ କରାଯାଇ ମ୍ୟାଚକୁ ୧୯ ଓଭର ବିଶିଷ୍ଟ କରାଯାଇଥିଲା । ଏହି ମ୍ୟାଚରେ ଟସ ଜିତି ବେଙ୍ଗାଲୁରୁ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଘରୋଇ ଦଳ ପକ୍ଷରୁ ମିଚେଲ ମାର୍ଶ ଓ ଆର୍ସିନ କୁଲକର୍ଣ୍ଣୀ ଓପନ କରିଥିଲେ । ମାର୍ଶ ପ୍ରଥମ ବଲ୍ରୁ ବେଙ୍ଗାଲୁରୁ ବୋଲରଙ୍କୁ ପ୍ରହାର କରିଥିଲେ । ଅନ୍ୟ ପଟରେ ଆର୍ସିନ ସତର୍କତାର ସହ ବ୍ୟାଟିଂ କରିଥିଲେ । ଉଭୟ ୯୫ ରନ୍ର ଭାଗିଦାରୀ ଗଠନ କରିଥିଲେ । ଦଶମ ଓଭରରେ କୃନାଲ ପାଣ୍ଡ୍ୟା ଯୋଡ଼ି ଭାଙ୍ଗିଥିଲେ । ଆର୍ସିନ ୧୭ ରନ କରି ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୂରନ ଅପରାଜିତ ମାର୍ଶଙ୍କ ସହ ମିଶି ୭୦ ରନ୍ ଯୋଗ କରିଥିଲେ । ମାର୍ଶ ୪୯ଟି ବଲ୍ରୁ ଶତକ ପୂରଣ କରିବା ପରେ ମଧ୍ୟ ଆକ୍ରମଣ ଜାରି ରଖି ଦଳୀୟ ସ୍କୋରକୁ ୧୬୫ରେ ପହଞ୍ଚାଇଥିଲେ । ଶେଷରେ ମାର୍ଶଙ୍କ ୱିକେଟ୍ ପତନ ଘଟିଥିଲା । ସେ ୫୬ଟି ବଲ୍ରୁ ୯ ଚୌକା ଓ ୯ ଛକା ବଳରେ ୧୧୧ ରନ କରି ବିଦାୟ ନେଇଥିଲେ । ଅନ୍ତିମ ଭାଗରେ ପୂରନଙ୍କ ସହ ରିଷଭ ପନ୍ତ ଦ୍ରୁତ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୨୦୯ରେ ପହଞ୍ଚାଇଥିଲେ । ପୂରନ ୪ଚୌକା ଓ ୧ ଛକା ବଳରେ ୩୮ ରନ କରି ଆଉଟ୍ ହୋଇଥିଲେ । ପନ୍ତ ୧୦ଟି ବଲ୍ରୁ ୪ଚୌକା ଓ ୨ ଛକା ବଳରେ ୩୨ ରନ କରି ଅପରାଜିତ ରହିଥିଲେ ।
𝗠𝗶𝗴𝗵𝘁𝘆. 𝗠𝗮𝗿𝘃𝗲𝗹𝗼𝘂𝘀. 𝗠𝗮𝗿𝘀𝗵 👊
— IndianPremierLeague (@IPL) May 7, 2026
Mitchell Marsh is the Player of the Match for his display of sheer power during a knock of 1️⃣1️⃣1️⃣(56) 💪
WATCH his innings ▶️ https://t.co/7BZBAGMWOB#TATAIPL | #KhelBindaas | #LSGvRCB | @LucknowIPL pic.twitter.com/oHZhkZ8HP6
ଜବାବରେ ବେଙ୍ଗାଲୁରୁ ଉଭୟ ଓପନରଙ୍କୁ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଜାକବ ବେଥେଲ ୪ ରନ କରିଥିବାବେଳେ ବିରାଟ କୋହଲି ଖାତା ଖୋଲି ପାରିନଥିଲେ । ଏହାପରେ ଦେବଦତ୍ତ ପାଡ଼ିକଲ ଓ ରଜତ ପାତିଦାର ଆକ୍ରମଣାତ୍ମକ ବ୍ୟାଟିଂ କରି ୯୫ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୧୦୪ ବେଳେ ପାଡ଼ିକଲ ବ୍ୟକ୍ତିଗତ ୩୪ ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଦଳ ସହଳ ଆଉ ୨ଟି ୱିକେଟ୍ ହରାଇଥିଲା । ଜିତେଶ ଶର୍ମା ୧ ରନ କରି ଆଉଟ୍ ହୋଇଥିଲେ । ପାତିଦାର ୩୧ଟି ବଲ୍ରୁ ୬୧(୩ଚୌକା, ୬ଛକା) ରନ କରି ପାଭିଲିୟନ ଫେରିଥିଲେ । ଟିମ ଡେଭିଡ୍ ଇମ୍ପାକ୍ଟ ପ୍ଲେୟାର ଭାବେ ଗ୍ରାଉଣ୍ଡକୁ ଓହ୍ଲାଇ ବିସ୍ଫୋରକ ବ୍ୟାଟିଂ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ ।
ସାହବାଜ ଅହମ୍ମଦ ୧୬ତମ ଓଭରରେ ଡେଭିଡଙ୍କୁ ଆଉଟ୍ କରିଥିଲେ । ସେ ୧୭ଟି ବଲ ୪ଚୌକା ଓ ୩ ଛକା ବଳରେ ୪୦ ରନ କରିଥିଲେ । ତଥାପି ବେଙ୍ଗାଲୁରୁ ଲଢେଇ ଛାଡ଼ି ନଥିଲା । କୃନାଲ ପାଣ୍ଡ୍ୟା ଓ ରୋମାରିଓ ସେଫର୍ଡ ଆକ୍ରମଣ ଜାରି ରଖିଥିଲେ । ୧୮ ଓଭର ସୁଦ୍ଧା ଦଳୀୟ ସ୍କୋର ୬/୧୯୩ ରେ ପହଞ୍ଚି ସାରିଥିଲା । ଶେଷ ଓଭରରେ ବିଜୟ ପାଇଁ ୨୦ ରନ ଆବଶ୍ୟକ ହେଉଥିଲା । ଦିଗବେଶ ରାଠି ଏହି ଓଭରରେ ୧୦ ରନ ପ୍ରଦାନ କରିଥିଲେ ଓ ଲକ୍ଷ୍ନୌ ବିଜୟ ହାସଲ କରିଥିଲା ।