ମୁମ୍ବାଇ,୧୨/୦୫: ରୋମାଞ୍ଚ ମୋଡ଼ରେ ଫଟାଫଟ୍ କ୍ରିକେଟ୍। ଆଇପିଏଲରେ ଏବେ ଲାଇଭ୍ ଥ୍ରୀଲର । ବାକି ଲିଗ୍ ମୁକାବିଲାରେ ଦେଖିବାକୁ ମିଳିବ ପ୍ଲେ-ଅଫ୍ ସଂଘର୍ଷ । ୮ ଟିମ୍ ମଧ୍ୟରୁ ବଛା ହେବେ ଟପ୍-4 । ଅଙ୍କକଷା ଆରମ୍ଭ କରିଦେଲାଣି କ୍ରିକେଟ୍ ଫ୍ୟାନ୍ସ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏବେ ଏମିତି ମୋଡରେ ପହଞ୍ଚିଛି, ଯେଉଁଠି ପ୍ରତ୍ୟେକ ମ୍ୟାଚ୍ ଟିମ୍ ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ପ୍ରତି ଓଭରର ଗୋଟିଏ ଗୋଟିଏ ବଲ୍ କହିବ କିଏ ଯିବ ପ୍ଲେ-ଅଫ୍ । ଗୋଟିଏ ଗୋଟିଏ ରନ୍ ବଦଳାଇ ଦେବ ମ୍ୟାଚର ରୂପରେଖ । କ୍ୟାଚ୍ ଛାଡ଼ିଲେ ମଉଳିଯିବ ଟାଇଟଲ୍ ଆଶା । ଚଳିତ ଆଇପିଏଲରେ ଆଉ ମାତ୍ର ଅଳ୍ପ କିଛି ଲିଗ୍ ମ୍ୟାଚ୍ ବାକି ରହିଛି । ହେଲେ ପ୍ଲେ-ଅଫ୍ ଦୌଡ଼ରୁ ମାତ୍ର ବାଦ୍ ପଡ଼ିଛନ୍ତି ଦୁଇଟି ଟିମ୍ । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପରି ଜାଏଣ୍ଟସ । ବାକି ୮ଟିମ୍ ଏବେ ଟପ୍-4ରେ ରହିବା ପାଇଁ ସଂଘର୍ଷ କରୁଛନ୍ତି ।
ଆଇପିଏଲରେ ଆକ୍ସନ ଥ୍ରୀଲର ଆରମ୍ଭ । ସୁରକ୍ଷିତ ନୁହନ୍ତି ପଏଣ୍ଟ ଟେବୁଲର ଟପ୍ ଟିମ୍ । ତଳେ ଥିବା ଦଳ ରାସ୍ତା ଛାଡ଼ିବାରକୁ ନାରାଜ । କେଉଁଠି ରନ୍ ରେଟ୍ ରେ ଖେଳ ଫସିଛି ତ ପୁଣି କେଉଁଠି ପଏଣ୍ଟ ଗଣିତରେ ଶେଷ ନିଶ୍ବାସ ନେଉଛନ୍ତି ଟିମ୍ । ପ୍ଲେ-ଅଫ୍ ଦୌଡ଼ରେ ଥିବା ବାକି ୮ଟିମ୍ ପାଇଁ କର ବା ମର ସ୍ଥିତି ଉପୁଜିଛି । ଏପଟେ କେଉଁ ଦଳ ପାଖରେ କେତେ ଚାନ୍ସ ରହିଛି ତାହାର ହିସାବ ମଧ୍ୟ ସାମ୍ନାକୁ ଆସିଛି । ଡିଫେଣ୍ଡି ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବେ ସୁଦ୍ଧା ୧୧ଟି ମ୍ୟାଚ ଖେଳି ୧୪ ପଏଣ୍ଟ ସହ ଟେବୁଲ ଟପରେ ରହିଛି । ସନରାଇଜର୍ସ ହାଇଦ୍ରାବାଦ ସମାନ ଅଙ୍କ ଥିଲେ ମଧ୍ୟରେ ରନ ରେଟ୍ ଆଗରେ ରହିଛି ଡିଫେଣ୍ଡିଂ ଚାମ୍ପିଅନ୍ । ତେଣୁ ଦଳ ପାଖରେ ପ୍ଲେ-ଅଫ୍ ଚାନ୍ସ ୮୯% ଚାନ୍ସ ରହିଛି । ସେହିପରି ଏସଆରଏଚ୍ ନିକଟରେ ୮୭% ସୁଯୋଗ ରହିଛି । ଗୁଜରାଟ ଟାଇଟନ୍ସ ନିକଟରେ ୮୪%, ପଞ୍ଜାବ ପାଖରେ ୬୪%, ଚେନ୍ନାଇ ପାଖର ୩୮%, ରାଜସ୍ଥାନ ପାଖରେ ୨୮% ଏବଂ କୋଲକାତା ପାଖରେ ୧୦% ଚାନ୍ସ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇବା ପରେ ଦଳ ପାଖରେ ୬୪% ପ୍ଲେ ଅଫ୍ ଚାନ୍ସ ରହିଛି ।
ଚଳିତ ସିଜିନରେ ୧୬ ଅଙ୍କ ବି ସୁରକ୍ଷିତ ନୁହେଁ । ଚଳିତ ଆଇପିଏଲରେ ଲିଗ୍ ମୁକାବିଲା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ୍ ଯେତେ ସରୁଛି, ରୋମାଞ୍ଚ ସେତେ ବଢ଼ୁଛି । କିଏ ରହିବ ଟପ୍-4ରେ, କେଉଁ ଟିମ୍ ଜିତିବ ଟାଇଟଲ୍ ତାହା ଏବେ ପ୍ରଶ୍ନବାଚୀ ? କାରଣ ଚଳିତ ସିଜିନରେ ୧୬ ପଏଣ୍ଟ ବି ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ପାଇଁ ସୁରକ୍ଷିତ ଅଙ୍କ ନୁହେଁ । ୯ଟି ମ୍ୟାଚ୍ ଜିତି ୧୮ ପଏଣ୍ଟ ପାଇଥିବା ଦଳ, ନେଟ୍ ରନ୍ ରେଟରେ ତଳକୁ ଖସି ପାରନ୍ତି । ସେପଟେ ୧୪ ଅଙ୍କ ପାଇଥିବା ଟିମ୍ ଟାଇଟଲ୍ ଜିତିବା ନେଇ ସ୍ବପ୍ନ ଦେଖୁଛନ୍ତି । ଅର୍ଥାତ୍ ଆଇପିଏଲରେ ଆସନ୍ତା ୧୨ଦିନ କ୍ରିକେଟ୍ ନୁହେଁ, ମୁଭି ଥ୍ରୀଲର ଦେଖିବାକୁ ମିଳିବ । କାଲକୁଲେଟରରେ ୮ ଟିମ୍ ର ନେଟ୍ ରନ୍ ରେଟ୍ ହିସାବ କରିବ । ଷ୍ଟେଥୋସ୍କୋପରେ କ୍ରିକେଟ୍ ପ୍ରେମୀଙ୍କ ହୃଦସ୍ପନ୍ଦନ ମାପିବ । ମ୍ୟାଚର ଶେଷ ବଲ୍ ଯାଏ ଛାତି ଧଡ଼ ଧଡ଼ ହେବ । କହିବାକୁ ଗଲେ ସମ୍ପୂର୍ଣ୍ଣ ପାଇସା ଅସୁଲ୍ ମ୍ୟାଚ୍ ଦେଖିବାକୁ ମିଳିବ ।
ଅଧିକ ପଢ଼ିବ- IPL 2026; ଜିତିଲେ ହେଲେ ଜରିମାନା ଗଣିବେ ଅକ୍ଷର, ପଞ୍ଜାବ ବିପକ୍ଷରେ ରଣନୀତି ଚକ୍କରରେ ମିଳିଲା ଦଣ୍ଡ