ନୂଆଦିଲ୍ଲୀ, ୧୬।୪: ସମୁଦ୍ରରେ ବଢ଼ୁଛି ଯୁଦ୍ଧ ନିଆଁ । ଆମେରିକାକୁ ଘେରିବାକୁ ଚୀନର ନୂଆ ଚାଲ୍ । ମଧ୍ୟପ୍ରାଚ୍ୟରେ ହୋର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ, ଏହାର ସୁଯୋଗ ନେଇ ଚୀନ୍ ଏସିଆର ଅନ୍ୟ ଏକ କୋଣରେ ନିଜର ସାମ୍ରାଜ୍ୟ ବିସ୍ତାର କରିବା ଆରମ୍ଭ କରିଛି । ବିଶ୍ୱର ନଜର ତେଲ ପରିବହନର ମୁଖ୍ୟ ମାର୍ଗ ହୋର୍ମୁଜ ଉପରେ ଥିବା ବେଳେ, ଚୀନ୍ ଚୁପଚାପ୍ ଦକ୍ଷିଣ ଚୀନ ସାଗରରେ ନିଜର ପ୍ରଭାବ ବଢ଼ାଇବାରେ ଲାଗିଛି । ନିକଟରେ ହସ୍ତଗତ ହୋଇଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ, ଚୀନ୍ ବିବାଦୀୟ ସ୍କାରବୋରୋ ଶୋଲ୍ ଅଞ୍ଚଳରେ ପ୍ରବେଶକୁ ପ୍ରାୟତଃ ବନ୍ଦ କରିଦେଇଛି । ଏହି ଅଞ୍ଚଳ ଚୀନ୍ ଏବଂ ଫିଲିପାଇନ୍ସ ମଧ୍ୟରେ ଦୀର୍ଘ ଦିନରୁ ବିବାଦର କେନ୍ଦ୍ର ପାଲଟିଛି । ରିପୋର୍ଟ ଅନୁସାରେ, ଚୀନ୍ ଏଠାରେ ପ୍ରାୟ ୩୫୦ ମିଟର ଲମ୍ବର ଏକ ବିଶାଳ ଫ୍ଲୋଟିଂ ବ୍ୟାରିୟର୍ ଲଗାଇବା ସହ ନିଜର କୋଷ୍ଟ ଗାର୍ଡ ଜାହାଜ ଏବଂ ସାମରିକ ଡଙ୍ଗା ମୁତୟନ କରିଛି ।
ସାଟେଲାଇଟ୍ ଚିତ୍ରରୁ ବଡ଼ ଖୁଲାସା:
ସାଟେଲାଇଟ୍ ଇମେଜ୍ ପ୍ରଦାନକାରୀ ସଂସ୍ଥା ‘ଭାଣ୍ଟର’ ପକ୍ଷରୁ ଏପ୍ରିଲ ୧୦ ଏବଂ ୧୧ ତାରିଖରେ ନିଆଯାଇଥିବା ଫଟୋରୁ ଚୀନର ଚାଲ୍ ସାମ୍ନାକୁ ଆସିଛି । ଏପ୍ରିଲ ୧୧ର ଚିତ୍ରରେ ଦେଖିବାକୁ ମିଳିଛି ଯେ, ସ୍କାରବୋରୋ ଶୋଲ୍ର ପ୍ରବେଶ ପଥରେ ଏକ ନୂତନ ଭାସମାନ ବ୍ୟାରିୟର୍ ଲମ୍ବା ଭାବେ ଲଗାଯାଇଛି, ଯାହାଫଳରେ ଅନ୍ୟ କୌଣସି ଜାହାଜ ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏପ୍ରିଲ ୧୦ର ଫଟୋରେ ଶୋଲ୍ର ପ୍ରବେଶ ପଥ ଠିକ୍ ବାହାରେ ଚୀନର ଏକ ସାମରିକ ନୌସେନା ଜାହାଜ କିମ୍ବା କୋଷ୍ଟ ଗାର୍ଡ ଜାହାଜ ପହରା ଦେଉଥିବା ଦେଖାଯାଇଛି । ଚାରୋଟି ଚାଇନିଜ୍ ମାଛଧରା ଡଙ୍ଗା ମଧ୍ୟ ସେହି ଅଞ୍ଚଳରେ ରହିଥିବା ସୂଚନା ମିଳିଛି ।
ଫିଲିପାଇନ୍ସ ସହ ସଂଘର୍ଷର ଆଶଙ୍କା:
ଏହି ସାମୁଦ୍ରିକ ଅଞ୍ଚଳ ମାଛ ଧରିବା ପାଇଁ ଅତ୍ୟନ୍ତ ସମୃଦ୍ଧ, ଯାହା ଫିଲିପାଇନ୍ସର ‘ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍’ ଭିତରେ ଆସୁଛି । ମାତ୍ର ଚୀନ୍ ଏହାକୁ ନିଜର ବୋଲି ଦାବି କରି ଫିଲିପାଇନ୍ସର ମତ୍ସ୍ୟଜୀବୀଙ୍କୁ ସେଠାରୁ ଘଉଡ଼ାଇ ଦେଉଛି । ଫିଲିପାଇନ୍ସ ଏହାକୁ ଚୀନର ‘ମାରିଟାଇମ୍ ମିଲିସିଆ’ର ଦାଦାଗିରି ବୋଲି ଅଭିଯୋଗ କରିଛି । ପ୍ରତିବାଦ କରିବାରୁ ଫିଲିପାଇନ୍ସ ମଧ୍ୟ ନିଜର ନୌସେନା ଜାହାଜ ସେଠାକୁ ପଠାଇଛି, ଯାହା ଫଳରେ ସାମୁଦ୍ରିକ ସଂଘର୍ଷର ଆଶଙ୍କା ବଢ଼ିଯାଇଛି । ବିଶେଷଜ୍ଞଙ୍କ ମତରେ, ଆମେରିକା ଏବେ ଇରାନ ଏବଂ ହୋର୍ମୁଜ ପ୍ରଣାଳୀକୁ ନେଇ ଅଧିକ ବ୍ୟସ୍ତ ଥିବାରୁ ଚୀନ୍ ଏହି ସମୟର ଫାଇଦା ଉଠାଉଛି । ଯଦିଓ ଆମେରିକା ଫିଲିପାଇନ୍ସ ସହ ମିଳିତ ସାମରିକ ଅଭ୍ୟାସ କରୁଛି, ତଥାପି ଚୀନ୍ ୨୦୧୬ର ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ମାନିବାକୁ ମନା କରି ନିଜ ଜିଦ୍ରେ ଅଟଳ ରହିଛି । ଏହି ସ୍ଥିତି ଏବେ ବିଶ୍ୱ ବାଣିଜ୍ୟ ଏବଂ ସାମୁଦ୍ରିକ ସୁରକ୍ଷା ପାଇଁ ଏକ ବଡ଼ ଚେତାବନୀ । ଗୋଟିଏ ପଟେ ମଧ୍ୟପ୍ରାଚ୍ୟରେ ତେଲ ସଙ୍କଟ ଏବଂ ଅନ୍ୟପଟେ ଏସିଆରେ ଚୀନର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ବିଶ୍ୱ ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଛି ।
ଆହୁରି ପଢ଼ନ୍ତୁ... Iran America War: ଚୀନ୍ ସାଟେଲାଇଟ୍ ସହାୟତାରେ ଆମେରିକା ଉପରେ ଘନ ଘନ ଆକ୍ରମଣ, ଇରାନର ମିସାଇଲ୍ ମାଡ଼ରେ ଥରିଲା ମଧ୍ୟପ୍ରାଚ୍ୟ