ନୂଆଦିଲ୍ଲୀ,୨୧/୦୩ : ଆଇପିଏଲ ୨୦୨୬ ଆରମ୍ଭ ହେବାକୁ ହାତରେ ଆଉ ମାତ୍ର ୭ ଦିନ । ଏହା ପୂର୍ବରୁ ଉତ୍ସାହ ଦ୍ୱିଗୁଣା ହୋଇଛି । ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ଏହି ମହାକୁମ୍ଭ । ପ୍ରଥମ ମ୍ୟାଚରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ । ମୈଦାନକୁ ଓହ୍ଲାଇବା ପୂର୍ବରୁ ସାଥୀ ଖେଳାଳିଙ୍କୁ ବଡ଼ ଚେତାବନୀ ଦେଇଛନ୍ତି ଆରସିବି ଆଇକନ୍ ଷ୍ଟାର୍ ବିରାଟ କୋହଲି । କେଉଁ କାରଣକୁ ନେଇ ରୟାର ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରେ ଭାଳେଣି ପଡିଛି । ଯାହାକୁ ନେଇ ସତର୍କ କରିଛନ୍ତି କିଙ୍ଗ୍ କୋହଲି ।

'ଏବେ ଆମ ପାଇଁ ଜିନିଷଗୁଡ଼ିକ କଷ୍ଟକର ହେବ '- ଗତ ସିଜନରେ ଟ୍ରଫି ଜିତିବା ପରେ ଏଥର ଆରସିବି ପାଇଁ ରାସ୍ତା କଠିନ ହେବ ବୋଲି କହିଛନ୍ତି ବିରାଟ । ଅଭ୍ୟାସ ଶିବିରରେ ଦଳକୁ ଉତ୍ସାହିତ କରି ବିରାଟ କହିଛନ୍ତି, "ଗତ ଦୁଇ-ତିନି ବର୍ଷର କଠିନ ପରିଶ୍ରମ ଯୋଗୁଁ ଆମେ ଗତ ସିଜନରେ ସଫଳତା ପାଇଥିଲେ। କିନ୍ତୁ ଏଥର ଅନ୍ୟ ଦଳଗୁଡ଼ିକ ଆମ ବିରୋଧରେ ଅଧିକ ପ୍ରସ୍ତୁତ ହୋଇ ଆସିବେ, ତେଣୁ ସମୟ ଆହୁରି କଠିନ ହେବାକୁ ଯାଉଛି । ଆମକୁ ଗୋଟିଏ ମିନିଟ୍ ବି ନଷ୍ଟ ନକରି ଏହି ଦୁଇ-ଅଢ଼େଇ ମାସ ନିଜର ୧୨୦ ପ୍ରତିଶତ ଦେବାକୁ ପଡ଼ିବ । ମୁଁ ସମସ୍ତଙ୍କ ମୁହଁରେ ଦେଖିପାରୁଛି ଯେ, ଆମେ ଏହି ଚ୍ୟାଲେଞ୍ଜ ପାଇଁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବୁ। " ଆରସିବି ସୋସିଆଲ ମିଡିଆ ପ୍ଲାଟଫର୍ମ  ଏକ୍ସରେ ଏହାର ଅଭ୍ୟାସ ସେସନର ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ବିରାଟ କୋହଲି ଦଳର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...KKR ଛାଡିଥିଲା ହାତ...୧୪ ଛକା, ୨୧ ଚୌକା ମାରି କଲେ ବିଶ୍ୱ ରେକର୍ଡ, କିଏ ସେହି ଷ୍ଟାର ପ୍ଲେୟାର   

୨୦୨୫ରେ ପଞ୍ଜାବ କିଙ୍ଗସକୁ ହରାଇ ପ୍ରଥମ ଥର ପାଇଁ ଟ୍ରଫି ଜିତିଥିଲା ଆରସିବି । ଏଥର ନୂଆ ରୂପରେ ନଜର ଆସିବ ଟିମ୍ । ଦଳର ମୁଖ୍ୟ କୋଚ୍ ଆଣ୍ଡି ଫ୍ଲାୱାର କହିଛନ୍ତି ଯେ, ଏଥର ଦଳ ଆହୁରି ଶକ୍ତିଶାଳୀ ହୋଇଛି । ବିରାଟ କୋହଲି ଏବଂ ରଜତ ପାଟିଦାରଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ସହ ନୂଆ ଖେଳାଳିଙ୍କ ସମନ୍ୱୟ ଦଳକୁ ପୁଣି ଚାମ୍ପିଅନ୍ କରିବ ବୋଲି ଆଶା କରାଯାଉଛି । ବିରାଟ କୋହଲି ବର୍ତ୍ତମାନ ସୁଦ୍ଧା ୨୬୭ଟି ମ୍ୟାଚ୍‌ରୁ ୮,୬୬୧ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୮ଟି ଶତକ ଓ ୬୩ଟି ଅର୍ଦ୍ଧଶତକ ସାମିଲ ଅଛି । ଚଳିତ ସିଜନରେ ସେ ଆଇପିଏଲ୍ ଇତିହାସରେ ୯,୦୦୦ ରନ୍ ପୂରଣ କରିବା ଦିଗରେ ଅଗ୍ରସର ହେଉଛନ୍ତି।
​​​​​​​