PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା.. ଡିଫେଣ୍ଡିଂ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ୍‌

ଅହମ୍ମଦାବାଦ,୩୧/୦୩: ମଞ୍ଚ ପ୍ରସ୍ତୁତ । ଆଉ ମାତ୍ର କିଛି କ୍ଷଣର ଅପେକ୍ଷା । ଆରମ୍ଭ ହୋଇଯିବ ବିଶ୍ୱର ସର୍ବ ବୃହତ୍‌ ଘରୋଇ ଟି-ଟ୍ୱେଣ୍ଟି ଲିଗ୍‌ ‘ଆଇପିଏଲ୍‌-୧୬’ । କ୍ରିକେଟ୍‌ ପ୍ରେମୀ ଆଗାମୀ ୨ମାସ ପର୍ଯ୍ୟନ୍ତ କ୍ରିକେ୍‌ଟର ଭରପୁର ରୋମାଞ୍ଚ ନେଇପାରିବେ । ଡିଫେଣ୍ଡିଂ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ ଓ ୪ଥର ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ଖେଳାଯିବ ଉଦ୍‌ଘାଟନୀ ମୁକାବିଲା । ଉଭୟ ଦଳ ଇତି ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଜୋରଦାର ଅଭ୍ୟାସ କରିଛନ୍ତି ।

୪ବର୍ଷ ପରେ ଘରୋଇ ଗ୍ରାଉଣ୍ଡ୍‌କୁ ଫେରିଛି ଆଇପିଏଲ୍‌ । ଏଥର ପ୍ରତ୍ୟେକ ଦଳ ନିଜ ନିଜ ଘରୋଇ ଗ୍ରାଉଣ୍ଡ୍‌ରେ ଖେଳିବାକୁ ସୁଯୋଗ ପାଇବେ। ଅହମ୍ମଦାବାଦ ଗୁଜରାଟ୍‌ ଟାଇଟନ୍ସର ଘରୋଇ ଗ୍ରାଉଣ୍ଡ୍‌ । ତଥାପି ମହେନ୍ଦ୍ର ସିଂ ଧୋନିଙ୍କ ଅଗଣିତ ସମର୍ଥକ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଭିଡ଼ ଜମାଇବେ।
ଗତ ସିଜନରେ ପଦାର୍ପଣ କରି ଗୁଜରାଟ ଟାଇଟନ୍ସ ଚାମ୍ପିଅନ୍‌ ଅଖ୍ୟା ଅର୍ଜନ କରିଥିଲା । ଲିଗ୍‌ ପର୍ଯ୍ୟାୟରେ ସୁପରକିଙ୍ଗ୍‌ସକୁ ୨ଥର ହରାଇଥିଲା । ଏଥର ମଧ୍ୟ ଚାମ୍ପିଅନ୍‌ ଦଳ ଭଳି ଖେଳି ବିଜୟ ସହ ସିଜନ ଆରମ୍ଭ କରିବାକୁ ଟାଇଟନ୍ସ ଲକ୍ଷ୍ୟ ରଖିଛି । ମାତ୍ର ସୁପରକିଙ୍ଗ୍‌ସ ପୂର୍ବ ପରାଜୟକୁ ଭୁଲିନାହିଁ । ଏଥର ପ୍ରତିଶୋଧ ନେବାକୁ ଦଳ ପ୍ରସ୍ତୁତ ।

ସମ୍ପୂର୍ଣ୍ଣ ଆଇପିଏଲ୍‌ରୁ ବାଦ ପଡ଼ିଲେ ମୁକେଶ

ଗତ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିବା ବାମ ହାତି ପେସ୍‌ ବୋଲର ମୁକେଶ ଚୌଧୁରୀଙ୍କୁ ଏଥର ସୁପରକିଙ୍ଗ୍‌ସ ମିସ୍‌ କରିବ । ଆହତ ସମସ୍ୟା ଦେଇ ଗତି କରୁଥିବା ମୁକେଶ ସମ୍ପ୍ରତି ଆଇପିଏଲ୍‌ରୁ ବାଦ ପଡ଼ିଛନ୍ତି । ପିଠିରେ ଯନ୍ତ୍ରଣା ଭୋଗୁଥିବାରୁ ଫିଟ୍‌ ହେବା ପାଇଁ ତାଙ୍କୁ ସମୟ ଲାଗିବ ବୋଲି ଜଣା ପଡ଼ିଛି। ଏନ୍‌ସିଏ ଯିବା ପୂର୍ବରୁ ସେ ସୁପରକିଙ୍ଗ୍‌ସର ଶିବିରରେ ଯୋଗ ଦେଇଥିଲେ ବୋଲି ଜଣା ପଡ଼ିଛି ।

ମୁକେଶ ଆହତ ହେବା ଫଳରେ ସୁପରକିଙ୍ଗ୍‌ସର ବୋଲିଂ ବିଭାଗ ଦୁର୍ବଳ ହୋଇ ଯାଇଛି । ଗତ ସିଜନରେ ମୁକେଶ ୧୩ଟି ମ୍ୟାଚ୍‌ ଖେଳି ୧୬ଟି ୱିକେଟ୍‌ ନେଇଥିଲେ । ଏଥିରୁ କେବଳ ପାୱାର ପ୍ଲେରେ ୧୧ଟି ୱିକେଟ୍‌ ରହିଥିଲା । ଏଥର ଦଳରେ ସାମିଲ ହୋଇଥିବା ବେନ ଷ୍ଟୋକ୍ସ ମଧ୍ୟ ବୋଲିଂ କରିବେ ନାହିଁ । ଫଳରେ ଦୀପକ ଚହରଙ୍କ ଉପରେ ଦଳର ବୋଲିଂ ବିଭାଗ ନିର୍ଭର କରିବ ।

ପାଣ୍ଡ୍ୟା, ରସିଦ ମୁଖ୍ୟ ଅସ୍ତ୍ର

ଗତ ସିଜନରେ ଚାମ୍ପିଅନ କରାଥିବା ୩ଷ୍ଟାରଙ୍କ ମଧ୍ୟରୁ ଡେଭିଡ୍‌ ମିଲର ସମ୍ପ୍ରତି ଦଳରେ ଯୋଗ ଦେଇ ନାହାନ୍ତି । ତଥାପି ସୁପରକିଙ୍ଗ୍‌ସକୁ ହରାଇବା ପାଇଁ ଟାଇଟନ୍ସ ଦଳ ନିକଟରେ ଯଥେଷ୍ଟ କ୍ଷମତା ରହିଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ରସିଦ ଖାନ୍‌ ସୁପରକିଙ୍ଗ୍‌ସର ବାମ ହାତି ବ୍ୟାଟରଙ୍କ ପାଇଁ ଚିନ୍ତାର କାରଣ ହେବେ । ପାଣ୍ଡ୍ୟା ଓ ରସିଦ ପୂର୍ବରୁ ଷ୍ଟୋକ୍ସଙ୍କୁ ୩ଥର ଲେଖାଏଁ ଆଉଟ୍‌ କରିସାରିଛନ୍ତି । ମହମ୍ମଦ ସାମି ମଧ୍ୟ ଷ୍ଟୋକ୍ସଙ୍କୁ ୨ଥର ଆଉଟ୍‌ କରିଛନ୍ତି । ମୋଇନ ଅଲିଙ୍କ ବିପକ୍ଷରେ ମଧ୍ୟ ରସିଦ ଓ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଉନ୍ନତ ରହିଛି ।

ଋତୁରାଜ ଭରସା

ଗତ ସିଜନରେ ଋତୁରାଜ ଗାଏକୱାଡ୍‌ ଗୁଜରାଟ ଟାଇଟନ୍ସ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ପ୍ରାୟତଃ ଅଧିକାଂଶ ବୋଲରଙ୍କ ବିପକ୍ଷରେ ସେ ୧୫୦ ଷ୍ଟ୍ରାଇକ ରେଟ୍‌ରେ ରନ୍‌ ସଂଗ୍ରହ କରିଥିଲେ । ସୁପରକିଙ୍ଗ୍‌ସର ବ୍ୟାଟିଂ ବିଭାଗ ତାଙ୍କ ଉପରେ ନିର୍ଭର କରିବ ।

ସୁପରକିଙ୍ଗ୍‌ସ ପାଇଁ ଗିଲ ସମସ୍ୟା

ଗୁଜରାଟ ଟାଇଟନ୍ସ ଓପନର ଶୁଭମନ ଗିଲ୍‌ଙ୍କ ପାଇଁ ସୁପରକିଙ୍ଗ୍‌ସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । ଗିଲ୍‌ ସମ୍ପ୍ରତି ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ସେ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଅନେକ ରେକର୍ଡ ସ୍ଥାପନ କରିସାରିଛନ୍ତି ।

ସମ୍ଭାବ୍ୟ ଦଳ

ସୁପରକିଙ୍ଗ୍‌ସ: ମହେନ୍ଦ୍ର ସିଂ ଧୋନି(ଅଧିନାୟକ), ମୋଇନ ଅଲି, ଋତୁରାଜ ଗାଏକୱାଡ୍‌, ଡେଭନ କନୱେ, ବେନ ଷ୍ଟୋକ୍ସ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅମ୍ବାତି ରାୟୁଡୁ, ଡ୍ୱେନ ପ୍ରିଟୋରିୟସ୍‌, ଦୀପକ ଚହର, ସମରଜୀତ ସିଂହ ।

ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଶୁଭମନ ଗିଲ୍‌, ରିଦ୍ଧିମାନ ଶାହା, କେନ ୱିଲିୟମସନ, ସାଇ ସୁଦର୍ଶନ, ରାହୁଲ ତେୱାତିଆ, ମହମ୍ମଦ ସାମି,ଓଡ଼ିନ ସ୍ମିଥ୍‌, ଆର ସାଇ କିଶୋର, ରସିଦ ଖାନ, ଅଲ୍‌ଜାରୀ ଜୋଶେଫ ।