କୋଲକାତା,୧୦।୫: ପଶ୍ଚିମବଙ୍ଗର ରାଜନୀତିରେ ଆଜିକାଲି ଆଇପିଏସ୍ ପାପିଆ ସୁଲତାନାଙ୍କ ନାଁ ଖୁବ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛି। ବଙ୍ଗଳା କ୍ୟାଡରର ଏହି ମହିଳା ଅଧିକାରୀଙ୍କ ଉପରେ ପୂର୍ବରୁ ସନ୍ଦେଶଖାଲି ପୀଡିତ ମହିଳାଙ୍କ ସହିତ ସମ୍ବେଦନହରନ ବ୍ୟବହାର କରିବା ନେଇ ଗମ୍ଭୀର ଅଭିଯୋଗ ଥିଲା ଓ ଏବେ ଏକ ନୂଆ ଫଟୋ ବିବାଦର ନିଆଁରେ ଘିଅ ଢାଳିଛି। ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ତିତିରେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମ ବେଳେ ଏହି ଅଧିକାରୀ ସମାରୋହକୁ ଆସିଥିବା ବିଜେପି ନେତାଙ୍କୁ ବସିବାକୁ ସିଟ୍ ବି ଦେଇନଥିଲେ।
ଆଇପିଏସ୍ ପାପିଆଙ୍କୁ ମମତା ବାନାର୍ଜୀଙ୍କ ଖୁବ୍ ଘନିଷ୍ଠ ବୋଲି କୁହାଯାଏ। ଏହି ମାମଲା କେବଳ ଗୋଟିଏ ସିଟକୁ ନେଇ ନୁହେଁ, ବଂର ସରକାରୀ କଳରେ ରାଜନୀତିକରଣର ସେହି ଅଭିଯୋଗ ଯାହାକି ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଥାଏ। ଖାକିର ଧର୍ମ ହେଉଛି ନିରପେକ୍ଷତା। ଯେତେବେଳେ କୌସି ଅଧିକାରୀ କୌଣସି ଖାସ୍ ରାଜନୈତିକ ବିଚାରଧାରା କିମ୍ବା ଦଳ ପ୍ରତି ଦୁର୍ବଳତା ଦେଖାନ୍ତି ତେବେ ଜନତାର ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଉଠିଯାଏ।
ବିବାଦର କାରଣ
୧- ସନ୍ଦେଶଖାଲି ଏବଂ ଡାକ୍ତରୀ ରିପୋର୍ଟ ବିବାଦ
ଫେବୃଆରୀ ୨୦୨୪ରେ, ଯେତେବେଳେ ସନ୍ଦେଶଖାଲିର ମହିଳାମାନେ ଶାହଜାହାନ ଶେଖ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, ସେତେବେଳେ ଆଇପିଏସ୍ ପାପିଆ ସୁଲତାନାଙ୍କୁ ଯାଞ୍ଚ ଟିମ୍ରେ ନିଯୁକ୍ତ କରାଯାଇଥିଲା। ପୀଡିତାଙ୍କ ପ୍ରତି ସହାନୁଭୂତି ଦେଖାଇବା ପରିବର୍ତ୍ତେ ତାଙ୍କ ଉପରେ ଦୁଷ୍କର୍ମ ପ୍ରମାଣ କରିବା ପାଇଁ ଡାକ୍ତରୀ ରିପୋର୍ଟ ମାଗିଥିଲେ। ତାଙ୍କର ଏହି ଆଚରଣ ପାଇଁ ମାନବାଧିକାର ସଂଗଠନ ଏବଂ ବିରୋଧୀ ଦଳଗୁଡ଼ିକ କଡା ସମାଲୋଚନା କରିଥିଲେ।
୨- ପ୍ରୋଟୋକଲ୍ ଓ ଜନପ୍ରତିନିଧିଙ୍କ ସମ୍ମାନ
ନିକଟରେ ଘଟିଥିବା ଘଟଣାକ୍ରମରୁ ଦାବି କରାଯାଉଛି ଯେ, ଶୁଭେନ୍ଦୁ ଅଧିକାରୀଙ୍କ ସହ ଥିବା ବିଜେପି ବିଧାୟକ ଠିଆ ହୋଇଛନ୍ତି, କିନ୍ତୁ ଡ୍ୟୁଟିରେ ଥିବା ବା ପ୍ରଥମ ଧାଡିରେ ବସିଥିବା ଏହି ଅଧିକାରୀ ଶିଷ୍ଟାଚାର ଦୃଷ୍ଟିରୁ ବସିବାକୁ ସ୍ଥାନ ଦେଇନଥିଲେ। ପ୍ରୋଟୋକଲ୍ ଅନୁସାରେ, ଜଣେ ଲୋକ ସେବକଙ୍କଠାରୁ ଆଶା କରାଯାଏ ସେ ଜନପ୍ରତିନିଧିଙ୍କ ପ୍ରତି ମର୍ଯ୍ୟାଦାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିବେ। ସେଭଳି ସମ୍ବିଧାନିକ ମର୍ଯ୍ୟାଦା ବି ରହିଛି। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ଭଳି ଉଚ୍ଚ ପଦସ୍ଥ ବ୍ୟକ୍ତି ମଞ୍ଚ ଉପରେ ସେତେବେଳେ ରହିବେ ସେତେବେଳେ ଅଧିକାରୀଙ୍କ ଆଚରଣ ଆହୁରି ନିକଟରୁ ପରଖା ଯାଏ। ଏହା ଯଦିଓ ସିଧା ସଳଖା ଭାବରେ କୌଣସି ଅପରାଧ ନୁହେଁ, କିନ୍ତୁ ଏହା ‘କଣ୍ଡକ୍ଟ ରୁଲ୍ସ’ ବା ଆଚରଣ ନିୟମାବଳୀ ଓ ପ୍ରୋଟୋକଲ୍ ଉଲଂଘନର ମାମଲା ହୋଇପାରେ। ଯଦି କୌଣସି ଜନପ୍ରତିନିଧି ଏହାର ଅଭିଯୋଗ କରନ୍ତି, ତେବେ ବିଭାଗ ପ୍ରିଭିଲେଜ୍ ମୋଶନ୍ ବା ବିଭାଗୀୟ ଯାଞ୍ଚ କରିପାରେ।