ଆଇପିଏଲ୍ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍: ସାମ୍ନାସାମ୍ନି ହେବେ ଚେନ୍ନାଇ ସୁପରକିଙ୍ଗ୍ସ- ଗୁଜରାଟ ଟାଇଟନ୍ସ, ଜିତିଲେ ଫାଇନାଲ

ଚେନ୍ନାଇ,୨୩/୦୫: ଚଳିତ ଆଇପିଏଲ୍ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି । ମଙ୍ଗଳବାର ପ୍ଲେ-ଅଫ୍ ମୁକାବିଲା । ପ୍ରଥମ କ୍ୱାଲିଫାୟରରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ୪ଥର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ସାମ୍ନା ସାମ୍ନି ହେବେ । ବିଜୟୀ ଦଳ ଫାଇନାଲ୍କୁ ଉନ୍ନୀତ ହେବ । ପରାଜିତ ଦଳ ପାଇଁ ଆଉ ଏକ ସୁଯୋଗ ରହିଛି ।
ସୁପରକିଙ୍ଗ୍ସର ଘରୋଇ ଗ୍ରାଉଣ୍ଡ୍ ଚିପକରେ ଏହି ମ୍ୟାଚ୍ ଖେଳାଯିବ । ପୂର୍ବ ରେକର୍ଡ ଅନୁଯାୟୀ ଟାଇଟନ୍ସର ପଲା ଭାରି ଜଣା ପଡ଼ୁଥିଲେ ହେଁ ସୁପରକିଙ୍ଗ୍ସ ପ୍ରତିଶୋଧ ନେବାକୁ ପ୍ରସ୍ତୁତ । ଦର୍ଶକଙ୍କ ସମର୍ଥନ ମଧ୍ୟ ଦଳର ମନୋବଳ ବଢାଇବ । ଚିପକ ଗ୍ରାଉଣ୍ଡ୍ର ସବୁ ଗ୍ୟାଲେରୀରେ ହଳଦିଆ ରଙ୍ଗର ଲହଡି ଖେଳିବ। ଇତି ମଧ୍ୟରେ ଉଭୟ ଦଳ ପରସ୍ପରକୁ ୩ଥର ଭେଟିଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ୍ ଜିତିଛି । ଚଳିତ ସିଜନରେ ଉଭୟ ଦଳ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଖେଳାଯାଇଥିଲା । ଟାଇଟନ୍ସ ୫ ୱିକେଟ୍ରେ ଉକ୍ତ ମ୍ୟାଚ୍ ଜିତିଥିଲା ।
ମଙ୍ଗଳବାର ଉଭୟ ଦଳ ଶ୍ରେଷ୍ଠ ଏକାଦଶ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବା ନିଶ୍ଚିତ । ମୋଟ ଉପରେ ଦେଖିବାକୁ ଗଲେ ଉଭୟ ଦଳର ସ୍ପିନରଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେବ । ଚିପକ ପିଚ୍ ସ୍ପିନରଙ୍କୁ ସୁହାଇବ । ଟାଇଟନ୍ସ ଦଳରେ ରସିଦ ଖାନ, ନୁର ଅହମ୍ମଦ ସ୍ପିନ ବିଭାଗ ସମ୍ଭାଳୁଛନ୍ତି । ରାହୁଲ ତେୱାତିଆ ତୃତୀୟ ସ୍ପିନର ଦାୟିତ୍ୱ ତୁଲାଇବେ । ରବିନ୍ଦ୍ର ଜାଡେଜା, ମହୀଶ ତୀକ୍ଷଣା ଓ ମୋଇନ ଅଲି ସୁପରକିଙ୍ଗ୍ସର ସ୍ପିନ ବିଭାଗ ସମ୍ଭାଳିବେ ।
ଉଭୟ ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ଥିବାରୁ କ୍ୱାଲିଫାୟର ମ୍ୟାଚ୍ରେ ବିଶାଳ ସ୍କୋର ହେବା ନିଶ୍ଚିତ । ଏକାଦଶରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ । ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନଜର ରହିବ । ସେ ଶେଷ ୩ଟି ମ୍ୟାଚ୍ରେ ବୋଲିଂ କରି ନଥିଲେ । ସୁପରକିଙ୍ଗ୍ସର ବ୍ୟାଟିଂ ବିପକ୍ଷରେ ପାଣ୍ଡ୍ୟା ବୋଲିଂ ରନ୍ ଅପ୍କୁ ଫେରିବା ଆଶା କରାଯାଉଛି ।
ଶୁଭମନ ଗିଲଙ୍କ ପାଇଁ ସୁପରକିଙ୍ଗ୍ସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ନିଶ୍ଚିତ । ଚମତ୍କାର ଫର୍ମରେ ରହିଥିବା ଗିଲ ଇତି ମଧ୍ୟରେ ୨ଟି ଶତକୀୟ ଇନିଂସ ସହ ମୋଟ୍ ୬୮୦ ରନ୍ ସଂଗ୍ରହ କରିସାରିଛନ୍ତି । କ୍ୱାଲିଫାୟର ମ୍ୟାଚ୍ରେ ମଧ୍ୟ ତାଙ୍କ ବ୍ୟାଟ୍ରୁ ଏକ ବଡ ଇନିଂସ ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍, ରିଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ବିଜୟ ଶଙ୍କର, ଡେଭିଡ୍ ମିଲର, ଡାସୁନ ଶଣକା, ରାହୁଲ ତେୱାତିଆ, ରସିଦ ଖାନ, ୟଶ ଦୟାଲ, ମହମ୍ମଦ ସାମି, ନୁର ଅହମ୍ମଦ । (ମୋହିତ ଶର୍ମା-ଇମ୍ପାକ୍ଟ ଖେଳାଳି)
ଚେନ୍ନାଇ ସୁପରକିଙ୍ଗ୍ସ: ଡେଭନ କନୱେ, ଋତୁରାଜ ଗାଏକୱାଡ୍, ଅଜିଙ୍କ୍ୟ ରାହାଣେ, ଶିବମ ଦୁବେ, ମୋଇନ ଅଲି, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି(ଅଧିନାୟକ), ଦୀପକ ଚହର, ମହୀଶ ତୀକ୍ଷଣା, ତୁଷାର ଦେଶପାଣ୍ଡେ । (ମଥିଶା ପତିରଣା: ଇମ୍ପାକ୍ଟ ଖେଳାଳି)