ତେହେରାନ, ୧୬।୪: ଇରାନର ସାମୁଦ୍ରିକ ବାଣିଜ୍ୟ ଏବଂ ଅର୍ଥନୀତିକୁ ପଙ୍ଗୁ କରିବା ପାଇଁ ଆମେରିକା ସମସ୍ତ ବନ୍ଦରରେ ନାକାବନ୍ଦୀ ଜାରି କରିଥିବା ବେଳେ, ଏବେ ଇରାନ ଏହାର କଡ଼ା ଜବାବ ଦେଇଛି । ଆମେରିକୀୟ କଟକଣାକୁ ବେଖାତିର କରି ଇରାନ ଏବେ ‘ସ୍କୁଫିଙ୍ଗ’ ଭଳି ଅତ୍ୟାଧୁନିକ ତଥା ଭ୍ରମାତ୍ମକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସମୁଦ୍ରରେ ନିଜର ଗତିବିଧିକୁ ଗୋପନ ରଖିବାରେ ସଫଳ ହୋଇଛି ।
‘ସ୍କୁଫିଙ୍ଗ୍’ ପ୍ରଯୁକ୍ତି କ’ଣ ?
ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଇରାନର ବ୍ୟାବସାୟିକ ଜାହାଜଗୁଡ଼ିକ ଆମେରିକାର ରାଡାରରୁ ବର୍ତ୍ତିବା ପାଇଁ ଦୁଇ ପ୍ରକାରର କୌଶଳ ଆପଣାଉଛନ୍ତି:
୧. ଟ୍ରାନ୍ସପୋଣ୍ଡର ବନ୍ଦ କରିବା: ଅନ୍ତର୍ଜାତୀୟ ନିୟମ ଅନୁସାରେ ପ୍ରତିଟି ବଡ଼ ଜାହାଜ ନିଜର ପରିଚୟ ଓ ମାର୍ଗ ସୂଚନା ଦେବା ପାଇଁ ଟ୍ରାନ୍ସପୋଣ୍ଡର ଚାଲୁ ରଖିବା ଅନିବାର୍ଯ୍ୟ । ମାତ୍ର ଇରାନର ଜାହାଜଗୁଡ଼ିକ ଏହାକୁ ବନ୍ଦ କରି ରାଡାରରୁ ନିଖୋଜ ହୋଇଯାଉଛନ୍ତି ।
୨. ମିଥ୍ୟା ପରିଚୟ ପ୍ରସାରଣ: ଅନେକ ସମୟରେ ଏହି ଜାହାଜଗୁଡ଼ିକ ଟ୍ରାକିଂ ସିଷ୍ଟମରେ ଭୁଲ୍ ତଥ୍ୟ ଓ ପରିଚୟ ପ୍ରଦାନ କରୁଛନ୍ତି, ଯାହାକୁ ଚିହ୍ନଟ କରିବା ଆମେରିକା ପାଇଁ କଷ୍ଟକର ହୋଇପଡ଼ୁଛି । ଏହାକୁ ହିଁ ‘ସ୍କୁଫିଙ୍ଗ୍’ କୁହାଯାଏ ।
ରୁଷଠାରୁ ଶିଖିଲା ରଣନୀତି:
ସାମୁଦ୍ରିକ ଗୁଇନ୍ଦା ସଂସ୍ଥା ‘ୱିଣ୍ଡୱାର୍ଡ’ର ସିଇଓ ଏମି ଡାନିଏଲଙ୍କ କହିବା ଅନୁସାରେ, ୨୦୨୨ ୟୁକ୍ରେନ ଯୁଦ୍ଧ ପରଠାରୁ ରୁଷ ଉପରେ ଆମେରିକା ଅନେକ କଟକଣା ଲଗାଇଥିଲା । ସେତେବେଳେ ରୁଷ ନିଜର ତେଲ ବାଣିଜ୍ୟ ଜାରି ରଖିବାକୁ ଏହି ସ୍କୁଫିଙ୍ଗ୍ ପ୍ରଯୁକ୍ତିର ସାହାରା ନେଇଥିଲା । ଏବେ ଇରାନ ମଧ୍ୟ ରୁଷର ଏହି ରଣନୀତିକୁ ଆପଣାଇ ହୋର୍ମୁଜ ପ୍ରଣାଳୀ ଦେଇ ନିଜର ଜାହାଜଗୁଡ଼ିକୁ ସହଜରେ ପାର୍ କରୁଛି ।
ଆହୁରି ପଢ଼ନ୍ତୁ...ଦକ୍ଷିଣ ଚୀନ ସାଗରରେ ‘ଚକ୍ରବ୍ୟୁହ’ ରଚିଲା ଡ୍ରାଗନ; ସମୁଦ୍ରର ଏହି ପଏଣ୍ଟକୁ କରିଦେଲା ସିଲ୍, ଚିନ୍ତାରେ ଆମେରିକା !
ଆମେରିକା ପାଇଁ ବଢ଼ିଲା ଚିନ୍ତା:
ଇରାନର ଏହି ପଦକ୍ଷେପ ଯୋଗୁଁ ଆମେରିକା କେଉଁ ଜାହାଜରେ କ’ଣ ପରିବହନ ହେଉଛି ଏବଂ ସେଗୁଡ଼ିକ କେଉଁଠାକୁ ଯାଉଛି, ତାହାର ସଠିକ୍ ତଥ୍ୟ ପାଇପାରୁ ନାହିଁ । ଆମେରିକାର ଅବରୋଧ ସତ୍ତ୍ୱେ ଇରାନର ଏହି ‘ସିଭିଲ୍ ୱାର୍ଫେୟାର’ ରଣନୀତି ଏବେ ମଧ୍ୟପ୍ରାଚ୍ୟରେ ଏକ ନୂଆ ବିବାଦର ସୂତ୍ରପାତ କରିଛି । ପରିବର୍ତ୍ତିତ ପରିଚୟ ସହ ଜାହାଜଗୁଡ଼ିକ ପୁଣି ଥରେ ନଜରକୁ ଆସୁଥିବାରୁ ଏହା ଉପରେ କଡ଼ା ନଜର ରଖିବା ବର୍ତ୍ତମାନ ପେଣ୍ଟାଗନ୍ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି ।